କଟକ,(ବି.ବି.ବ୍ୟୁରୋ): ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୯ ବର୍ଷ ହେବ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀକୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ନିମ୍ନ ଅଦାଲତଙ୍କ ଆଜୀବନ ଜେଲ୍ ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରି ଏଭଳି ରାୟ ଦେଇଛନ୍ତି । ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଆସାମୀ ସଞ୍ଜିତ ମଣ୍ଡଳ ପକ୍ଷରୁ ଆଗତ କ୍ରିମିନାଲ୍ ରିଭ୍ୟୁ ଆପ୍ଲିକେସନ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ.ମିଶ୍ର ଓ ବିଚାରପତି ଜଷ୍ଟିସ୍ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୨୦୦୦ ମସିହାରୁ ଜେଲ୍ ଦଣ୍ଡ ଭୋଗୁଥିବା ଆସାମୀ ସଞ୍ଜିତ ମଣ୍ଡଳଙ୍କୁ ମୁକ୍ତି ମିଳିଛି । ଅବଶ୍ୟ ମାମଲାର ରାୟ ପ୍ରକାଶ ପୂର୍ବରୁ ସେ ଜାମିନରେ ଥିବା ଜଣାଯାଇଛି ।
ମାମଲାରୁ ଜଣାଯାଇଛି, ଏକ ହତ୍ୟା ଅଭିଯୋଗ ନେଇ ୧୯୯୭ ଜୁଲାଇ ୧୭ରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ଭି-୮୨ ଗ୍ରାମର ଆନନ୍ଦ ସରକାର ଏତଲା ଦେଇଥିଲେ । ଏତଲାରେ ସେ ଅଭିଯୋଗ କରିଥିଲେ ଯେ, ଏହାର ପୂର୍ବଦିନ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଭାଇ ଗୋବିନ୍ଦ ସରକାରଙ୍କୁ କେହି ହତ୍ୟା କରିଥିଲେ । ଗୋବିନ୍ଦ ବଜାରରେ ଥିବା ବହି ଦୋକାନରେ ଶୋଇଥିଲାବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ସେ ଶୁଣିବାକୁ ପାଇଲେ ଯେ, ଗୋବିନ୍ଦ ଏବଂ ଆସାମୀ ସଞ୍ଜିତ ମଣ୍ଡଳ ରାତିରେ ଦୋକାନ ପଛପଟେ ବସି କଥାବର୍ତ୍ତା ହେଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେଣୁ ଏହି ଘଟଣାରେ ଆସାମୀ ସଞ୍ଜିତ ମଣ୍ଡଳର ସମ୍ପୃକ୍ତି ଥିବା ଆନନ୍ଦ ଏତଲାରେ ଅଭିଯୋଗ କରିଥିଲେ । ସେ ଅଭିଯୋଗରେ ଆହୁରି ଦର୍ଶାଇଥିଲେ ଯେ, ୪ ବର୍ଷ ତଳର ଏକ ଘଟଣାକୁ ନେଇ ଆସାମୀ ସଞ୍ଜିତ ଏବଂ ତାଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସଞ୍ଜିତ ମଣ୍ଡଳର ଭଉଣୀ ଏବଂ ମୃତ ଗୋବିନ୍ଦ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଗୋବିନ୍ଦ ବିବାହ ପାଇଁ ରାଜି ଥିଲେ ମଧ୍ୟ ଯୁବତୀଙ୍କ ବାପା ବିବାହ ପାଇଁ ରାଜି ନଥିଲେ । ଫଳରେ ଆସାମୀର ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେହିଦିନ ଠାରୁ ଆସାମୀ ଏବଂ ଗୋବିନ୍ଦ ମଧ୍ୟରେ ସମ୍ପର୍କ ଭଲନଥିଲା । ତେଣୁ ଏହି ହତ୍ୟା ପଛରେ ଆସାମୀ ସଞ୍ଜିତ ମଣ୍ଡଳର ହାତଥିବା ସନ୍ଦେହ କରି ଆନନ୍ଦ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ସଞ୍ଜିତ ନଥିବା ଜାଣିବାକୁ ପାଇଥିଲେ । ଫଳରେ ସଞ୍ଜିତ ମଣ୍ଡଳ ବିରୋଧରେ ସନ୍ଦେହ ଅଧିକ ଦୃଢିଭୂତ ହେଲା । ତେଣୁ ଏହି ହତ୍ୟା ପଛରେ ସଞ୍ଜିତ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏତଲାରେ ଦର୍ଶାଯାଇଥିଲା । ଏତଲା ଆଧାରରେ ପୁଲିସ୍ ସଞ୍ଜିତ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ୪୫୭(ଘର ଭାଙ୍ଗି ପଶିବା) ଏବଂ ୩୦୨(ହତ୍ୟା କରିବା)ରେ ମାମଲା ରୁଜୁ କରିବା ସହ ଚାର୍ଜସିଟ୍ ଦାଖଲ କରିଥିଲା ।
ମାଲକାନଗିରି ଅତିରିକ୍ତ ସେସନ୍ସ ଜଜ୍ ମାମଲାର ଶୁଣାଣି କରି ସଞ୍ଜିତ ମଣ୍ଡଳକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଦେଶ ବିରୋଧରେ ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ବିରୋଧରେ ଥିବା ଦଣ୍ଡାଦେଶକୁ ରଦ୍ଦ କରିଦେଇଛନ୍ତି ।
ଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି, ଆସାମୀ ଏବଂ ମୃତକଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ଥାଇପାରେ । କିନ୍ତୁ କେବଳ ଏହି ଆଧାରରେ ଯେ ଆସାମୀ ସଞ୍ଜିତ ଗୋବିନ୍ଦଙ୍କୁ ହତ୍ୟା କରିଥିବ ତାହା କୁହାଯାଇ ପାରିବ ନାହିଁ । ଘଟଣା ଦିନ ଆସାମୀ ଗାଁରେ ନଥିବା କଥାକୁ ମଧ୍ୟ ଏକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏହି ଘଟଣାରେ ଯେଉଁମାନେ ସାକ୍ଷୀ ରହିଛନ୍ତି ସେମାନେ ମଧ୍ୟ କେହି ପ୍ରତ୍ୟକ୍ଷ ଭାବେ ଆସାମୀ ସଞ୍ଜିତକୁ ହତ୍ୟା କରିଥିବା ଦେଖିଥିବା ନେଇ ପ୍ରମାଣ ନାହିଁ । ଏହି ଘଟଣା ସହ ସମ୍ପୃକ୍ତି ଥିବାର ଅନ୍ୟ ଯେଉଁସବୁ ପ୍ରମାଣ ରହିଛି ତାହା ପୂରା ତଦନ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରୁନାହିଁ । ତେଣୁ ଏହି ଆଧାରରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ତେଣୁ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯିବା ସହ ତଳକୋର୍ଟର ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଏଥିସହ ବେଲ୍ବଣ୍ଡକୁ ମଧ୍ୟ ହାଇକୋର୍ଟ ବାତିଲ୍ କରିଛନ୍ତି ।
Comments are closed, but trackbacks and pingbacks are open.