ଜଟଣୀ, (ବି.ବି.ନୁ୍ୟଜ୍): ଜଟଣୀ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଆସନ୍ତା ୧୪ ତାରିଖ ରାତିରେ ଜମିବ । ସେହିଦିନ ମଧ୍ୟ ରାତ୍ରରେ ମେଳଣର ସ୍ଥାନପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରି ବାଟରୁ ମଠ ଠାକୁର ଶ୍ରୀ ଗୋପାଲଜୀ ଦେବ ଓ ଶ୍ରୀ ବାଳ ମୁକୁନ୍ଦ ଦେବଙ୍କୁ ସଙ୍ଗରେ ନେଇ ବାଣ ବାଜା ରୋଷଣୀ, ନାଗାନୃତ୍ୟ, ଘୋଡ଼ାନୃତ୍ୟ, ରାଜାରାଣୀ ନୃତ୍ୟ, ପାଇକନୃତ୍ୟ ପ୍ରଭୃତି ପଟୁଆରରେ ମେଳଣ ପଡିଆ ଅଭିମୁଖେ ଯାତ୍ରା କରିବେ । ଏହି ଜମିଲା ରାତି ଅବସରରେ ମୁଖ୍ୟ ଆକର୍ଷଣ ସାଜିବ ଆତସବାଜି ପ୍ରତିଯୋଗିତା । ଏହା ଓଡ଼ିଶାର ସବୁଠୁ ବଡ଼ ଆତସବାଜି ପ୍ରତିଯୋଗିତା ବୋଲି ମଧ୍ୟ କୁହାଯାଏ ।
ଭୋରୁଭୋରୁ ମେଳଣ ପଡିଆସ୍ଥିତ ସ୍ଥାନପତିଙ୍କ ପାଇଁ ଥିବା ସ୍ୱତନ୍ତ୍ର ଆସ୍ଥାନରେ ପ୍ରଥମେ ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଖୁଣ୍ଟ ଲାଗି ହେବା ପରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ୭୬ ଠାକୁର ନିଜନିଜ ଆସନରେ ଖୁଣ୍ଟ ଲାଗି ହେବାର ପରମ୍ପରା ରହିଛି । ମେଳଣ ପଡ଼ିଆରେ ମେଳଣର ସ୍ଥାନପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସହ ଖୁଣ୍ଟ ଲାଗି ହୋଇଥିବା ୭୬ ଠାକୁର ମାର୍ଚ୍ଚ ୧୫ ଓ ୧୬ ଦିନ ରାତି ଓ ମାର୍ଚ୍ଚ ୧୭ତାରିଖ ସୁର୍ଯ୍ୟାସ୍ତ ପୂର୍ବ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତମାନେ ଏହି ୭୬ ଠାକୁରମାନଙ୍କ ଉପରେ ଅବିର ସିଞ୍ଚନ କରିବାର ପରମ୍ପରା ରହିଛି ।
୧୭ ତାରିଖ ଗୋଧୂଳି ଲଗ୍ନରେ ଠାକୁର ମେଳଣ ସମ୍ପୂର୍ଣ୍ଣ ହେବା ପରେ ନିମନ୍ତ୍ରିତ ଠାକୁର ମାନେ ବିମାନରେ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବେ । ମାର୍ଚ୍ଚ ୧୪ ତାରିଖ ଠାକୁର ଜମିଲା ରାତି ଓ ମାର୍ଚ୍ଚ ୧୭ ତାରିଖ ଠାକୁର ମେଳଣ ଦିନ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ । ଏହି ଭିଡ଼କୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଜଟଣୀ ସୀତାରାମ ଛକଠାରୁ କୁଦିଆରୀ ବଜାର ଦେଇ କୁଦିଆରୀ ଗ୍ରାମ ପର୍ଯ୍ୟନ୍ତ ରାସ୍ତାକୁ ଜରୁରୀକାଳିନ ଭିତ୍ତିରେ ମରାମତି କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଷଣ୍ଢଛକ ଠାରୁ ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଚଉଡ଼ା ଓ ମରାମତି କାର୍ଯ୍ୟ ୧୩ ତାରିଖ ମଧ୍ୟରେ ସମାପ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।
Comments are closed, but trackbacks and pingbacks are open.