ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅନେକ ସମୟରେ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି ଶ୍ରମିକ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ଦଲାଲଙ୍କୁ ପୁଲିସ ଗିରଫ କରିପାରୁ ନଥିଲା । ହେଲେ ଗତ ୨୪ତାରିଖରେ ଏକ ସରକାରୀ ବସ୍ରୁ ୨୫ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ପୁଲିସ ତପôରତା ପ୍ରକାଶ କରିଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢଉ କରି ୧୧ଜଣ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତିମାନେ ହେଲେ ରାଇଘର ଥାନା ମହୁଭଟା ଗାଁର ଗୋପୀନାଥ ଗଣ୍ଡ, ପାପଡ଼ାହାଣ୍ଡି ଥାନା ଚିଙ୍ଗୁଡିସରଗୁଡ଼ାର ସନସାଈ ଭତ୍ରା ଓ ଗଣେଶ ପୂଜାରୀ, କୋଡିଙ୍ଗା ଥାନା କୋଣ୍ଡାପୁରି ଗାଁର ରତନ ନାୟକ, ଅର୍ଜୁନ ଭତ୍ରା, ମୀନ ହରିଜନ, ତେନ୍ତୁଳିଖୁଣ୍ଟି ଥାନା ଝରିଗୁମ୍ମାର ଶଙ୍କର ହରିଜନ, କୋଷାଗୁମଡ଼ା ଥାନା କୁମିଗୁଡାର ତୁଲସୀରାମ ଭତ୍ରା ଓ କଦଭଟ୍ଟାର ଅମୃତ ଭତ୍ରା ଓ ଖାତିଗୁଡା ଥାନା ବିରିଗୁଡାର ମନୋଜ ହିଆଲ ଓ ଖୁଣ୍ଟିଗୁଡାର ତିଲ ହରିଜନ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୧୪ ବିଳମ୍ବିିତ ରାତିରେ ୨୫ଜଣ ଦାଦନ ଶ୍ରମିକ ବିଶାଖାପାଟଣା ଯିବା ପାଇଁ ଏକ ସରକାରୀ ବସ୍ରେ ଚଢିଥିଲେ । କୌଣସିସୂତ୍ରରୁ ଖବରପାଇ ପୁଲିସ ବସରେ ଚଢଉ କରିଥିଲା । ସେଠାରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଏହି ୩ଜଣ ୨୫ଜଣ ଦାଦନ ଶ୍ରମିକଙ୍କୁ ବିଶାଖାପାଟଣା ଚାଲାଣ କରୁଥିବା ଶ୍ରମିକମାନେ ପୁଲିସ ନିକଟରେ ବୟାନ ଦେଇଥିଲେ । ଦାଦନ ଶ୍ରମିକଙ୍କ ବୟାନକୁ ଆଧାର କରି ବିଭିନ୍ନ ଅଞ୍ଚଳରୁ ୧୧ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା । ଦଲାଲମାନେ ଦାଦନ ଶ୍ରମିକଙ୍କୁ ଅଧିକ ଟଙ୍କା ରୋଜଗାର ଲୋଭଦେଖାଇ ବାହାର ରାଜ୍ୟକୁ ପଠାଇ ଆସୁଥିଲେ । ମାସକୁ ୧୨ହଜାର ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ମାତ୍ର ୬ହଜାର ଟଙ୍କା ଦେଉଥିଲେ । ଏହା ବ୍ୟତୀତ ଦାଦନ ଶ୍ରମିକଙ୍କୁ କେବଳ ବିଶାଖାପାଟଣା ପହଞ୍ଚାଇ ଦେଲେ ସେଠାକାର ଦଲାଲମାନେ ମୁଣ୍ଡ ପିଛା ୧ହଜାର ଟଙ୍କା ଦେଉଥିଲେ । ଏହି ଶ୍ରମିକ ଦଲାଲମାନେ ବିଶାଖାପାଟଣାର ଦଲାଲଙ୍କୁ ଥରେ ହସ୍ତାନ୍ତର କରିବା ପରେ ଶ୍ରମିକମାନେ ବର୍ଷବର୍ଷ ଧରି ମୁକୁଳି ପାରୁ ନଥିଲେ । ଶେଷକୁ କାହାର ଶବ ଫେରୁଥିଲା ତ ଆଉ କାହାର ଗୋଡ଼ହାତ କାଟି ଦିଆଯାଉଥିବାରୁ ସେମାନେ ଦିବ୍ୟାଙ୍ଗ ହୋଇ ଗାଁକୁ ଫେରୁଥିଲେ । ଆଗାମୀଦିନରେ ବିଶାଖାପାଟଣାର ମୁଖ୍ୟ ଦଲାଲମାନଙ୍କୁ ଗିରଫ କରିବାକୁ ଜିଲ୍ଲା ପୁଲିସ ଉଦ୍ୟମ କରିବ ବୋଲି ଥାନା ଅଧିକାରୀ ଶ୍ରୀ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଲାଲମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଏହି ଟିମ୍ରେ ଇନ୍ସପେକ୍ଟର ଶୁଭେନ୍ଦୁ ଶବର, ଦେବଦତ୍ତ ମଲ୍ଲିକ, ରାକେଶ ବେହେରା, ରାଧାକାନ୍ତ ବାରିକ, ନୀଲିମା ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.