ବ୍ରହ୍ମପୁର: ରାଜନୀତି ପରେ ପୁଲିସ ଚାକିରୀ । ସବୁ କାମ ଛାଡ଼ି ଏବେ ଶ୍ମଶାନରେ ସେବକ । ଶ୍ମଶାନକୁ ଗଲେ ସମସ୍ତେ ତାଙ୍କୁ ହିଁ ଖୋଜନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ସହରର ପୂର୍ବତନ କାଉନ୍ସିଲର ତଥା ବିଜିପୁର ବାସିନ୍ଦା ପ୍ରଶାନ୍ତ କୁମାର ସେଠୀ । ତାଙ୍କୁ ଏବେ ବୟସ ୪୭ ବର୍ଷ । ୧୭ବର୍ଷ ବୟସରୁ ହିଁ ଅସହାୟଙ୍କ ଶବକୁ କାନ୍ଧ ଦେଇ ଆଗକୁ ଆସିଥିଲେ ପ୍ରଶାନ୍ତ । ଏବେ ୩୧ବର୍ଷ ହେଲା ଶବ ସଂସ୍କାର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ୩୧ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଶବ ସଂସ୍କାର କରିଛନ୍ତି ବୋଲି କୁହନ୍ତି ସେ । ଦୁଇ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ତାଙ୍କୁ ପାଖାପାଖି ୧ ହଜାର ଶବ ସଂସ୍କାର କରିବାକୁ ସୁଯୋଗ ମିଳିଛି । ପ୍ରାୟ ୨ଶହ ଜଣକୁ ସେ ମୁଖାଗ୍ନି ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ । ତାଙ୍କର ଏଭଳି କାର୍ଯ୍ୟକୁ ବ୍ରହ୍ମପୁରବାସୀ ପ୍ରଶଂସା କରିଛନ୍ତି ।
ପ୍ରଶାନ୍ତଙ୍କ କହିବା ପ୍ରକାରେ ତାଙ୍କୁ ୧୭ବର୍ଷ ହୋଇଥିଲା, ସେ ଗୋଟିଏ ଅସହାୟ ଶବକୁ ଦେଖିଥିଲେ । ପ୍ରଥମେ ସେହି ଶବକୁ କାନ୍ଧ ଦେଇଥିଲେ ଏବଂ ମନକୁ ଶାନ୍ତି ମିଳିଥିଲା । ସେବେଠାରୁ ସେ ଶବ ସଂସ୍କାର କରିବାକୁ ଆଗେଇ ଆସିଛନ୍ତି । ୨୦୦୨ରେ ଉପନିର୍ବାଚନରେ କାଉନ୍ସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ରେ ପୁଲିସ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଚାକିରି କିଛି ବର୍ଷ କରିବା ପରେ ତାଙ୍କୁ କୌଣସି କାରଣରୁ ଚାକିରିରୁ ଅନ୍ତର କରାଯାଇଥିଲା । କିନ୍ତୁ ସେ ଶବ ସଂସ୍କାର କରିବା କାର୍ଯ୍ୟ କେବେବି ବନ୍ଦ କରିନାହାନ୍ତି ।
କୋଭିଡ୍ ସମୟର ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଅନେକ ଜାଗାରେ ଲୋକଙ୍କ ମୃତୁ୍ୟ ହେଉଛି କିନ୍ତୁ ପରିବାର ଲୋକ ଶବ ଉଠାଇବାକୁ ଆସୁନାହାନ୍ତି । ଖବର ଆସିଲେ ସେ ନିଜେ ସେଠାରେ ପହଞ୍ଚି ଶବ ଆଣି ସଂସ୍କାର କରୁଛନ୍ତି । କିଛି ଅସହାୟଙ୍କ ଶବ ସଂସ୍କାର ନିଜସ୍ୱ ଆୟୋଜନରେ କରିବାକୁ ପଡିଥାଏ । ଏମିତିକି ଶବ ପୋଡିବାକୁ ସେମାନଙ୍କ ପାଖରେ ସମ୍ବଳ ନଥାଏ । ସେମାନଙ୍କର ମଧ୍ୟ ଶବ ସଂସ୍କାର କରିଛି ବୋଲି କହିଛନ୍ତି ପ୍ରଶାନ୍ତ । ସେ କହିଛନ୍ତି ପରିବାରରେ ଶବକୁ କାନ୍ଧ ଦେବା ତ ଅଲଗା କଥା, ପୁଅ ଓ ସମ୍ପର୍କୀୟ ମାନେ ମୁଖାଗ୍ନି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି । ପ୍ରାୟ ୨ଶହ ଜଣଙ୍କ ପରିବାର ଲୋକ ମୁଖାଗ୍ନି ଦେବାକୁ ମଧ୍ୟ ଆସିନଥିଲେ । ସେମାନଙ୍କୁ ସେ ମୁଖାଗ୍ନି ଦେଇଛନ୍ତି । ଶବ ସଂସ୍କାର କରିବା ପରେ ଅସ୍ଥି ରଖିବା ହିନ୍ଦୁ ଧର୍ମରେ ଏକ ବିଧି ରହିଛି । ସେହି କାର୍ଯ୍ୟ ମଧ୍ୟ ସେ କରିଆସିଛନ୍ତି ବୋଲି କହିଛନ୍ତି । ବିଜିପୁରରେ ନିଜର ଘର ଓ ପରିବାର ଅଛି । ସବୁ ଛାଡି ଶ୍ମଶାନରେ ସେବକ ସାଜିଛନ୍ତି ପ୍ରଶାନ୍ତ । ଲକ୍ଡାଉନ୍ ଓ ସଟ୍ଡାଉନ୍ କାରଣରୁ କାହାର ଶବ ଗାଁକୁୁ ନେବା କଷ୍ଟକର ହେଉଛି । ତେଣୁ ପରିବାର ଲୋକ ବ୍ରହ୍ମପୁରରେ ହିଁ ସଂସ୍କାର କରିଦେଉଛନ୍ତି । ଶବ ସଂସ୍କାର କଲେ ସବୁଠୁ ଅଧିକ ପୁଣ୍ୟ ମିଳେ । ତେଣୁ କୌଣସି ଶବକୁ ଅସହାୟ ଭାବେ ଛାଡନ୍ତୁ ନାହିଁ । ମାସେ ହେଲା କିଛି ଯୁବକ ତାଙ୍କୁ ଶବ ସଂସ୍କାରରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.