ବାଲେଶ୍ୱର: ବାଲେଶ୍ୱର ଓ ଜଳେଶ୍ୱର ଅଞ୍ଚଳରେ ମଙ୍ଗଳବାର ପୁଲିସ ଚଢ଼ଉ କରି ବ୍ୟାପକ ପରିମାଣର ବ୍ରାଉନସୁଗର ଜବତ କରିଛି । ବାଲେଶ୍ୱର ସହଦେବଖୁଣ୍ଟା ଆଦର୍ଶ ଥାନା ପୁଲିସ ମଙ୍ଗଳବାର ଚଢ଼ଉ କରି ପ୍ରାୟ ୧୦୧ ଗ୍ରାମରୁ ଅଧିକ ବ୍ରାଉନ୍ସୁଗର ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଜଡ଼ିତ ଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାର ମସ୍ଜିଦ ଲେନ୍ର ସେକ୍ ରିଜାବୁଲର ପୁଅ ସେକ୍ କାଲୁ(୨୭), ଜଗତସିଂପୁର ଜିଲ୍ଲା ଗୌଡୁଣୀ ପଡ଼ିଆ ପଦ୍ମପୁର ଅଞ୍ଚଳର ଭୁବନାନନ୍ଦ ମଲ୍ଲିକଙ୍କ ପୁଅ ପ୍ରତାପ(୩୨) ଓ କଟକ ନିଆଳି ଥାନା ଅଧୀନ ବରିସନ ଅଞ୍ଚଳର ଯୋଗେନ୍ଦ୍ର ମଲ୍ଲିକଙ୍କ ପୁଅ ସୌମ୍ୟରଞ୍ଜନ(୧୯) ।
ସେହିପରି ଜଳେଶ୍ୱର ସହର ୫ ନଂ. ୱାର୍ଡ ପଥରପୁରା ଅଞ୍ଚଳରେ ମଙ୍ଗଳବାର ପୁଲିସ ଚଢ଼ଉ କରି ଜଣେ ବ୍ରାଉନ୍ସୁଗର ବେପାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ଏସ୍କେ ଅସମତ୍ଙ୍କ ପୁଅ ଏସ୍କେ ୟାକୁବ୍ । ତା’ଠାରୁ ୫୦ ଗ୍ରାମରୁ ଅଧିକ ବ୍ରାଉନ୍ସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ଖବରରୁ ପ୍ରକାଶ, ବାଲେଶ୍ୱର ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଏତିକି ବେଳେ ପ୍ରତାପ ଓ ସୌମ୍ୟରଞ୍ଜନ ବ୍ରାଉନ୍ସୁଗର କିଣିବାକୁ ବାଇକ୍(ଓଡି-୦୨-ବିଆର-୬୨୨୫) ଯୋଗେ କଟକରୁ ବାଲେଶ୍ୱର ଆସିଥିଲେ । ସେମାନେ ଅରଡ଼ବଜାର ସେକ୍ କାଲୁ ପାଖରୁ ବ୍ରାଉନ୍ସୁଗର କିଣି ପୁଣି ଫେରିଥା’ନ୍ତେ । ସେଥିପାଇଁ ସେମାନେ ମଙ୍ଗଳବାର ପୂର୍ବାହ୍ନରେ ହରିପୁର ଛକ ନିକଟରେ ବ୍ରାଉନ୍ସୁଗର କାରବାର କରୁଥିବା ବେଳେ ସହଦେବଖୁଣ୍ଟା ପୁଲିସ ହାବୁଡ଼ରେ ପଡ଼ିଥିଲେ । ପୁଲିସ୍ ସେମାନଙ୍କୁ ଗିରଫ କରିବା ସହ ୧୦୧ ଗ୍ରାମ ବ୍ରାଉନ୍ସୁଗର ଜବତ କରିଥିଲା । ଏଥିସହ ସେମାନଙ୍କଠାରୁ ଏକ କେଟିଏମ୍ ଡୁ୍ୟକ ବାଇକ୍, ନଗଦ ୨୩ ହଜାର ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା । ଏନେଇ ସହଦେବଖୁଣ୍ଟା ଥାନାରେ କେସ୍ ନଂ. ୧୯୨/୨୧ରେ ଏକ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉ ଏସ୍ଆଇ ବିରଞ୍ଚି ସାହୁଙ୍କ ନେତୃତ୍ୱରେ କରାଯାଇଥିବା ବେଳେ ଏହି ମାମଲାରେ ଏସ. ମହାଳିକ ଆଇଓ ଅଛନ୍ତି ।
ଅନୁରୂପ ଭାବେ ମଙ୍ଗଳବାର ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର ସଦଳବଳ ପଥରପୁରା ଗ୍ରାମରେ ଚଢ଼ଉ କରିଥିଲେ । ଏତିକିବେଳେ ଏସ୍କେ ୟାକୁବ୍ ଘରୁ ୫୦ ଗ୍ରାମ ବ୍ରାଉନ୍ସୁଗର ସହିତ ଏକ ବାଇକ୍ (ଓଡି୦୧ଏଏଚ-୪୯୫୧)କୁ ସେ ଜବତ କରିଥିଲେ । ଚଢ଼ଉରେ ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ସମେତ ଆଇଆଇସି ପର୍ଶୁରାମ ସାହୁ, ଏସ୍ଆଇ ଦିଲ୍ଲୀପ ସାମଲ, ଏସ୍ଆଇ ସତ୍ୟନାରାୟଣ ବଳ, ହାବିଲଦାର ସନ୍ତୋଷ ରାଉତ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.