
ଶେରଗଡ଼,(ବି.ବି.ନୁ୍ୟଜ): ଚାହୁଁ ଚାହୁଁ ଜଳିଗଲା ୧୩ ବଖରା ଘର । କୁଟା ଖଣ୍ଡେ ବି ଉଦ୍ଧାର କରିପାରିଲେନି । ଆଖି ଆଗରେ ସବୁକିଛି ପୋଡ଼ି ପାଉଁଶ ହୋଇଗଲା । ଖାଲି ସେତିକି ନୁହେଁ ୯୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଲାଉଗୁଡ଼ା ଗ୍ରାମରେ । ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚି ବିପନ୍ନ ପରିବାରଙ୍କୁ ଭେଟି ସମସ୍ତ ସୁବିଧା ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ମଧ୍ୟାହ୍ନ ପ୍ରାୟ ୧୨ଟା । ଲାଉଗୁଡ଼ା ଗ୍ରାମ ଏକ ସାହିରେ ଅଗ୍ନିକାଣ୍ଡ ଘଟିଥିଲା । ଗୋଟିଏ ପରେ ଗୋଟିଏ ଘରକୁ ନିଅାଁ ବ୍ୟାପିବାକୁ ଲାଗିଲା । ଗ୍ରାମବାସୀ ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଜୀବନ ବଞ୍ଚାଇବାକୁ ଘରୁ ସମସ୍ତ ଲୋକ ବାହାରକୁ ଚାଲି ଆସିଥିଲେ । ନିଅାଁର ପ୍ରକୋପ ଏତେ ଜୋର ରହିଥିଲା ଯେ କିଛି ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଆସବାପତ୍ର ଠାରୁ ଘରେ ଥିବା ଧାନ, ଚାଉଳ, ବାସନକୁସନ, ଜରୁରୀ କାଗଜପତ୍ର, ବହି, ଅଳଙ୍କାର, ଲୁଗାପଟା ଆଦି କିଛି ଉଦ୍ଧାର ହୋଇପାରିଲା ନାହିଁ । ବିଶେଷ କରି ଗୁହାଳରେ ବନ୍ଧା ହୋଇଥିବା ଛେଳିମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଶେରଗଡ଼ ଦମକଳ ବାହିନୀ ଦୁଇ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅାଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି ।
୧୩ଟି ପରିବାର ୧୩ ବଖରା ପୋଡ଼ି ଯାଇଛି । ବିପନ୍ନମାନେ ହେଲେ ବିପ୍ର ଗୌଡ଼, ହୀନ ଗୌଡ଼, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାସ ଗୌଡ଼, ଚିଞ୍ଚେଇ ଗୌଡ଼, କବିତା ଗୌଡ଼, ଟିନା ଗୌଡ଼, ପାଣ୍ଡବ ଗୌଡ଼, ପାଣି ଗୌଡ଼, ରାଜୁ ଗୌଡ଼ । ସେହିପରି ରାଜୁଙ୍କ ୪୦ଟି, ଚିଞ୍ଚେଇଙ୍କ ୨୫ ଓ ପାଣଙ୍କ ୨୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସରପଞ୍ଚ ସୁଦର୍ଶନ ନାୟକ, କୃଷି ଗ୍ରାମସେବକ ଅରୁଣ ପ୍ରଧା. ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ଲାଉଗୁଡ଼ା ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।
ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବିପନ୍ନ ପରିବାରକୁ ଭେଟିଛନ୍ତି । କ୍ଷତିଗ୍ରସ୍ତ ୧୩ଟି ପରିବାର ୩୬ ଜଣ ସଦସ୍ୟଙ୍କୁ ସ୍କୁଲ ଘରେ ଥଇଥାନ କରାଯାଇଛି । ଦୁଇ ଦିନ ପାଇଁ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଛି । ଏଥିସହ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ବିପନ୍ନ ପରିବାରକୁ ସହାୟତା ରାଶି ଦିଆଯାଇଛି । ସେହିପରି ଘର ଏବଂ ଗୁହାଳ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ବିପନ୍ନ ପରିବାରଙ୍କ କ୍ଷୟକ୍ଷତି ଆକଳନ କରାଯାଇ ନିୟମ ଅନୁଯାୟୀ ବାସନକୁସନ ଆଦି ଯୋଗାଇ ଦେବାକୁ ତହସିଲଦାରଙ୍କୁ ଜିଲ୍ଲାପାଳ କହିଛନ୍ତି ।


Comments are closed, but trackbacks and pingbacks are open.