ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଲଗାଣ ବର୍ଷାଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସୁଧୁରିବା ନାଁ ଧରୁନି । ବର୍ଷା ଲାଗି ରହିଥିବାରୁ ଏବେ ବି ଅନେକ ପୋଲ ଉପରେ ପାଣି ଚାଲୁଛି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏଥିରେ ଜିଲ୍ଲାର ପ୍ରାୟ ୯୮ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୫ ଶହ ଲୋକଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ୨ ଶହରୁ ଅଧିକ ଗାଁ ଏଥିରେ ପ୍ରଭାବିତ ହୋଇଛି ।
ସୂଚନା ଅନୁସାରେ, ଜିଲ୍ଲାରେ ଗତ ୫ ଦିନ ହେଲା ବର୍ଷା ଲାଗି ରହିଛି । ଫଳରେ ଅନେକ ନଦୀନାଳ ଫୁଲିଉଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ପୋଲ ଉପରେ ୩ ରୁ ୪ ଫୁଟ ଉଚ୍ଚରେ ପାଣି ଗତ ତିନିଦିନ ହେଲା ପ୍ରବାହିତ ହେଉଛି । ସମ୍ପୂର୍ଣ୍ଣ ଜିଲ୍ଲା ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡିଛି । ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । କେତେକ ଗାଁ ପାଣିରେ ବୁଡିଯାଇଥିବାବେଳେ ରାସ୍ତାଘାଟ ଧୋଇ ହୋଇଯାଇଛି । ଆଉ କେତେକ ଗାଁ ଏବେ ବି ପାଣି ଘେରରେ ରହିଛି । ଜିଲ୍ଲାର ପ୍ରାୟ ୨ ଶହରୁ ଅଧିକ ଗାଁର ୯୮ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ୫ ଶହରୁ ଅଧିକ ବନ୍ୟା ପ୍ରପୀଡିତଙ୍କୁ ପାଣି ଘେରରୁ ଉଦ୍ଧାର କରି କରିଛି । ଏମାନଙ୍କୁ କାଲିମେଳା ସେବାଶ୍ରମ, ପୋଟେରୁ ଏମଭି-୪୧ ବିଦ୍ୟାଳୟ, ଗୁମୁକା ପଞ୍ଚାୟତର ଏମଭି-୬୪ ହାଇସ୍କୁଲ, ଏମଭି-୭୨ ହାଇସ୍କୁଲ, ଏମଭି-୭୯ ସାବେରୀ ବିଦ୍ୟାପୀଠ, ମୋଟୁ, ମାଥିଲି ଧୁଙ୍ଗିଆପୁଟ, ବଦଲୀ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ଏମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ସଂକ୍ରମଣ ରୋକିବାକୁ ମାସ୍କ ଓ ସାନିଟାଇଜର କିଟ୍ ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷରେ, ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନେତୃତ୍ୱରେ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ମାଥିଲି ଓ ଖଇରପୁଟ ବ୍ଲକପାଇଁ ଆଇଟିଡିଏ ପିଏ କ୍ଷୀରାବ୍ଦି ବେହେରା, ଚିତ୍ରକୋଣ୍ଡା ବ୍ଲକ ବାଲିମେଳା ଏନଏସି ପାଇଁ ଡିଆଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ, କାଲିମେଳା ଓ ପଡିଆ ବ୍ଲକ ପାଇଁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କୁ ବନ୍ୟାଞ୍ଚଳ ମନିଟରିଂ ଅଫିସର ମୂତୟନ କରାଯାଇଛି । ଏହାବ୍ୟତୀତ ସମସ୍ତ ସାତଟି ଯାକ ବ୍ଲକର ବିଡିଓ, ତହସିଲଦାର, ଅଗ୍ନିଶମ ବିଭାଗ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ବନ୍ୟାଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ନଦୀ ଘାଟକୁ ମୋଟର ଲଞ୍ଚ ବ୍ୟବସ୍ଥା ସହିତ ବୁଡି ଯାଇଥିବା ପୋଲ ନିକଟରେ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀଙ୍କୁ ସଜାଗ ରଖାଯାଇଛି ।
ଅନ୍ୟ ସୂଚନା ଅନୁସାରେ, ଗତ ୧୩ ତାରିଖ ସକାଳ ୮ ଟାରୁ ୧୪ ତାରିଖ ସକାଳ ୮ ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୭୦.୦୫ ମିମି ବର୍ଷା ହୋଇଛି । ସାତଟି ଯାକ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୪୯୦.୪ ମିଲିମିଟର ବର୍ଷା ହୋଇଛି । ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୩୦ ମିଲିମିଟର, କୋରକୁଣ୍ଡା ବ୍ଲକରେ ୯୭.୦, ଖଇରପୁଟରେ ୮୪.୦, ପଡିଆରେ ୬୩.୪, କାଲିମେଳାରେ ୪୬.୦ ମିମି ବର୍ଷା ହୋଇଛି । ମାଲକାନଗିରି ବ୍ଲକରେ ୩୫ ମିମି ଓ ମାଥିଲି ବ୍ଲକରେ ୩୫ ମିମି ବର୍ଷା ହୋଇଛି । ଅନେକ ପୋଲ ଉପରେ ପାଣି ଚାଲୁଥିବାରୁ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଣି ମାଡି ଶହଶହ ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଜୟପୁର ମାଲକାନିଗିରି ମଧ୍ୟରେ ମୁଖ୍ୟ ଜାତୀୟ ରାଜପଥ ପାଙ୍ଗାମ ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଛି । ଏଥିସହ ମାଲକାନଗିରି ବାଲିମେଳା ମୁଖ୍ୟ ରାଜପଥ ସହ ଏମଭି-୧୧, କୋରକୁଣ୍ଡା, ଏମଭି-୩୭ ପୋଲ ଉପରେ ୩ ଫୁଟରୁ ୪ ଫୁଟ ଉଚ୍ଚରେ ପାଣି ଚାଲିଛି । ମାଲକାନଗିରିରୁ ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବନ୍ଦ ହୋଇଯାଇଛି ।
ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟ ଜାତୀୟ ରାଜପଥ ସହ ପୋଟେରୁ ଓ କାଙ୍ଗୁରକୋଣ୍ଡା, ଏମଭି-୯୦, ଏମଭି-୭୯, ଏମଭି-୯୬, ମହାରାଜପାଲ୍ଲୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ କାଲିମେଳା, ଏମଭି-୭୯, ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଲିମେଳା ପଡିଆ ରାସ୍ତାର ପୋଟେରୁ କନ୍ୟାଶ୍ରମ ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ କାଲିମେଳା ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ ନିକଟ ରାସ୍ତାର ଦୁଇପାଶ୍ୱର୍ରେ ଯାନବାହନ ଅଟକି ରହିଛି । ଦୁଇ ପାଶ୍ୱର୍ରେ ଅଟକି ରହିଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି ।
Comments are closed, but trackbacks and pingbacks are open.