୨୦୦୦ ଟଙ୍କିଆ ନୋଟ୍ ଅସୁରକ୍ଷିତ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟରେ ଆସୁଥିବା ୨୦୦୦ ଟଙ୍କିଆ ନୋଟ୍ ସୁରକ୍ଷିତ ନୁହେଁ । ଏହା ଉପରେ ଆଖି ପକାଇଛି ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ । ଏହି ନୋଟ୍ର ହାଇଟେକ୍ ସୁରକ୍ଷା ବୈଶିଷ୍ଟ୍ୟକୁ କପି କରି କୁଢ଼ କୁଢ଼ ନକଲି ନୋଟ୍ ଭାରତକୁ ଛାଡିଛି ଆଇଏସ୍ଆଇ । କରାଚିର ମାଲିର ହଲ୍ଟସ୍ଥିତ ପାକିସ୍ତାନ ସିକୁ୍ୟରିଟି ପ୍ରେସ୍ରେ ଛପା ହୋଇ ଏହା ଭାରତକୁ ଆସିଛି । ଭାରତୀୟ ନୋଟ୍ ସହ ଏହା ଅବିକଳ ମିଶିଯାଉଛି । ପାକିସ୍ତାନରୁ ଆସିଥିବା ବିପୁଳ ମାତ୍ରାରେ ନକଲି ଦୁଇ ହଜାର ଟଙ୍କିଆ ନୋଟ୍କୁ ଜବତ କରିଛି ଦିଲ୍ଲୀ ପୋଲିସ୍ର ସ୍ୱତନ୍ତ୍ର ସେଲ୍ । ଏହା ଏବେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡିକର ନିଦ ହଜାଇ ଦେଇଛି ।
ଦିଲ୍ଲୀ ପୋଲିସ୍ର ସ୍ପତନ୍ତ୍ର ଶାଖା ପକ୍ଷରୁ ଜବତ ହୋଇଥିବା ଏହି ନୋଟ୍ଗୁଡିକରେ ପାକିସ୍ତାନର ଅପରାଧୀ ସଂଘ ସମସ୍ତ ସୁରକ୍ଷା ବୈଶିଷ୍ଟ୍ୟକୁ ଅବିକଳ ନକଲ କରିଛି । ଅସଲ ନକଲି ମଧ୍ୟରେ ଫରକ୍ ଜାଣିବା କଷ୍ଟକର । ବିଶେଷ କରି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଏଭଳି ଉଦ୍ୟମ ଚଳାଇଛି କାଙ୍ଗାଳ ପାକିସ୍ତାନ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପାକିସ୍ତାନର ଅପରାଧୀ ସଂଘ ୨୦୦୦ ଟଙ୍କିଆ ନୋଟ୍ର ଯେଉଁ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟଗୁଡିକୁ ନକଲ କରିଛି ତାହାକୁ ଭାରତୀୟ ମେସିନାରି ବିନା କପି କରିବା କଷ୍ଟକର ।
ଭାରତୀୟ ସୁରକ୍ଷା ଏଜେନ୍ସିଗୁଡିକ ଦ୍ୱାରା ଜବତ ହୋଇଥିବା ଏହି ନକଲି ୨୦୦୦ ଟଙ୍କିଆ ନୋଟ୍ରେ ଭାରତ ଦ୍ୱାରା ବ୍ୟବହାର ହେଉଥିବା ‘ଅପ୍ଟିକାଲ ଭାରିଏବଲ୍ ଇଙ୍କ୍’ ବ୍ୟବହାର ହୋଇଛି । ଏହା ଏକ ଅତ୍ୟାଧୁନିକ କାଳି, ଯାହାକି ନୋଟ୍ରେ ଥିବା ସୂତାରେ ବ୍ୟବହାର ହୋଇଥାଏ । ଏହି କାଳିର ବିଶେଷତ୍ୱ ହେଉଛି ଏହା ନୋଟ୍ରେ କଲର୍ ସିଫ୍ଟ ଇଫେକ୍ଟ ଦେଇଥାଏ । ନୋଟ୍କୁ ଚହଲାଇଲେ ସମ୍ମୁଖ ପାଶ୍ୱର୍ର ସୂତାର ରଙ୍ଗ ସବୁଜରୁ ନୀଳକୁ ପରିବର୍ତ୍ତନ ହୋଇଥାଏ ।
ତଦନ୍ତରୁ ଜଣାଯାଇଛି ଯେ, ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ବରିÂ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ନୋଟ୍ଗୁଡିକ ଛପା ହେଉଛି । ନକଲି ୨୦୦୦ ଟଙ୍କିଆ ନୋଟ୍ ପାଇଁ ଆଇଏସ୍ଆଇର ଅନ୍ୟତମ ପ୍ରମୁଖ ବିତରକ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ୍ ପଳାତକ ଦାଉଦ୍ ଇବ୍ରାହିମ୍ର କୁଖ୍ୟାତ ସଂସ୍ଥା ତଥା କରାଚିରୁ କାରବାର ଚଳାଇଥିବା ଡି-କମ୍ପାନି ।
ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏବଂ ଭାରତୀୟ ଗୋଇନ୍ଦା ଏଜେନ୍ସିଗୁଡିକର ମିଳିତ ତଦନ୍ତରୁ ଜଣାଯାଇଛି ନୂଆ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ର ଆଉ ଏକ ପ୍ରମୁଖ ସୁରକ୍ଷା ବୈଶିଷ୍ଟ୍ୟକୁ ପ୍ରଥମ ଥର ପାଇଁ ନକଲ କରାଯାଇଛି । ୨୦୦୦ ଟଙ୍କିଆର ନୋଟର ଏକ୍ଦମ୍ ବାମ ଏବଂ ଡାହାଣ ପାଶ୍ୱର୍ରେ ଥିବା ‘ବ୍ଲିଡ୍-ଲାଇନ୍’ଗୁଡିକୁ ମଧ୍ୟ କପି କରାଯାଇଛି । ଦୃଷ୍ଟିହୀନଙ୍କ ପାଇଁ ଏହି ବୈଶିଷ୍ଟ୍ୟ ଦିଆଯାଇଥାଏ । ଏବେ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଦ୍ୱାରା ଏଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ଚୋରି କରାଯିବା ଫଳରେ ଆଗକୁ ଏହା ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ।
ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଜବତ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ରେ ପ୍ରାୟ ସବୁ ହାଇଟେକ୍ ସୁରକ୍ଷା ବୈଶିଷ୍ଟ୍ୟକୁ କପି କରାଯାଇଛି । ଗତ ୬ ମାସରେ ଏଭଳି ପ୍ରଥମ ଥର ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଘାତକକାରୀ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ପାକ୍ ଗୋଇନ୍ଦା ଏଜେନ୍ସି କରାଚିର ସରକାରୀ ପ୍ରେସ୍ରେ ଛପା ହେଉଥିବା ନକଲି ଭାରତୀୟ ନୋଟ୍ର ନିମ୍ନ ପାଶ୍ୱର୍ର ଡାହାଣ ପାଖରେ ଛପା ଯାଉଥିବା ସିରିଜ୍ ନମ୍ବରକୁ ବି ନକଲ କରିଛି । ଇତିମଧ୍ୟରେ ଜବତ ହୋଇଥିବା ନକଲି ୨୦୦୦ ଟଙ୍କିଆ ନୋଟ୍ରେ ଏହା ଦେଖିବାକୁ ମିଳିଛି । ଏହି ନୋଟ୍ରେ ‘୭ଏଫ୍କେ’ ସିରିଜ୍ ଛପା ହୋଇଛି । ଏଯାବତ ଜବତ ହୋଇଥିବା ନକଲି ନୋଟ୍ରେ ଏସବୁ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଦୂର ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳି ନ ଥିଲା । ନେପାଳ ଏବଂ କତାର ଜରିଆରେ ଏହି ନକଲି ନୋଟ୍ଗୁଡିକୁ ଭାରତରେ ପହଞ୍ଚୁଛି । ୨୦୧୬ରେ ନୋଟ୍ବନ୍ଦୀ ହେବା ପରେ ପାକିସ୍ତାନରୁ ନକଲି ନୋଟ୍ ଆସିବା କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ଏହି କାରବାର ସକ୍ରିୟ ହୋଇଗଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons