୧୨ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବର୍ଷା ପ୍ରକୋପ ମଙ୍ଗଳବାର ମଧ୍ୟ ରହିବ । ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ହୋଇପାରେ । ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାରଠାରୁ ବର୍ଷା ପରିମାଣ କ୍ରମଶଃ କମିପାରେ ।
ପାଣିପାଗ ବିଭାଗ କହିଛି, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା-ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ବର୍ଷା ପରିମାଣ ୬୦ ମିଲିମିଟରରୁ ଅଧିକ ରହିପାରେ । କେତେକ ଜାଗାରେ ୧୧୫ ମିମି ଟପିପାରେ ବର୍ଷା ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଲଘୁଚାପ ସାମାନ୍ୟ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ (ୱେଲ୍ ମାର୍କଡ) ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅଛି । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଅବପାତ (ଡିପ୍ରେସନ୍) ରୂପ ନେଇପାରେ । ମାତ୍ର ଲଘୁଚାପ ସେତେ ଶକ୍ତିଶାଳୀ ନଥିବାରୁ ଅବପାତ ହେବା ନେଇ ସନ୍ଦେହ ବି ରହିଛି । ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ଆଉ ପ୍ରାୟ ୨୪ ଘଣ୍ଟା ରହିବ । ମଙ୍ଗଳବାର ଅନେକ ଜାଗାରେ ବର୍ଷା ହେବ । ତେବେ ପୂର୍ବାପେକ୍ଷା ବର୍ଷା ତୀବ୍ରତା କମିପାରେ । ବୁଧବାରଠାରୁ ବର୍ଷା ଆହୁରି କମିଯିବ ।
ରବିବାରରୁ ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ଫୁଲବାଣୀରେ ୧୨୨.୨ ମିଲିମିଟର, ଟିକରପଡ଼ାରେ ୫୬, ଆସିକାରେ ୫୨.୨, ହିନ୍ଦୋଳ ୪୮.୨, କୋମନାରେ ୪୩, ଆଠଗଡ଼ରେ ୪୧, ହରଭଙ୍ଗାରେ ୩୭, ରଣପୁରରେ ୩୩.୪, ନୟାଗଡ଼ରେ ୩୨.୬, ପଦ୍ମପୁର ୩୨.୨, ହିନ୍ଦୋଳରେ ୩୧.୨, ଖରିଆରରେ ୩୧, ପାରାଦୀପରେ ୨୮.୫ ଓ ଭୁବନେଶ୍ୱରରେ ୨୦.୬ ମିମି ବର୍ଷା ହୋଇଛି । ଆଜି ସକାଳରୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଚାନ୍ଦବାଲିରେ ୬୫ ମିମି, ବାଲେଶ୍ୱରରେ ୪୫ ମିମି, କଟକରେ ୨୧.୨, ପାରାଦୀପରେ ୨୨, ହୀରାକୁଦରେ ୧୪, ମାଲକାନଗିରିରେ ୧୪, କେନ୍ଦୁଝରରେ ୧୨, ଭୁବନେଶ୍ୱରରେ ୧୦.୩ ମିମି ବର୍ଷା ହୋଇଛି । ଅନୁଗୁଳ, ବାରିପଦା, ସମ୍ବଲପୁରରେ ହାଲ୍କା ବର୍ଷା ହୋଇଛି ।
ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହୁଛି । ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ପବନ ସମ୍ଭାବନା ଅଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons