୧୨ ଶହଙ୍କ ବିରୋଧରେ ମାମଲା, ୨୪ ଜେଲ୍ ଗଲେ

Get real time updates directly on you device, subscribe now.

ରାଜକନିକା,(ଦିଲିପ କୁମାର ରାଉତଙ୍କଠାରୁ): ଖରସ୍ରୋତା ପାଣି ବିବାଦ କ୍ରମେ ଜଟିଳ ରୂପ ନେଉଛି । ଗତକାଲି ଆନ୍ଦୋଳନକାରୀମାନେ ୧୪୪ ଧାରା ଭାଙ୍ଗି ପ୍ରକଳ୍ପ ସ୍ଥଳରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ଆଜି ପୁଲିସ-ପ୍ରଶାସନ ଆଭିମୁଖ୍ୟ କଠୋର କରି, ପାଲଟା କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଛି । ଭଙ୍ଗାରୁଜା ଘଟଣାରେ ପ୍ରାୟ ୧୨ ଶହ ଲୋକଙ୍କ ବିରୋଧରେ ପୁଲିସ ବିଭିନ୍ନ ସଂଗିନ୍ ଦଫାରେ ମାମଲା ରୁଜୁ କରିଛି । ଗୁରୁବାର ରାତିରୁ ଶୁକ୍ରବାର ମଧ୍ୟାହ୍ନ ଭିତରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇ ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ଆଜି ଜେଲ୍ ପଠାଇ ଦିଆଯାଇଛି ।
ଖରସ୍ରୋତାରୁ ପାଣି ନ ଦେବାକୁ ଶପଥ କରିଥିବା ସ୍ଥାନୀୟ ବାସିନ୍ଦାମାନେ ଗତକାଲି ସଂଘବଦ୍ଧ ହୋଇ ପୁଲିସ କର୍ଡନ ଓ ବ୍ୟାରିକେଡ୍ ଭାଙ୍ଗି ନିର୍ମାଣାଧୀନ ପ୍ରକଳ୍ପ ସ୍ଥଳରେ ପହଞ୍ôଚ ପୋକ୍‌ଲିନ୍‌, କଣ୍ଟେନର, ତେଲ ଟ୍ୟାଙ୍କର୍ ଭଳି ଗାଡ଼ି, ଯନ୍ତ୍ରପାତି ଆଦି ଭଙ୍ଗାରୁଜା କରିଥିଲେ । ପୁଲିସ ସେମାନଙ୍କୁ ବାଧା ଦେଇଥିଲେ ମଧ୍ୟ ଦେଢ ହଜାରରୁ ଅଧିକ ଲୋକଙ୍କ ଆଗରେ ପୁଲିସ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ି ଶେଷକୁ ହାତ ଟେକି ଦେଇଥିଲା । ଗଣ୍ଡଗୋଳ ଥମିବା ପରେ ପୁଲିସ କିନ୍ତୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପାଖାପାଖି ୧୨ ଶହ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ଦାଏର କରି ଚଢ଼ଉ କରିଥିଲା । ୨୪ ଜଣଙ୍କୁ ଗିରଫ କରି ଆଜି ଆଳି କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି । ଅନ୍ୟ ପ୍ରମୁଖ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ଲାଗି ପୁଲିସ ଆଜି ବି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଜଳ ଯୋଗାଣ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ବରୁଣାଡିହା ମୌଜାର ଗଡ଼ଗଡ଼ି ନଦୀପଠାରେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରି ଗତକାଲି ଖରସ୍ରୋତା ସଂଗ୍ରାମ ସମିତିର ସଦସ୍ୟଙ୍କ ସହିତ ସ୍ଥାନୀୟ ଅଞ୍ଚଳର ହଜାର ହଜାର ପୁରୁଷ, ମହିଳା, ଯୁବକ ଓ ଛୋଟ ଛୋଟ ପିଲା ପ୍ରକଳ୍ପ ସ୍ଥଳରେ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ପୁଲିସ ରୋକିବା ପାଇଁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧସ୍ତାଧସ୍ତି ହୋଇଥିଲା । ଗଣ୍ଡଗୋଳ ପରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଏସ୍‌ପି ମଦକର ସନ୍ଦିପ ସମ୍ପଦ ପ୍ରମୁଖ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ଗତକାଲି ସଂଧ୍ୟାରେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଓ ପ୍ରଶାସକ ଆଳି ବ୍ଲକ ପରିସରରେ ଏକ ବୈଠକରେ ଯୋଗ ଦେଇଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ମଧ୍ୟରାତ୍ରରୁ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଚଢ଼ଉ କରିଥିଲା ।
ପୁଲିସ ପକ୍ଷରୁ କରାଯାଉଥିବା ଚଢ଼ଉ ଓ ଖାନତଲାସିକୁ ଚାଲେଞ୍ଜ୍ କରି ସଂଗ୍ରାମ ସମିତି ଆସନ୍ତାକାଲି ଜେଲ୍‌ଭରୋ ଆନ୍ଦୋଳନ କରିବାକୁ ଡାକରା ଦେଇଥିବା ଜଣାପଡ଼ିଛି । ତେବେ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଥିବାରୁ ସଂଗ୍ରାମ ସମିତିର କିଛି ଛାମୁଆ ସଦସ୍ୟ ଆତ୍ମଗୋପନ କରିଥିବା ଖବର ମିଳିଛି । ତେଣୁ କେବେ ଓ କେଉଁଠି ଜେଲ୍‌ଭରୋ ଆନ୍ଦୋଳନ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏମିତିକି ଏ ସଂପର୍କରେ ସମିତି ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଦେବାକୁ ଭିତିରି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।
ଗାଁ ଗାଁରେ ଗିରଫଦାରିର ଭୟ ଲାଗି ରହିଥିବା ବେଳେ ଭାଙ୍ଗିଯାଇଥିବା ପ୍ରକଳ୍ପ ସ୍ଥଳକୁ କଂପାନୀ ପୁଣି ସଜାଡ଼ିବା ଆରମ୍ଭ କରିଛି । ରାଜକନିକା ବ୍ଲକ୍ ପ୍ରଶାସନ କାଟଣା ଓ ବଜରପୁରର ଥିବା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳକୁ ଦେଇଥିବା ହାଇମାଷ୍ଟ ଲାଇଟ୍‌କୁ ବ୍ଲକ୍ କାର୍ଯ୍ୟାଳୟକୁ ଫେରାଇ ନେଇଥିବାରୁ ଏହାକୁ କ୍ଷତିଗ୍ରସ୍ତ ପ୍ରକଳ୍ପ ସ୍ଥଳରେ ଲଗାଯିବ ବୋଲି ଆଶ୍ରୟସ୍ଥଳ ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି । ପ୍ରକଳ୍ପ କାମ କରୁଥିବା ମେଗା ଇଂଜିନିୟରିଂ କଂପାନୀ ପକ୍ଷରୁ ଦାଏର ମାମଲା (କେସ୍ ନଂ. ୪୯୮/୨୧)ରେ ୧୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ, ଏଥିରେ ଅନ୍ୟ ୧୦୬୦ ଜଣ ଅଭିଯୁକ୍ତ ରହିଛନ୍ତି । ସେହିଭଳି ଅନ୍ୟ ଏକ ମାମଲା (କେସ୍ ନଂ. ୪୯୯/୨୧)ରେ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ଆଉ ୫୫୦ ଜଣ ଛନ୍ଦି ହୋଇ ରହିଛନ୍ତି । ପୁଲିସ ଆନ୍ଦୋଳନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ୧୭ଟି ଦଫା ଯଥା-୧୪୭(ଦଙ୍ଗା), ୧୪୮(ଅସ୍ତ୍ରଶସ୍ତ୍ର ଧରି ଦଙ୍ଗା କରିବା), ୩୪୧(ଅନ୍ୟାୟ ଭାବେ ରୋକିବା),୩୨୩ (ଜାଣିଶୁଣି ଆଘାତ ଦେବା), ୪୨୭(ଆର୍ଥିକ କ୍ଷତି କରିବା), ୩୫୩(କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ), ୨୯୪(ଅଶ୍ଳୀଳ ବ୍ୟବହାର), ୩୦୭(ହତ୍ୟା ଉଦ୍ୟମ ବା ମରଣାନ୍ତକ ଆକ୍ରମଣ), ୩୩୬(ଜୀବନ ପ୍ରତି ବିପଦ ସୃଷ୍ଟି କରିବା), ୩୩୭(ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି କରିବା), ୩୩୨(ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା), ୩୩୩(ଜାଣିଶୁଣି କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା), ୪୩୬(ଜୀବନ ପ୍ରତି ଆଘାତ ଆଣିବା), ୫୧୧(ଅଳଙ୍କାର ଚୋରି କରିବା), ୧୪୯(ଜନସାଧାରଣଙ୍କୁ ହିଂସା ପାଇଁ ଉସ୍‌କାଇବା)ରେ ମାମଲା ରୁଜୁ କରିଥିବା ବେଳେ ସବୁଗୁଡ଼ିକ ଜାମିନ୍ ବିହୀନ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons