୧୭ରେ ପୁଣି ଲଘୁଚାପ, ୨୨ ଯାଏଁ ବର୍ଷିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଭୀଷଣ ଅବପାତ ରୂପ ନେଇଛି । ଏହା ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ଅଧିକ ବର୍ଷା ହେବ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଆଗକୁ ଆଉ ଏକ ଲଘୁଚାପ ଆସୁଛି । ଆସନ୍ତା ୧୭ ତାରିଖବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା ଅଛି । ଯାହାକି ଓଡ଼ିଶା ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଲାଗି ରହିବ ।
ପାଣିପାଗ ବିଭାଗ କହିଛି, ସୋମବାର ମଧ୍ୟାହ୍ନବେଳେ ଅବପାତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୨୫୦ କିମି ଦୂରରେ ଥିଲା । ଘଣ୍ଟାକୁ ୬ କିମି ବେଗରେ ଆଗକୁ ବଢ଼ୁଥିଲା । ଅନୁମାନ କରାଯାଉଛି, ସୋମବାର ବିଳମ୍ବିତ ରାତିରେ ଏହା ଭୀଷଣ ଅବପାତରେ ପରିଣତ ହେବ । ମଙ୍ଗଳବାର ସକାଳେ ଆନ୍ଧ୍ରର କାକିନାଡ଼ା ପାଖରେ ଉପକୂଳ ଛୁଇଁବ ।
ମଙ୍ଗଳବାର (୧୩ ତାରିଖ) ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପକୂଳରେ ମଙ୍ଗଳବାର ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି । ଆଜି ଦିନ ଭିତରେ ଛତ୍ରପୁରରେ ୫୨ ମିଲିମିଟର, ପାରଳାଖେମୁଣ୍ଡିରେ ୪୫ ମିମି, ଗୋପାଳପୁରରେ ୩୪ ମିମି ବର୍ଷା ହୋଇଥିଲା । ରାତିରେ ବର୍ଷା ଆହୁରି ବଢ଼ିଥିବା ଜଣାପଡ଼ିଛି । ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ମିଆଁମାର ଉପକୂଳରେ ଆସନ୍ତା ୧୫ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ହେବ । ଯାହାକି ୧୭ ତାରିଖରେ ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ସମ୍ଭବତଃ ୨୧ ତାରିଖବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ।
ଅପରପକ୍ଷରେ ବର୍ତ୍ତମାନ ସକ୍ରିୟ ଥିବା ଅବପାତ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କାକିନାଡ଼ା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ଏହା ବଙ୍ଗୋପସାଗରରୁ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ରହିବ । ତେଣୁ ରାଜ୍ୟରେ କିଛି କିଛି ବର୍ଷା ହେବ ।
ଆସନ୍ତା ୧୩ ତାରିଖରେ ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ ଓ ଗଜପତିରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆସନ୍ତା ୧୪ ତାରିଖରେ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୧୫ ଓ ୧୬ରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons