
ବାସୁଦେବପୁର,(ବି.ବି.ନୁ୍ୟଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ୨୩ ନମ୍ବର ୱାର୍ଡ ଉଚ୍ଚଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ପରିବାରର ୧୨ ବଖରା ଘର ଜଳିଯାଇଛି । ଜଣେ ଭିନ୍ନକ୍ଷମ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି ।
କ୍ଷତିଗ୍ରସ୍ତ ଘଟିଥିବା ବିପନ୍ନ ପରିବାର ହେଲେ ସୁରେନ୍ଦ୍ର ବାରିକ୍, ନିଶାକର ବାରିକ୍, ଗୌରାଙ୍ଗ ବାରିକ୍ ଓ ନରେନ୍ଦ୍ର ବାରିକ । ମୃତୁ୍ୟ ଘଟିଥିବା ମହିଳା ଜଣକ ହେଉଛନ୍ତି କନକଲତା ବାରିକ୍ । ଗୁରୁବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଖାଇ ପିଇ ଶୋଇଥିଲେ । ରାତି ପ୍ରାୟ ୩ଟା ବେଳେ ସୁରେନ୍ଦ୍ର ବାରିକଙ୍କ ଘର ପୂର୍ବ ପାଖରେ ନିଅାଁ ଜଳି ମଥାନ ଛୁଇଁଥିଲା । ଚାହୁଁ ଚାହୁଁ ୪ ପରିବାରର ୧୨ ବଖରା ପାଉଁଶ ହୋଇଯାଇଥିଲା । ପଡେ଼ାଶୀ ବାହାରକୁ ଉଠିଥିବା ବେଳେ ନିଅାଁକୁ ଦେଖି ଡାକ ପକାଇବା ସହିତ ପରିବାରର ସମସ୍ତଙ୍କୁ ଡାକ ପକାଇଥିଲେ । ଡାକ ଶୁଣି ପରିବାର ଲୋକେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ । ହେଲେ ସୁରେନ୍ଦ୍ରଙ୍କ ଭଉଣୀ କନକ ଲତା ବାରିକ୍ ଜଣେ ମାନସିକ ଅନଗ୍ରସର ମହିଳା ହୋଇଥିବାରୁ ସେ ପ୍ରତିଦିନ ଘରର ମାଟୁ ଉପରେ ଶୋଇଥାଆନ୍ତି । ତେଣୁ ନିଅାଁ ଜଳୁଥିବା ଦେଖି କନକ ମଧ୍ୟ ତଳକୁ ଆସିପାରି ନ ଥିଲେ । ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇ ଥିଲା । ସ୍ଥାନୀୟ ଲୋକେ ବାସୁଦେବପୁର ଦମକଳବାହିନୀକୁ ଖବର କରିଥିଲେ । ହେଲେ ବାସୁଦେବପୁର ଦମକଳବାହିନୀ ଅନ୍ୟତ୍ର ନିଅାଁ ଲିଭାଇବାକୁ ଯାଇଥିବାରୁ ସୋର ଦମକଳବାହିନୀ ନିଅାଁ ଲିଭାଇବା ପାଇଁ ପହଞ୍ଚିଥିଲା । ସୋର ଦମକଳ ପହଞ୍ଚି ନିଅାଁକୁ ଆୟତ କରିବା ବେଳକୁ ଘର ସମେତ ମହିଳା ଜଳି ଯାଇଥିଲେ । ଦମକଳ ବାହିନୀ ମୃତ କନକଙ୍କ ଶବକୁ ମାଟୁ ଉପରୁ ଉଦ୍ଧାର କରିବା ସହିତ ନିଅାଁକୁ ଆୟତ କରିଥିଲେ । ଏହି ନିଅାଁରେ ଏହି ୪ ପରିବାରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହିତ ପଲିଥିନ୍ ଦେଇଛନ୍ତି । ବିଜେପି ନେତା ମାଧବାନନ୍ଦ ମଲ୍ଲିକ ବିପନ୍ନ୍ନଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।


Comments are closed, but trackbacks and pingbacks are open.