୧୬୭ ଜିଲ୍ଲାରେ ପଜିଟିଭିଟି ହାର ୫% ଅଧିକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାତ୍ରା ହ୍ରାସ ପାଇବା ସହ ଦ୍ୱିତୀୟ ଲହର ଫିକା ପଡିଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ବି ଦେଶର ୧୬୭ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ୫% ଉପରେ ରହିଛି । ଅର୍ଥାତ୍ ୧୬୭ ଜିଲ୍ଲାରେ ୧୦୦ଟି ନମୁନା ପରୀକ୍ଷା କରାଗଲେ ସେଥିରୁ ଅତିକମ୍ରେ ୫ଟି ନମୁନା ପଜିଟିଭ ଚିହ୍ନଟ ହେଉଛି । ୭୫ଟି ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହୁଛି । ୯୨ଟି ଜିଲ୍ଲାରେ ପଜିଟିଭିଟି ହାର ୫ରୁ ୧୦% ମଧ୍ୟରେ ରହୁଛି । ତେବେ ଦେଶର ବୃହତ ଭାଗ ଅର୍ଥାତ୍ ୫୬୫ଟି ଜିଲ୍ଲାରେ ପଜିଟିଭିଟି ହାର ୫% ତଳେ ଅଛି । ୧୬୭ ଜିଲ୍ଲାରେ ପଜିଟିଭ ହାର ଏବେ ବି ୫% ଉପରେ ଥିବାରୁ ଦେଶରେ ଦ୍ୱିତୀୟ କରୋନା ଲହର ଶେଷ ହୋଇ ସାରିଥିବା କୁହାଯାଇପାରିବନି ବୋଲି ଆଇସିଏମ୍ଆର୍ ନିଦେ୍ର୍ଧଶକ ଡକ୍ଟର ବଳରାମ ଭାର୍ଗଭ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଦେଶରେ ଦୈନିକ କରୋନା ସଂକ୍ରମଣ ହାର ଧୀରେଧୀରେ ହ୍ରାସପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୬୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ୧୧୮୩ ଜଣଙ୍କର ମୃତୁ୍ୟ ହୋଇଛି ୬୪,୮୧୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୬ ଲକ୍ଷ ତଳକୁ ହ୍ରାସ ପାଇଛି । ଗୋଟିଏ ଦିନରେ ସକ୍ରିୟ ମାମଲା ୧୭,୩୦୩ କମଛି । ଏବେ ଦେଶରେ ୫,୯୫,୫୬୫ ଚିକିତ୍ସାଧୀନ କରୋନା ରୋଗୀ ଅଛନ୍ତି । ସୁସ୍ଥହାର ୯୬.୭୨%କୁ ବୃଦ୍ଧିପାଇଛି ।
ଗୋଟିଏ ଦିନରେ କେରଳରୁ ସର୍ବାଧିକ ୧୧,୫୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପରେ ମହାରାଷ୍ଟ୍ରରେ ୯୬୦୪, ତାମିଲନାଡୁରେ ୫୭୫୫, ଆନ୍ଧ୍ରପ୍ରଦେଶରେ ୪୪୫୮ ଏବଂ କର୍ଣ୍ଣାଟକରେ ୩୩୧୦ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୧୧ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଟିକାକରଣ ଅଭିଯାନ ଜୋରଦାର ଗତିରେ ଆଗେଇ ଚାଲିଛି । ଏବେସୁଦ୍ଧା ୩୧.୫୦ କୋଟି ଡୋଜ୍ ଟିକା ଲଗା ସରିଲାଣି । ଗୋଟିଏ ଦିନରେ ୬୧.୧୯ ଲକ୍ଷ ଲୋକ ଟିକା ନେଇଛନ୍ତି । ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଟେଷ୍ଟିଂ ମାତ୍ରା ହ୍ରାସ କରାଯାଇନାହିଁ । ଦିନକରେ ୧୭.୪୫ ଲକ୍ଷ ନମୁନା ପରୀକ୍ଷା ହୋଇଛି । ମହାମାରୀ ଆରମ୍ଭରୁ ଏବେ ସୁଦ୍ଧା ମୋଟ ୪୦.୧୮ କୋଟି ନମୁନା ପରୀକ୍ଷା କରାଗଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons