କୋରାପୁଟ,(ବି.ବି.ନୁ୍ୟଜ୍): ଆସନ୍ତାମାସ ୧୫ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଖରିଫ ମଣ୍ଡି । ମୋଟ ୯୧ଟି ମଣ୍ଡିରେ କିଣାଯିବା ଧାନ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୧୩ ଲକ୍ଷ ୫୩ ହଜାର କୁଇଣ୍ଟାଲ ଧାନ କିଣାଯିବ । ଏଥିଲାଗି ୨୦ଟି ଲ୍ୟାମ୍ପ୍ସ ଏବଂ ୧୪ଟି ସ୍ୱୟଂ ସହାୟିକା ଗୋÂୀକୁ ଦାୟିତ୍ୱ ଦିଆଯାଇଛି । ଧାନ କୁଇଣ୍ଟାଲ ପିଛା ୧୮୧୫ ଟଙ୍କାରେ କିଣାଯିବ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ । ଛୋଟ ମଣ୍ଡିରେ ଦିନକୁ ୧ ହଜାର କୁଇଣ୍ଟାଲ ଏବଂ ବଡ଼ ମଣ୍ଡିରେ ୨ ହଜାର କୁଇଣ୍ଟାଲ ଧାନ କିଣାଯିବ । ଡିସେମ୍ବର ମାସରେ ଟାର୍ଗେଟ ବଢ଼ାଯାଇ ଦୈନିକ ୫ ହଜାର କୁଇଣ୍ଟାଲ ଧାନ କିଣାଯିବ । ଜଣେ ଚାଷୀ ଥରକୁ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିପାରିବ । ଜିଲ୍ଲାର ୯୧ଟି ମଣ୍ଡି ମଧ୍ୟରୁ କୋରାପୁଟ ସବ୍ଡିଭିଜନରେ ୨୬ଟି ଏବଂ ଜୟପୁର ସବଡ଼ିଭିଜନରେ ୬୫ଟି ମଣ୍ଡି ଖୋଲିବ । ମଣ୍ଡିରୁ ମିଲ୍କୁ ଧାନ ପରିବହନ କରିବେ ତୃତୀୟ ପାର୍ଟି । ମିଲର୍ସ କିମ୍ବା ଚାଷୀ ମଣ୍ଡିରୁ ମିଲ୍କୁ ଧାନ ପରିବହନ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ମଣ୍ଡିରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ବିଗିଡିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ଜିଲ୍ଲାରେ ଧାନମଣ୍ଡି ଲାଗି ଭିତ୍ତିଭୂମିର ଘୋର ଅଭାବ ରହିଛି । କେଉଁଠି ଶ୍ମଶାନ ତ ଆଉ କେଉଁଠି ସ୍କୁଲ, ଅଙ୍ଗନବାଡ଼ି ଏବଂ ମନ୍ଦିର ସମ୍ମୁଖରେ ଖୋଲାଯାଉଛି । ଆଜି ଏଠାରେ ବସିଥିବା ମଣ୍ଡି ବୈଠକରେ ଏହାକୁ ନେଇ ଖୁବ୍ ବର୍ଷିଛନ୍ତି ବିଧାୟକ ତାରାଙ୍କ ସମେତ ଚାଷୀନେତା ନରେନ୍ଦ୍ର ପ୍ରଧାନ । କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ମଣ୍ଡିରେ କଟ୍ନି ଛଟ୍ନି କରାଯାଉଛି । ପଞ୍ଜିକୃତ ଚାଷୀଙ୍କୁ ଆବଶ୍ୟକ ପରିମାଣ ଧାନ ବିକ୍ରି ଲାଗି ଟୋକନ ମିଳୁନି । ଏଫ୍ଏକୁ୍ୟ ନାଁରେ ସବୁବେଳେ ହଇରାଣ କରାଯାଉଛି । ଏଭଳି ସମସ୍ୟା ପାଇଁ ଅନେକ କ୍ଷୁଦ୍ର ଚାଷୀ ନିଜ ଉତ୍ପାଦିତ ଧାନକୁ ମଣ୍ଡିରେ ବିକି ନପାରି ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଗତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାନ ମଣ୍ଡି ବନ୍ଦ କରିଦିଆଯିବାରୁ କୋଟପାଡ଼ର ଚାଷୀମାନେ ନାନା ସମସ୍ୟା ଭୋଗିଥିଲେ । ମଣ୍ଡିଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଧାନ ଘୋଡ଼ାଇ ରଖିବା ଲାଗି ପଲିଥିନ୍ ବି ରହୁନି । ଚାଷୀମାନେ ଧାନ ବିକ୍ରି ପାଇଁ ରାତିଦିନ ମଣ୍ଡିରେ ଖୋଲା ଆକାଶତଳେ ଶୀତ କାକରରେ ପଡ଼ି ରହୁଛନ୍ତି । ଧାନର ସୁରକ୍ଷା ପାଇଁ ବି କୌଣସି ବ୍ୟବସ୍ଥା କରାଯାଉନି । ଆଗକୁ ଏସବୁ ସମସ୍ୟା ପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତିି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ମଣ୍ଡିକୁ ଧାନ ଆସିବା ପରେ ତାହାର ସୁରକ୍ଷା ଦାୟିତ୍ୱ ପ୍ରଶାସନର । ଆରଏମ୍ସି ମଣ୍ଡିରୁ କୋଟି କୋଟି ଟଙ୍କା ବର୍ଷକୁ ଆଦାୟ କରୁଛି । ଏହି ଅର୍ଥରେ ମଣ୍ଡି ଭିତ୍ତିଭୂମି ବିକାଶ କରାଯିବା ପରିବର୍ତ୍ତେ ଟଙ୍କା ବ୍ୟାଙ୍କରେ ଜମାରଖୁଛି । ଚାଷୀଙ୍କୁ ସାଧାରଣ ସୁବିଧା ଯୋଗାଉ ନାହିଁ । ପ୍ରଶାସନ ମଣ୍ଡିର ବିକାଶ ପାଇଁ କ’ଣ କରିଛି ତାହାର ହିସାବ ରଖିବାକୁ ସେ ଦାବି କରିଥିଲେ । ଅଧିକାରୀମାନେ କିନ୍ତୁ ଏ ଦିଗରେ କେଣସି ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ । ତେବେ ଏଥର ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ଲାଗି ବ୍ୟାପକ ପଲଥିନ ବ୍ୟବସ୍ଥା କରାଯିବ । ଚାଷୀମାନଙ୍କ ଲାଗି ମଣ୍ଡିରେ ସ୍ୱତନ୍ତ୍ର ସେଡ୍ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉକି, ଗତବର୍ଷ ୩୩ ହଜାର ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀରକରଣ କରିଥିଲେ । ଚଳିତବର୍ଷ ଖରିଫରେ ୨୬ ହଜାର ୮୩୦ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଏଥର ଆଧାର ଲିଙ୍କ୍ ଏବଂ ଡଙ୍ଗର ଜମିରେ ଧାନ ଚାଷ ସମ୍ପର୍କରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବାରୁ ବହୁ ଅଯୋଗ୍ୟ ଚାଷୀ ନାମ ପଞ୍ଜୀକରଣରୁ ଦୂରେଇ ରହିଛନ୍ତି । ଏଥିଲାଗି ଏବର୍ଷ ଚାଷୀ ପଞ୍ଜୀକରଣ ସଂଖ୍ୟା କମିଥିବା ଜିଲ୍ଲା ଯୋଗଣ ବିଭାଗ ଅଧିକାରୀ ତୁଳାରାମ ନାୟକ କହିଛନ୍ତି । ଏହି ବୈଠକରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ବିଧାୟକ ପ୍ରତିନିଧି ସୁରେଶ ପଟ୍ଟନାୟକ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବହେରାଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର ବଜାର ନିରୀକ୍ଷକମାନେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.