
ରାୟପୁର: ଛତିଶଗଡ଼ର ବିଜାପୁର-ସୁକାମ ସୀମାରେ ଗତ ଶନିବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଭୟାନକ ସଂଘର୍ଷ ପରେ ୧୪ ଟି ଅତ୍ୟାଧୁନିକ ବନ୍ଧୁକ, ୨ ହଜାରରୁ ଅଧିକ ଗୁଳି ଏବଂ ଯବାନଙ୍କ ଅନେକ ସାଜସରଞ୍ଜାମ ମାଓବାଦୀ ଲୁଟି ନେଇଛନ୍ତି ।
ଆଜି ସିପିଆଇ-ମାଓବାଦୀ ସଙ୍ଗଠନର ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ଦାବି କରିବା ସହ ଲୁଟ୍ ଅସ୍ତ୍ରଶସ୍ତ୍ରର ଫଟୋ ଗଣମାଧ୍ୟମକୁ ପଠାଇଛନ୍ତି ।
ବିକଳ୍ପ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ସିଆରପିଏଫର ନିଖୋଜ କୋବ୍ରା ଯବାନ ରାକେଶ୍ୱର ସିଂ ମନହାସ ସେମାନଙ୍କ କବଜାରେ ବେଶ ସୁରକ୍ଷିତ ଅଛନ୍ତି । ତାଙ୍କର ଦେଖାଶୁଣା କରାଯାଉଛି । ତାଙ୍କୁ ଫେରାଇ ଦେବାରେ ମାଓବାଦୀଙ୍କ ଆପତ୍ତି ନାହିଁ । କିନ୍ତୁ ଏଥିପାଇଁ ସରକାର ଆଲୋଚନାକୁ ଆସନ୍ତୁ ଓ ପ୍ରଥମେ ମଧ୍ୟସ୍ଥିଙ୍କ ନାମ ଘୋଷଣା କରନ୍ତୁ । ଯଦିଓ ପୂର୍ବରୁ ସରକାର ବିଭନ୍ନ ସମୟରେ ମାଓ ସଙ୍ଗଠନ ସହ ଆଲୋଚନା କରି ନିଜ ପ୍ରତିଶ୍ରୁତି ରଖିନାହାନ୍ତି । ତଥାପି ବନ୍ଧକ ଯବାନଙ୍କୁ ମାଓ ସଙ୍ଗଠନ ସୁରକ୍ଷିତ ଫେରାଇଦେବ ବୋଲି ବିକଳ୍ପ କହିଛନ୍ତି ।
ଗୁଳି ବିନିମୟରେ ୪ ଜଣ ସାଥୀ ନିହତ ହୋଇଥିବା ମାଓ ମୁଖପାତ୍ର ସ୍ୱୀକାର କରିଛନ୍ତି । ସେମାନେ ହେଉଛନ୍ତି, ଓଡ଼ି ସନ୍ନି, କୋୱାସୀ ବଦରୁ, ପଦାମ ଲଖମା ଓ ନୁପା ସୁରେଶ । ୩ ଜଣଙ୍କ ମୃତଦେହ ସେମାନେ ନେଇଥିବା ବେଳେ ଓଡ଼ି ସନ୍ନିଙ୍କ ମୃତଦେହ ଯବାନମାନେ ନେଇଯାଇଛନ୍ତି । ଜଙ୍ଗଲ ପାଖ ଜିରାଗୁଡେମ ଗ୍ରାମର ନିରୀହ ଆଦିବାସୀ ମାଡୱୀ ସୁକକାଲଙ୍କୁ ମଧ୍ୟ ଯବାନମାନେ ହତ୍ୟା କରି ତାଙ୍କୁ ମାଓବାଦୀ ଆଖ୍ୟା ଦେଇଥିବା ମୁଖପାତ୍ର ବିକଳ୍ପ ଅଭିଯୋଗ କରିଛନ୍ତି । ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରତର ଆହତ ହୋଇଥିବା ବିକଳ୍ପ ଦାବି କରିଛନ୍ତି । ସହିଦ ଯବାନଙ୍କ ପରିବାର ପ୍ରତି ମାଓବାଦୀ ସଂଗଠନ ସମବେଦନା ଜଣାଇଛି ।
ବିକଳ୍ପ କହିଛନ୍ତି, ପୁଲିସ ସେମାନଙ୍କର ଶତ୍ରୁ ନୁହନ୍ତି । ଅନ୍ୟାୟ ଯୁଦ୍ଧରେ ସେମାନଙ୍କୁ ବଳି ଚଢ଼ାଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ମାଓବାଦୀ ସଂଗଠନ ବିରୋଧ କରୁଛି । ମୋଦି ସରକାରଙ୍କ ଯୋଜନା ଦ୍ୱାରା କେବଳ ଅମ୍ବାନି-ଅଦାନିଙ୍କ ଭଳି ପୁଞ୍ଜିପତି ଲାଭାନ୍ୱିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ, ଶନିବାର ଛତିଶଗଡ଼ର ବିଜାପୁର-ସୁକମା ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଭୟାନକ ଗୁଳି ବିନିମୟ ହୋଇଥିଲା । ମାଓ ନେତା ହିଡମା ନେତୃତ୍ୱରେ ପାଖାପାଖି ୭୦୦ ମାଓବାଦୀ ଯବାନମାନଙ୍କୁ ୩ ପଟୁ ଘେରି ଆଖିବୁଜା ଗୁଳି ବର୍ଷା କରିଥିଲେ । ସଂଘର୍ଷରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି । ଏକ ଡୋ୍ରନ ଭିଡିଓରୁ ସ୍ପଷ୍ଟ ହୋଇଛି ୧୨ରୁ ଅଧିକ ସାଥୀଙ୍କ ମୃତଦେହ ମାଓବାଦୀ ଦୁଇଟି ଟ୍ରାକ୍ଟରରେ ନେଇଛନ୍ତି ।
ସିଆରପିଏଫ ଡିଜି ଆଜି କହିଛନ୍ତି, ଏହି ଘଟଣାରେ କୌଣସି ଗୋଇନ୍ଦା ବିଫଳତା ନଥିଲା । ୭୫୦ରୁ ଅଧିକ ମାଓବାଦୀ ତିନି ପାଶ୍ୱର୍ରୁ ଘେରି ୪୫୦ ଯବାନଙ୍କ ଉପରେ ହମଲା କରିଥିଲେ । ଏହି ଅଞ୍ଚଳ ମାଓବାଦୀଙ୍କ ଅଭେଦ୍ୟଦୁର୍ଗ ଭାବେ ପରିଚିତ । ଏହାସତ୍ତେ୍ୱ ଆମ ଯବାନମାନେ ବୀରତ୍ୱର ସହ ଲଢେ଼ଇ କରି ମୁକାବିଲା କରିବା ସହ ଆହତ ସାଥୀମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
Comments are closed, but trackbacks and pingbacks are open.