ସମ୍ବଲପୁର,(ବି.ବି.ନ୍ୟୁଜ୍): ଶେଷରେ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ୧୪ ତାରିଖରେ ପୂର୍ବାହ୍ନ ୧୧ଟା ପରେ ଯେ କୌଣସି ସମୟରେ ହୀରାକୁଦ ବନ୍ଧର ଗେଟ୍ ଖୋଲାଯିବ ବୋଲି ଆଜି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ରାତି ୯ଟାରେ ଆଜି ଜଳସ୍ତର ୬୧୨ ଫୁଟ୍ ଅତିକ୍ରମ କରିଛି । ଆସନ୍ତା ୧୪ ତାରିଖ ସୁଦ୍ଧା ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ରୁଲ୍ କର୍ଭ ଅନୁଯାୟୀ, ଜଳସ୍ତରକୁ ରଖିବାକୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଚଳିତବର୍ଷ ସବୁ ରେକର୍ଡ ଭଙ୍ଗ କରି ବିଳମ୍ବ ହୋଇଛି ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ । ଜୁଲାଇ ଶେଷ ସପ୍ତାହରେ ଖୋଲୁଥିବା ଗେଟ୍ ପ୍ରାୟ ୨ ସପ୍ତାହ ବିଳମ୍ବ ହେଲାଣି । ଯେଉଁ ସମୟରେ ଜଳଭଣ୍ଡାରରେ ୬୧୦ରୁ ଉଦ୍ଧ୍ୱର୍ ଫୁଟ୍ ପାଣି ରହିବା କଥା ସେହି ସମୟରେ ଏବର୍ଷ ଜଳଭଣ୍ଡାରରେ ୫୯୮ ଫୁଟ୍ ତଳକୁ ଜଳସ୍ତର ଖସିଯାଇଥିଲା । ଫଳରେ ବନ୍ୟାଜଳ ନିଷ୍କାସନ ତ ଦୂରର କଥା, କେନାଲ ଜଳଯୋଗାଣ ବି ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ୪ ଦିନ ତଳେ ଉପରମୁଣ୍ଡରେ ହୋଇଥିବା ଲଘୁଚାପ ବର୍ଷା ବନ୍ଧ କର୍ତ୍ତୃପକ୍ଷଙ୍କୁ ଆଶ୍ୱସ୍ତ କରିଛି ।
ଉପରମୁଣ୍ଡରୁ ଗୁରୁବାର ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବା ପରେ ତାହା ୬୦୭ ଫୁଟ୍ ଅତିକ୍ରମ କରିଯାଇଥିଲା । ଆଉ ଆଜି ସକାଳ ୧୦ଟା ସୁଦ୍ଧା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ରାତି ୯ଟା ସୁଦ୍ଧା ୧ ଲକ୍ଷ ୮୨ ହଜାର ୮୧୫ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଫଳରେ ଜଳସ୍ତର ୬୧୨.୪୩ କ୍ୟୁସେକ୍ରେ ପହଞ୍ଚିଛି । ଏହି ଦୃଷ୍ଟିରୁ ଆସନ୍ତା ୧୪ ତାରିଖରେ ବନ୍ଧର ଗେଟ୍ ଖୋଲିବାକୁ କର୍ତ୍ତୃପକ୍ଷ ଆଜି ସକାଳେ ଘୋଷଣା କରିଥିଲେ । ଘୋଷଣା ମୁତାବକ, ଆସନ୍ତା ୧୪ ତାରିଖ ସକାଳ ୧୧ଟା ପରେ ଯେ କୌଣସି ସମୟରେ ବନ୍ଧର ହୀରାକୁଦ ପଟର ଗେଟ୍ ଖୋଲାଯିବ । ଏଥିପାଇଁ ହୀରାକୁଦ ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବାରୁ ଥିବାରୁ ସମ୍ବଲପୁର ସମେତ ତଳମୁଣ୍ଡର ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ନଦୀ ଗର୍ଭକୁ ଏହି ସମୟରେ ନ ଯିବା ପାଇଁ ସତର୍କ କରାଯାଇଛି । ତେବେ, ଗେଟ୍ ଖୋଲିବାର ଯଥେଷ୍ଟ ଆଗରୁ ସାଇରନ୍ ବାଜିବ ବୋଲି ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.