
ଗଞ୍ଜାମ, (ବି.ବି.ନୁ୍ୟଜ): ଗଞ୍ଜାମ ସହର ନିକଟ ସୂର୍ଯ୍ୟନାରାୟଣପୁର- ଲକ୍ଷ୍ମୀପୁର ମଧ୍ୟବର୍ତ୍ତୀ ଜାତୀୟ ରାଜପଥରେ ଓଲଟି ପଡ଼ିଥିବା ଆମୋନିଆ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର୍କୁ ପ୍ରାୟ ୧୭ ଘଣ୍ଟା ପରେ ସୁରକ୍ଷିତ ଭାବେ ରାସ୍ତା ଉପରକୁ ଅଣାଯାଇଛି । ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ୧୦ଟା ୧୫ ବେଳକୁ ଟ୍ୟାଙ୍କର୍କୁ ଉଦ୍ଧାର କରାଯିବା ପରେ ରାଜପଥରେ ଟ୍ରାଫିକ୍ ସ୍ୱାଭାବିକ ହୋଇଛି । ତେବେ ଏହି ୧୮ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ରାଜପଥରେ ଟ୍ରାଫିକ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଉପଯୁକ୍ତ ସାଧନ ଅଭାବରୁ ସାଧାରଣ ଲୋକ ହନ୍ତସନ୍ତ ହେବା ସାର ହୋଇଛି ।
ସୋମବାର ଅପରାହ୍ଣ ପ୍ରାୟ ୫ଟା ୩୦ରେ ଏହି ଆମୋନିଆ ଗ୍ୟାସ୍ ଟ୍ୟାଙ୍କର୍ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲେ ଏସ୍ପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ । ଯଦିଓ ଗ୍ୟାସ୍ ଲିକ୍ ନେଇ ପ୍ରଥମେ ସ୍ପଷ୍ଟ ହୋଇପାରି ନଥିଲା, ତଥାପି ଆମୋନିଆ ବିଷାକ୍ତ ଗ୍ୟାସ୍ ଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହିଁଲାନି । ସକାଳ ହେଲେ ଟ୍ୟାଙ୍କର୍ ଉଠାଯିବ ବୋଲି କୁହାଗଲା । ବିକଳ୍ପ ରୁଟ୍ରେ ଯାନବାହନ ଚଳାଚଳ କରିବାକୁ କହି ବରିÂ ଅଧିକାରୀମାନେ ଚାଲିଗଲେ । ଅଗ୍ନିଶମ ବାହିନୀ, ଗଞ୍ଜାମ ଥାନା ପୁଲିସ ରାତି ସାରା ପରିସ୍ଥିତି ଉପରେ ନଜର ରଖିଥିଲେ । ପ୍ରାୟ ୧୨ ଘଣ୍ଟା ପରେ ଅର୍ଥାତ୍ ସକାଳ ପ୍ରାୟ ୫.୪୫ରେ କାର୍ ଯୋଗେ କିଟ୍ ଧରି ପହଞ୍ଚିଥିଲେ ପାରାଦ୍ୱୀପ ଫସ୍ଫେଟ୍ ଲିମିଟେଡ୍ (ପିପିଏଲ୍) ୪ ଜଣିଆ ବିଶେଷଜ୍ଞ ଟିମ୍ । ଏଥିରେ ସାମିଲ ଥିଲେ ଦିଲ୍ଲୀପ କୁମାର ପଲାଇ, ସଚ୍ଚିଦାନନ୍ଦ ରାଉତ, ଅଭୟ ସାହୁ ଏବଂ ପ୍ରଫୁଲ୍ଲ କୁମାର ସାହୁ । ଜିଲ୍ଲା ପ୍ରଶାସନ ତିନୋଟି କ୍ରେନ୍ ପ୍ରସ୍ତୁତ କରି ରଖିଥିଲା । ଟିମ୍ ସଦସ୍ୟମାନେ ସମ୍ଭାବ୍ୟ ଗ୍ୟାସ୍ ଲିକ୍ଜନିତ ଅସୁସ୍ଥତାରୁ ସୁରକ୍ଷିତ ରହିବା ପାଇଁ ପିନ୍ଧିଥିଲେ ଅତ୍ୟାଧୁନିକ ପୋଷାକ ଯାହାର ମୂଲ୍ୟ ଥିଲା ପ୍ରାୟ ୨ ଲକ୍ଷ ଟଙ୍କା । ଟ୍ୟାଙ୍କର୍କୁ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲା ଟିମ୍ । କୌଣସି ପ୍ରକାର ଲିକ୍ ନଥିବା ସ୍ପଷ୍ଟ ହେବା ପରେ ଟ୍ୟାଙ୍କର୍କୁ ରାସ୍ତା ଉପରୁ ଉଠାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ସବୁଜ ସଙ୍କେତ ମିଳିଥିଲା ।
ମଙ୍ଗଳବାର ପୂର୍ବାହ୍ଣ ୯ଟାରେ ଆରମ୍ଭ ହୋଇଥିଲା ଟ୍ୟାଙ୍କର୍ ଉଠାଣ ଅପରେସନ୍ । ଦିନ ପ୍ରାୟ ୧୦-୧୫ରେ ସତର୍କତା ସହ କ୍ରେନ୍ ଦ୍ୱାରା ଟ୍ୟାଙ୍କର୍କୁ ଉଠାଇ ରାସ୍ତା ଉପରକୁ ଅଣାଯାଇଥିଲା । ପୂର୍ବାହ୍ଣ ପ୍ରାୟ ୧୧.୩୦ରେ ଅଟକି ରହିଥିବା ଗାଡ଼ିଗୁଡ଼ିକ ଛାଡ଼ିବା ପାଇଁ ନିଦେ୍ର୍ଧଶ ଦିଆଗଲା । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଏସ୍ଡିପିଓ ଗୌତମ କିଷାନ, ଡେପୁଟି କଲେକ୍ଟର (ଏମର୍ଜେନ୍ସି) ଡ. ଦିବ୍ୟଲୋଚନ ମହନ୍ତ, ତହସିଲଦାର ଆର୍.କେ.ନାୟକ, ବିଡିଓ ବିଶ୍ୱଜିତ ରାୟ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଅଗ୍ନିଶମ ଅଧିକାରୀ ଉମାଚରଣ ପଟ୍ଟନାୟକ, ଗଞ୍ଜାମ ଆର୍.ଆଇ. ରବି ପ୍ରଧାନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.