୧୧ ଲକ୍ଷ ଟଙ୍କା ଲୁଟ ଘଟଣା:୪ ଡକାୟତ ଗିରଫ, ୪ ଲକ୍ଷ ଉଦ୍ଧାର

Get real time updates directly on you device, subscribe now.

କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଗତ ଅକ୍ଟୋବର ମାସରେ ୪ ଜଣ ଡକାୟତ ପିସ୍ତଲ ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରିବା ସହ ଭତ୍ତା ବାବଦକୁ ବଣ୍ଟା ହେବା ଲାଗି ଆସିଥିବା ୧୧ ଲକ୍ଷ ୩୫ ହଜାର ୬୦୦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ପୁଲିସ୍ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ଲକ୍ଷ ୧୦ ହଜାର ଟଙ୍କା, ଦୁଇଟି ଦେଶୀ ପିସ୍ତଲ, ୩ ରାଉଣ୍ଡ ଅଫୁଟା ଗୁଳି, ୪ଟି ମୋବାଇଲ ଓ ଦୁଇଟି ବାଇକ୍ ଜବତ କରାଯାଇଛି ।
ବୀରମିତ୍ରପୁର ଥାନାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ସୂଚନା ଦେଇଥିଲେ ଯେ, ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କ୍ରୁ ବାର୍ଦ୍ଧକ୍ୟ ଭତ୍ତା ବାବଦ ୧୧ ଲକ୍ଷ ୩୫ ହଜାର ୬୦୦ ଟଙ୍କା ଉଠାଇ ଏକ ବୋଲେରୋ (ଓଡ଼ି୧୪ସି ୭୪୯୧)ରେ କର୍ମଚାରୀମାନେ କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଟଙ୍କା କୁଆରମୁଣ୍ଡା, କଚାରୁ, ଝାରବେଡା, କାଲୋସିହିରିଆ ଓ ପୁଟିରିଖମନ ଗ୍ରାମ ପଞ୍ଚାୟତରେ ବଣ୍ଟା ହେବାକୁ ଆସିଥିଲା । ତେବେ କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ମୁଖରେ ହଠାତ ଚାରି ଜଣ ଡକାୟତ ପହଞ୍ଚି କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଟଙ୍କା ଲୁଟ କରିବା ପରେ ଗାଡ଼ିରେ ଥିବା ସୁରକ୍ଷା କର୍ମୀଙ୍କ ବନ୍ଧୁକକୁ ଭାଙ୍ଗି ଦେଇ ସେଠାରୁ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି, ସବ୍ଇନ୍ସପେକ୍ଟର ଦୋଳମଣି ନାୟକ, କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଏଚ୍.କେ. ବେହେରା, ରାଏବଗା ଥାନା ଅଧିକାରୀ ବି.କେ. ସିଂହ, ଡିଭିଏଫ୍ ଯବାନ ଓ ସାଇବର ସେଲ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ପୁଲିସ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଅକ୍ଟୋବର ମାସ ୨୨ ତାରିଖରେ ଅମିତ ପାତ୍ର ଓ ଅନିଲ ମିସ୍ତ୍ରୀଙ୍କୁ ଧରି ଜେରା କରିଥିଲେ । ଏହି ଦୁଇ ଜଣ ଟଙ୍କା ଲୁଟ ଘଟଣାରେ ଡକାୟତମାନଙ୍କୁ ସହଯୋଗ କରିଥିଲେ । ସେମାନଙ୍କୁ ଜେରା କରିବା ପରେ ପୁଲିସ୍କୁ ଡକାୟତମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିଥିଲା । ଗତକାଲି ରାତିରେ ପୁଲିସ୍ ଟିମ୍ କୁଆରମୁଣ୍ଡା, ବୀରମିତ୍ରପୁର ଓ ବଣାଇଁ ଅଞ୍ଚଳରେ ଚଢ଼ାଉ କରି ୪ ଜଣ ଡକାୟତ ସାମୁଏଲ ଏକ୍କା, ନିତିଶ ମିଶ୍ର, ପିଣ୍ଟୁ ସାହୁ ଓ ଏମ୍ଡି ତାରିକ୍ ସଲିମଙ୍କୁ ଧରିଥିଲେ । ଏହି ଲୁଟ ଘଟଣାରେ ସାମୁଏଲ ମାଷ୍ଟର ମାଇଣ୍ଡ ଥିବା ବେଳେ ରାଜଗାଙ୍ଗପୁର, କୁତ୍ରା, ବୀରମିତ୍ରପୁର, ଟାଉନ ଥାନା, ବ୍ରାହ୍ମଣୀତରଙ୍ଗ ଓ ଉଦିତନଗର ଥାନାରେ ମାମଲା ରହିଛି । ପୂର୍ବରୁ ସେ ଜେଲ ଯାଇ ଜାମିନ୍ରେ ଆସିଥିଲା । ସେହିପରି ପିଣ୍ଟୁ ସାହୁ ନାମରେ ବୀରମିତ୍ରପୁର ଥାନାରେ ଦୁଇଟି ମାମଲା ରହିଛି । ତେବେ ସାମୁଏଲ ଓ ପିଣ୍ଟୁ ନାମରେ ଆଉ କିଛି ମାମଲା ଅଛି କି ନାହିଁ ତାର ତଦନ୍ତ କରାଯାଉଛି ବୋଲି ଏସ୍ପି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ଏସ୍ଡିପିଓ ନିବେଦିତା ସୋରେନ, ରାଜଗାଙ୍ଗପୁର ଏସ୍ଡିପିଓ ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons