ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରାସ୍ତା ଗୋଟିଏ । ହେଲେ ବାଣ୍ଟିକୁଣ୍ଟି ନିର୍ମାଣ କରିଛନ୍ତି ଦୁଇ ବିଭାଗ । ଅଧା ରାସ୍ତାକୁ କଂକ୍ରିଟ୍ କରିଛି ପଞ୍ଚାୟତ । ବାକି ରାସ୍ତାରେ କେବଳ ମୁରୁମ୍ ପକାଇ କାମ ସାରିଦେଇଛି ବନ ବିଭାଗ । କଂକ୍ରିଟ୍ ରାସ୍ତା ଭଲ ଥିବା ବେଳେ ମୁରୁମ୍ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଭଳି ଦେଖିବାକୁ ମିଳିଛି ବାରିଣିପୁଟ ପଞ୍ଚାୟତରେ ।
ବାରିଣିପୁଟ ଶିବମନ୍ଦିରରୁ ଦେଓଗୁଡା ଗାଁ ଛକ ପର୍ଯ୍ୟନ୍ତ ଲମ୍ବିଛି ଏହି ୨୦୦ ମିଟର ରାସ୍ତା । ଏହା ବନବିଭାଗ ଅଧୀନରେ ରହିଛି । ପୂର୍ବରୁ ଏହି ରାସ୍ତାରେ ମେଟାଲ ଓ ମୁରୁମ ପକାଯାଇ ସମତଳ କରାଯାଇଥିଲା । ପରବର୍ତ୍ତି ସମୟରେ କେହି ଏହାର ରକ୍ଷଣାବେକ୍ଷଣ କଲେ ନାହିଁ । ଫଳରେ ବାରିଣିପୁଟର ଦେଓଗୁଡା, ଶୁଣ୍ଢିଗୁଡା, ମହୁଲଭଟା ସହ ପାହାଡ ଉପରେ ରହୁଥିବା ଗ୍ରାମବାସୀ ଏହି ରାସ୍ତା ଦେଇ ଯିବାଆସିବାରେ ହଇରାଣ ହେଉଥିଲେ । ବନ ବିଭାଗର ଅଧୀନରେ ଏହି ରାସ୍ତା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ । ବିଭିନ୍ନ ଦିଗରୁ ଚାପ ପଡିବା ପରେ ପଞ୍ଚାୟତ ବାଧ୍ୟ ହୋଇ ଏହି ରାସ୍ତା ନିର୍ମାଣ ପାଇଁ ଗତ ବର୍ଷ ପଦକ୍ଷେପ ନେଇଥିଲା । ଅନୁଦାନ କମ ଥିବାରୁ ମାତ୍ର ୧୦୦ ମିଟର ରାସ୍ତା କଂକ୍ରିଟ କରିଥିଲା । ବଳକା ରାସ୍ତା ଛାଡିଦେଇଥିଲା । ବନବିଭାଗ ଏହି ବଳକା ରାସ୍ତାକୁ କଂକ୍ରିଟ ନକରି ମୁରୁମ ପକାଇ ଦାୟିତ୍ୱ ଶେଷ କରିଦେଲା । କେବଳ ମୁରୁମ ପକାଯାଇଥିବାରୁ ଏବେ ବର୍ଷା ଯୋଗୁ ରାସ୍ତା କାଦୁଅ ହୋଇଯାଇଛି । ଯିବା ଆସିବାରେ ଅଧିକ ସମସ୍ୟା ହେଉଛି । ଏ ସମ୍ପର୍କରେ ରେଞ୍ଜର ରଶ୍ମିରଞ୍ଜନ ସ୍ୱାଇଁ କହିଛନ୍ତି, ବନବିଭାଗ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ନିଦେ୍ର୍ଧଶ ନାହିଁ । ଏଥିପାଇଁ ମୁରୁମ ପକାଯାଇଛି । ଯଦି ଆଗାମୀ ଦିନରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ନିଦେ୍ର୍ଧଶ ଆସେ, ତେବେ ଏହାକୁ ନିର୍ମାଣ କରାଯିବ ।


Comments are closed, but trackbacks and pingbacks are open.