୧୭ ଲକ୍ଷର ବ୍ରାଉନ୍ସୁଗର ଜବତ, ୨ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୀର୍ଘ ଦିନ ହେବ କଟକ ସହରରେ ବ୍ରାଉନ୍ସୁଗର ବେପାର କରୁଥିବା ଏକ ଗ୍ୟାଙ୍ଗ୍ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି । ଗ୍ୟାଙ୍ଗର ଦୁଇ ସଦସ୍ୟ ବାରଙ୍ଗ ବେଲଗଛିଆ ଅଞ୍ଚଳର ପ୍ରଶାନ୍ତ ବେହେରା (୪୩) ଓ ପଦାସାହିର ସନ୍ତୋଷ ବେହେରା (୩୯)ଙ୍କୁ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଗିରଫ କରିଛି । ସେମାନଙ୍କଠାରୁ ୧୬୫ ଗ୍ରାମ୍ ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସଗର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ । ଏହାଛଡ଼ା ଅଭିଯୁକ୍ତଙ୍କଠାରୁ ଏକ ପଲ୍ସର ବାଇକ୍ ମଧ୍ୟ ଜବତ ହୋଇଛି । ଦୁହେଁ ପେସାଦାର ନିଶା ବେପାରୀ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅବକାରୀ ବିଭାଗକୁ ଗୁଇନ୍ଦା ତଥ୍ୟ ମିଳୁଥିଲା କି ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ କିଛି ଯୁବକ ଲଗାତର ଭାବେ ବ୍ରାଉନସୁଗର ଆଣି କଟକରେ ବେପାର କରୁଛନ୍ତି । ଏହି ନିଶା ବେପାରୀମାନଙ୍କୁ ଧରିବା ପାଇଁ ଗଲା ସପ୍ତାହେ ହେବ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ୟୁନିଟ୍-୨ର ଏକ ଟିମ୍ ଦିନରାତି ବିଭିନ୍ନ ସ୍ଥାନରେ ଛକି ରହିଥିଲା । ସେହି କ୍ରମରେ ଆଜି ବାରଙ୍ଗ ଥାନା ଅନ୍ତର୍ଗତ କେନାଲ୍ ଛକ ପାଖରେ ଅବକାରୀ ଟିମ୍ ଛକି ରହିଥିଲା । ସକାଳ ପ୍ରାୟ ସାଢେ଼ ୮ଟା ବେଳେ ଦୁଇ ଅଭିଯୁକ୍ତ ଏକ ପଲ୍ସର ବାଇକ୍ରେ ସେହି ରାସ୍ତାରେ ଯିବା ବେଳେ ତାଙ୍କୁ ଅବକାରୀ ଟିମ୍ ଅଟକାଇ ଯାଞ୍ଚ କରିଥିଲା । ଜଣଙ୍କ ପକେଟ୍ରୁ ଏକ ପୁଡ଼ିଆରେ ଭର୍ତ୍ତି ହୋଇଥିବା ବ୍ରାଉନସୁଗର ମିଳିଥିଲା । ଏହାପରେ ଅବକାରୀ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଧରିଆଣି ଜେରା କରିବା ସହିତ ଜବତ ବ୍ରାଉନସୁଗର ଓଜନ କରିବାରୁ ତାହା ୧୬୫ ଗ୍ରାମର ହେବ ବୋଲି ଜଣାପଡ଼ିଲା । ଜେରା ବେଳେ ସେମାନେ ବହୁ ତଥ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ହେବ ଅଭିଯୁକ୍ତ ଦ୍ୱୟ ଖୋର୍ଦ୍ଧାର ଏକ ବଡ଼ ନିଶା ବେପାରୀଠାରୁ ବ୍ରାଉନସୁଗର ଆଣୁଛନ୍ତି । ପରେ ଏହାକୁ ଛୋଟ ଛୋଟ ପୁଡ଼ିଆ କରି କଟକରେ ୫ଶହରୁ ୬ ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଖାସ୍କରି କଲେଜ ଛାତ୍ର ଓ ଯୁବ ବର୍ଗକୁ ଏହି ପୁଡ଼ିଆ ବିକ୍ରି କରାଯାଉଛି । ବ୍ରାଉନସୁଗର କିଣିବା ପାଇଁ ସେମାନଙ୍କ କିଛି ନିୟମିତ ଗ୍ରାହକ ମଧ୍ୟ ଅଛନ୍ତି । ଏପରିକି ସେମାନେ କଟକରେ କିଛି ଛୋଟ ଛୋଟ ବେପାରୀଙ୍କୁ ମଧ୍ୟ ୨୦ରୁ ୨୫ ଗ୍ରାମ୍ ଓଜନର ପାଉଡର ବିକ୍ରି କରିଥାନ୍ତି । ପ୍ରତି ସପ୍ତାହରେ ଥରେ କି ଦୁଇ ଥର ସେମାନେ କଟକ ଆସି ଏହି ବେପାର କରନ୍ତି । ଅଭିଯୁକ୍ତମାନେ ପୂର୍ବରୁ କେବେ ପୁଲିସ କିମ୍ବା ଅବକାରୀ ବିଭାଗ ହାତରେ ଧରା ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି । ଏନେଇ ତଥ୍ୟ ଯୋଗାଡ଼ କରାଯାଉଛି । ମାତ୍ର ଦୁହେଁ ପେସାଦାର ନିଶା ବେପାରୀ ଓ ଏହି ବେପାରରେ ସେମାନେ ପ୍ରଚୁର ଅର୍ଥ ରୋଜଗାର କରିଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି । ଆଜିର ଏହି ଚଢ଼ଉରେ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ, କନ୍ଷ୍ଟେବଳ କିଶୋର ଚନ୍ଦ୍ର ରାଉତ, ରାମଚନ୍ଦ୍ର ଜେନା, ରଜନୀ ପଞ୍ଚବାୟା, ଜଗନ୍ନାଥ ନାଏକ, ସଂଜୀବ ମୁଣ୍ଡା ଓ ରାଜେନ୍ଦ୍ର ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons