୧୧ ବନ୍ଧୁକ, ୫୧ ଗୁଳି ଜବତ

Get real time updates directly on you device, subscribe now.

କଟକ: ଡି-ଲିଂକ୍ ଖୋଳତାଡ଼ର ତୃତୀୟ ପର୍ଯ୍ୟାୟରେ ପୁଣି ପୁଲିସକୁ ବଡ଼ ସଫଳତା ମିଳିଛି । ଡି’ ଗ୍ୟାଙ୍ଗ୍ର ପ୍ରମୁଖ ବନ୍ଧୁକ ଯୋଗାଡ଼ିଆ ତାଳଚେରର ଟୁକୁନାକୁ ଜେରା କଲା ପରେ ପୁଲିସ ହାତରେ ଲାଗିଛି ପୁଣି ପୁଳାପୁଳା ବନ୍ଧୁକ ଓ ଗୁଳି । ଖାଲି ସେତିକି ନୁହେଁ, ବନ୍ଧୁକ ବିକ୍ରି ନେଟ୍ୱାର୍କ ସହିତ ଜଡ଼ିତ ଥିବା ଅନ୍ୟ ତିନି କୁଖ୍ୟାତ ଅପରାଧୀ ମଧ୍ୟ ଗିରଫ ହୋଇଛନ୍ତି ।
ଜେଲ୍ରେ ଥିବା କୁଖ୍ୟାତ ଅପରାଧୀ ଭ୍ରାତା ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ (ଡି’ ବ୍ରଦର୍ସ)ଙ୍କର ପ୍ରମୁଖ ବନ୍ଧୁକ ଯୋଗାଡ଼ିଆ ତାଳଚେରର ଟୁକୁନା ସ୍ୱାଇଁ ଏସ୍ଟିଏଫ ହାତରେ ଗିରଫ ହେବା ପରେ ଚୌଦ୍ୱାର ପୁଲିସ ୮ ଦିନିଆ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ଜେରାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଟି ବନ୍ଧୁକ, ୫୧ଟି ଗୁଳି ଓ ୧୧ଟି ମାଗାଜିନ୍ ଜବତ କରିଛି । ବନ୍ଧୁକ ବିକ୍ରି ନେଟ୍ୱାର୍କରେ ସାମିଲ ଥିବା ବାଦାମବାଡ଼ି ଥାନା ଶଙ୍କରପୁର ଡିଅସାହିର ସନ୍ତ ଓରଫ ସନ୍ତୋଷ ରାଉତ, ବାରିକ ସାହିର ଲିପୁ ଓରଫ ଜ୍ୟୋତିରଂଜନ ବାରିକ ଓ ନୂଆସାହିର ପ୍ରଶାନ୍ତ ରାଉତକୁ ପୁଲିସ ଗିରଫ କରିଛି । ଏନେଇ ଖୋଳତାଡ଼ ଜାରି ରହିଥିବାରୁ ଟୁକୁନାକୁ ଆଉ ୨ ଦିନିଆ ରିମାଣ୍ଡରେ ଆଣି ପୁଲିସ ଅଧିକ ବନ୍ଧୁକ ଜବତ କରିବା ସହିତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଯୋଜନା ରଖିଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏକ ସୂଚନା ଆଧାରରେ ୨୦୨୦ ଡିସେମ୍ବର ୧୧ ତାରିଖରେ ଡି’ ବ୍ରଦର୍ସଙ୍କ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ପୁଲିସ ଦ୍ୱିତୀୟ ଦଫା ଖୋଳତାଡ଼ ଆରମ୍ଭ କରିଥିଲା । ଏହି ସମୟରେ ପୁଲିସ ଡି’ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୧୬ ବନ୍ଧୁକ ଓ ୧୦୯୫ ରାଉଣ୍ଡ ଗୁଳି ଜବତ ହୋଇଥିଲା । ଏହି ଲିଙ୍କ୍ରେ ଡି’ ବ୍ରଦର୍ସଙ୍କର ୮ ଜଣ ସହଯୋଗୀ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ । ଏହି ଖୋଳତାଡ଼କୁ ପୁଲିସ ଜାରି ରଖିବା ପରେ ପୁଣି ୭ଟି ବନ୍ଧୁକ ଓ ୩୫ଟି ଗୁଳି ଜବତ ହେବା ସହିତ ଡି’ ବ୍ରଦର୍ସଙ୍କର ୧୨ ଜଣ ସହଯୋଗୀ ଗିରଫ ହୋଇଥିଲେ । ମାତ୍ର ଏହି ସମୟରେ ପୁଲିସ ତଦନ୍ତ ବେଳେ ଡି’ର ପ୍ରମୁଖ ବନ୍ଧୁକ ଯୋଗାଡ଼ିଆ ତାଳଚେରର ଟୁକୁନା ସ୍ୱାଇଁ ପୁଲିସ ହାତରେ ଧରାପଡିନଥିଲା । ସେ ଫେରାର୍ ଥିବାରୁ ତଦନ୍ତ ଅଧାରେ ଅଟକି ଯାଇଥିଲା ।
ମାତ୍ର ଗତ ମେ’ ୩୦ ତାରିଖ ଦିନ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟୁକୁନାକୁ ଗିରଫ କରି ଜେଲ୍ ପଠାଇଥିଲା । ଏହାପରେ ଚୌଦ୍ୱାର ଥାନା ପୁଲିସ ପୁଣି ଡି-ଲିଂକ୍ର ଖୋଳତାଡ଼ ଆରମ୍ଭ କଲା । ଟୁକୁନାଠାରୁ ସୂଚନା ଗୋଟାଇ ତୃତୀୟ ଦଫା ଖୋଳତାଡ଼ ପାଇଁ କଟକ ପୁଲିସ ଲାଗି ପଡ଼ିଲା । ଚଳିତ ମାସ ୯ ତାରିଖ ଦିନ ଟୁକୁନା ସ୍ୱାଇଁକୁ ଚୌଦ୍ୱାର ଥାନା ପୁଲିସ ପ୍ରଥମେ ୩ ଦିନ ଓ ପରେ ଆଉ ୫ ଦିନ ରିମାଣ୍ଡରେ ଆଣି ଜେରା କରିବାରୁ ଡି’ ର ବନ୍ଧୁକ ନେଟ୍ୱାର୍କ ନେଇ ବଡ଼ ଖୁଲାସା ହେଲା । ଟୁକୁନା ଇସାରାରେ ପୁଲିସ କଟକ ଓ ଏହାର ଆଖପାଖ ଅଞ୍ଚଳରେ ଜୋରଦାର ଚଢ଼ଉ କଲା । ଟୁକୁନା ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ବନ୍ଧୁକକୁ ଜବତ କରାଗଲା । କିଛି ଅପରାଧୀଙ୍କଠାରୁ ବି ବନ୍ଧୁକ ଜବତ ହେଲା । ଏହାଛଡ଼ା ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁରର ୩ କୁଖ୍ୟାତ ଅପରାଧୀଙ୍କ ଘରେ ଚଢ଼ଉ ପରେ ପୁଲିସ ବିପୁଳ ବନ୍ଧୁକ ଓ ଗୁଳିଗୋଳା ପାଇଥିଲା । ଏହି କ୍ରମରେ ତିନି ଅଭିଯୁକ୍ତ ସନ୍ତ, ଲିପୁ ଓ ପ୍ରଶାନ୍ତ ଗିରଫ ହେଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons