ଭଦ୍ରକ,(ବି.ବି.ନୁ୍ୟଜ): ବାଲେଶ୍ୱର ପରେ ଏବେ ବ୍ରାଉନସୁଗର କାରବାରର ହବ୍ ପାଲଟିଲାଣି ଭଦ୍ରକ । ଗତ ୨ ଦିନ ମଧ୍ୟରେ ଜିଲ୍ଲାର ୨ଟି ସ୍ଥାନରୁ ଏକ କେଜି ୨୦୨ ଗ୍ରାମର ବ୍ରାଉନସୁଗର ଜବତ୍ ହେଲାଣି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ୨୦ ଲକ୍ଷ ଟଙ୍କାରୁ ଅଧିକ । ଏହା ସହିତ ୨୨ଟି ମୋବାଇଲ ଓ ୩ଟି ବାଇକ ଜବତ ସହ ୫ଜଣ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଏସ୍ଟିଏଫ୍ର ଏକ ସ୍ୱତନ୍ତ୍ର ଟିମ ଭଦ୍ରକ-ଚାନ୍ଦବାଲି ରାସ୍ତାର ଏକ ଘରେ ଚଢ଼ଉ କରି ୧ କେଜି ୧୪୦ ଗ୍ରାମର ବ୍ରାଉନସୁଗର ଜବତ କରିଛି । ବ୍ରାଉନସୁଗର ବେପାରୀ ଓ ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ଉ ହୋଇଥବା ଜଣାପଡ଼ିଛି । ଏହି ଘଟଣାରେ ଏସ୍ଟିଏଫ୍ ଶଙ୍କର ନଗରର ମିନହାଜ କାଦ୍ରୀ ନାମକ ଜଣେ ବ୍ୟକ୍ତିକୁ ଗିରଫ କରଛି ।
ଅପରପକ୍ଷେ ନୂତନ ଏସ୍ପି ଭାବେ ଚରଣ ସିଂ ମୀନା ଯୋଗଦେବା ପରେ ଜିଲ୍ଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶେଷକରି ଉକ୍ରଟ ନିଶା କାରବାର ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିଛି ପୁଲିସ । ଏହି କ୍ରମରେ ଆଜି ଭଦ୍ରକ ପୌରାଞ୍ଚଳରେ ସହରାଞ୍ଚଳ ପୁଲିସ ଚଢ଼ଉ କରି ୬୧ ଗ୍ରାମ ବ୍ରାଉନସୁଗର ଜବତ୍ କରିଛି । ଏହି କାରବାରରେ ଜଡ଼ିତ ବେପାରୀଙ୍କ ନିକଟରୁ ୨୨ଟି ମୋବାଇଲ ଓ ୨ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ଜବତ୍ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ମୀନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ନରିପୁର ଗ୍ରାମର ଶ୍ୟାମସୁନ୍ଦର ଦାସଙ୍କ ପୁଅ କମଳାକାନ୍ତ(୩୮), ରାଜପୁର ନୂଆସାହି ଗ୍ରାମର ବୈଷ୍ଣବ ମୁଣ୍ଡାଙ୍କ ପୁଅ କୁନା(୪୪), ଅସ୍ତଳ ଗ୍ରାମର ଶରତ ବେହେରାଙ୍କ ପୁଅ ପ୍ରଶାନ୍ତ(୩୭) ଓ ପ୍ରଶାନ୍ତଙ୍କ ପତ୍ନୀ ଗୀତାରାଣୀ(୩୦) । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.