କଟକ,(ବି.ବି.ବ୍ୟୁରୋ): ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଜଣେ ଆସାମୀକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଇତିମଧ୍ୟରେ ଆସାମୀ ଗୋପାଳ ମଲ୍ଲିକ ଜେଲ୍ରେ ୧୪ ବର୍ଷ ବନ୍ଦୀ ଜୀବନ କଟାଇ ସାରିଛି । ଯଥେଷ୍ଟ ତଥ୍ୟ, ପ୍ରମାଣ ନଥାଇ ସୁଦ୍ଧା ଗୋପାଳକୁ ନିମ୍ନ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ହାଇକୋର୍ଟର ବିଚାରପତିି ଜଷ୍ଟିସ୍ ଏସ୍.କେ. ମିଶ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି ଆସାମୀକୁ ନିର୍ଦ୍ଦୋଷରେ ଖଲାସ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗରୁ ଜଣାଯାଇଛି, କଟକ ନିକଟରେ ରେଲ୍ୱେ ଟ୍ରାକ୍ ଉପରେ ଜଣେ ୩୦ ବର୍ଷୀୟା ମହିଳାଙ୍କ କଟିଯାଇଥିବା ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ କଟକ ଜିଆର୍ପିର ଏଏସ୍ଆଇ ଆର୍ଯ୍ୟ କୁମାର ସାହୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସେ ତଦନ୍ତରୁ ଜାଣିଥିଲେ ଯେ, ରେଲ୍ୱେ ଟ୍ରାକ୍ ନିକଟରୁ ମାତ୍ର ୧୫୦ ମିଟର ଦୂରରେ ଥିବା ଅରକ୍ଷିତ ମୁଦୁଲିଙ୍କ ଘରେ ରକ୍ତ ପଡିଥିବାର ଚିହ୍ନ ମିଳିଛି । ଏହାପରେ ଅରକ୍ଷିତଙ୍କ ଘରେ ମୃତା ମହିଳା ତାଙ୍କ ସ୍ୱାମୀଙ୍କ ସହ ଭଡ଼ାରେ ରହୁଥିବା ଜାଣିବାକୁ ପାଇଥିଲେ । ଉକ୍ତ ଘର ରକ୍ତରେ ଜୁଡୁବୁଡୁ ହୋଇଯାଇଥିବା ତଦନ୍ତକାରୀ ଅଧିକାରୀ ଦେଖିବାକୁ ପାଇଥିଲେ । ଏହି ସମୟରେ ଆସାମୀ ଗୋପାଳ ମଲ୍ଲିକ ଘରେ ନଥିଲା । ପୂର୍ବ ରାତିରେ ଆସାମୀ କିନ୍ତୁ ତାଙ୍କ ସ୍ତ୍ରୀଙ୍କ ସହିତ ଘରେ ଥିଲା । ଏହି ଆଧାରରେ ଘଟଣାକୁ ଏକ ହତ୍ୟା ମାମଲା ଭାବେ ନିଆଯାଇ ଥାନାରେ ଆସାମୀ ଗୋପାଳ ମଲ୍ଲିକ ନାମରେ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କଟକ ଅତିରିକ୍ତ ସେସନ୍ସ ଜଜ୍, ଫାଷ୍ଟ ଟ୍ରାକ୍-୨ କୋର୍ଟରେ ହୋଇଥିଲା । ଶୁଣାଣି ବେଳେ ପୁଲିସ୍ ପକ୍ଷରୁ ୧୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ୧୪ ଜଣଙ୍କ ମଧ୍ୟରେ ୩ ଜଣ ସାକ୍ଷୀ ଅଦାଲତରେ କହିଥିଲେ, ଆସାମୀ ତା’ର ସ୍ତ୍ରୀକୁ ଯୌତୁକ ପାଇଁ ନିର୍ଯାତନା ଦେଉଥିବାର ସେମାନେ ଜାଣିଛନ୍ତି । ଏହିସବୁ ଦିଗକୁ ବିଚାରକୁ ନେଇ ଫାଷ୍ଟ ଟ୍ରାକ୍ କୋର୍ଟ ଆସାମୀ ଗୋପାଳ ମଲ୍ଲିକ ବିରୋଧରେ ୨୦୦୫ ଜାନୁଆରୀ ୨୮ରେ ରାୟ ଶୁଣାଇଥିଲେ । ଏଥିରେ ଆସାମୀକୁ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୦୨(ହତ୍ୟା)ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏଥିସହ ଯୌତୁକ ନିର୍ଯାତନା ମାମଲାରେ ୩ବର୍ଷ, ପ୍ରମାଣ ନଷ୍ଟ ମାମଲାରେ ୫ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଏହିସବୁ ଦଣ୍ଡାଦେଶକୁ ଅଦାଲତ ଏକକାଳୀନ ଲାଗୁ ହେବ ବୋଲି ଉଲ୍ଲେଖ କରିଥିଲେ ।
ମାନ୍ୟବର ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି, ନିମ୍ନ ଅଦାଲତ ଯେଉଁ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ତ୍ରୁଟିପୂର୍ଣ୍ଣ । କେହି ଜଣେ ବି’ ପ୍ରତ୍ୟକ୍ଷଦର୍ଶୀ ଘଟଣା ଘଟୁଥିବା ସମୟରେ କିମ୍ୱା ଏହାର କିଛି ସମୟ ପୂର୍ବରୁ ଆସାମୀକୁ ତାଙ୍କ ସ୍ତ୍ରୀଙ୍କ ସହିତ ଦେଖିନାହାନ୍ତି । କେବଳ ଆସାମୀର ଘରେ ରକ୍ତ ଛିଟା ଲାଗିଥିବାରୁ ଗୋପାଳ ମଲ୍ଲିକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ । ଏହାକୁ ଏକ ଅନୁମାନ ଭାବେ ଗ୍ରହଣ କରାଯାଇଛି । ତେଣୁ ଆସାମୀ ବିରୋଧରେ ଯେଉଁସବୁ ପ୍ରମାଣ ମିଳିଛି ସେଥିରୁ ତଦନ୍ତ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇ ପାରିବ ନାହିଁ । ଏପରିକି ଯୌତୁକ ନିର୍ଯାତନାକୁ ନେଇ ସେଭଳି କୌଣସି ପ୍ରମାଣ ମଧ୍ୟ ତଦନ୍ତକାରୀ ଅଧିକାରୀ ଦାଖଲ କରିପାରି ନାହାନ୍ତି । ଘଟଣାସ୍ଥଳରୁ ଯେଉଁସବୁ ପ୍ରମାଣ ମିଳୁଛି ତାହାକୁ ଆଧାର କରି ଏହାକୁ ଏକ ପୂର୍ଣ୍ଣକାଳୀନ ତଦନ୍ତ ରିପୋର୍ଟ କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏପରି କ୍ଷେତ୍ରରେ କଟକ ଫାଷ୍ଟଟ୍ରାକ୍ ଅଦାଲତଙ୍କ ରାୟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଅଭିଯୁକ୍ତ ନାମରେ ଏହି ଅଭିଯୋଗ ଛଡ଼ା ଯଦି ଆଉ କୌଣସି ମାମଲା ନଥାଏ ତାହେଲେ ତାଙ୍କୁ ଜେଲ୍ରୁ ମୁକ୍ତ କରାଯିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.