ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ): ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର ଗାଁରୁ ବ୍ରାଉନସୁଗର ଜବତ ହୋଇଛି । ଗୁରୁବାର ଗାଁ ଲୋକେ ବ୍ରାଉନସୁଗର ଜବତ କରିବା ସହ ୬ ଜଣଙ୍କୁ ଧରି ପୁଲିସରେ ଜିମା ଦେଇଥିଲେ । ସଂପୃକ୍ତ ଯୁବକମାନେ ହେଲେ ଜଳେଶ୍ୱର ଥାନା ଅଧୀନ ଝାଡେଶ୍ୱରପୁର ଗାଁର ଜୁମନ ଖାଁଙ୍କ ପୁଅ ଜାମସେଦ(୨୬), ଉଦୟପୁର ଗାଁର ସାନନ୍ଦ ପଟ୍ଟାୟତଙ୍କ ପୁଅ ଅଭିଳାଷ(୨୦), ସାହାବାଜିପୁର ଗାଁର ବିପିନ ପଟ୍ଟାୟତଙ୍କ ପୁଅ ଜନକ(୨୫), ହୁଗୁଳି ପଞ୍ଚାୟତ ଅଧୀନ ଚକ ପଦ୍ମପୁର ଗାଁ ହେମନ୍ତ ସ୍ୱାଇଁଙ୍କ ପୁଅ ଓମକାର(୨୮) । ଏମାନଙ୍କୁ ପୁଲିସ ଗିରଫ କରିଛି । ତେବେ ଅନ୍ୟ ୨ ଜଣଙ୍କ ପରିଚୟ ଜଣାପଡ଼ିନି । ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚର କରୁଛି । ଭୋଗରାଇ ବ୍ଲକରୁ ପ୍ରଥମ କରି ବ୍ରାଉନସୁଗର ଜବତ ହୋଇଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ୟାମାହା ଏଫ୨ ବାଇକ (ଓଡି୦୧ଆର ୯୭୨୯) ଯୋଗେ ଜାମସେଦ ଖାଁ ଓ ବାଲିଆପାଳ ଥାନା ଡାକୁଆ-୨ ଗାଁର କୈଳାଶ ଚନ୍ଦ୍ର ପାତ୍ରଙ୍କ ପୁଅ ରାଜା(୨୫) ଧଳା ଜହର ନେଇ ଗୁରୁବାର ରାତିରେ ଉଦୟପୁର ଗାଁକୁ ଆସିଥିଲେ । ବହୁ ଦିନ ଧରି ଏହା ଚାଲୁଥିବାରୁ ଗାଁ ଲୋକେ ସନେ୍ଦହ କରି ସେହି ଦିନ ରାତିରେ ସନ୍ଧ୍ୟାରେ ଅଭିଳାଷ ପଟ୍ଟାୟତଙ୍କ ଘରେ ଚଢଉ କରିଥିଲେ । ଏତିକିବେଳେ ରାଜା ବାଇକ ସହ ଖସି ପଳାଇ ଯାଇଥିଲା । ମାତ୍ର ଜାମସେଦକୁ ଗାଁଲୋକେ କାବୁ କରି ନେଇଥିଲେ । ଏହାଛଡା ଉଦୟପୁର ଗାଁର ଅଭିଳାଷ ପ;ାୟତ, ସାହାବାଜିପୁର ଗାଁର ଜନକ ପ;ାୟତ, ଚକ ପଦ୍ମପୁର ଗାଁର ଓମକାର ସ୍ୱାଇଁଙ୍କୁ ଗାଁଲୋକେ କାବୁ କରି ପୁଲିସ ଜିମାରେ ଦେଇଥିଲେ । ଏହି ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କଠାରୁ ୩ଟି ପୁଡିଆରେ ପ୍ରାୟ ୨୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଛି । ସେଥିମଧ୍ୟରୁ ଗୋଟିଏ ବାଦାମୀ ଓ ଦୁଇଟି ଧଳା ରଙ୍ଗର ପାଉଡର ଥିଲା । ଏହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ଏହାବାଦ ଆଉ ୨ ଜଣଙ୍କୁ ମଧ୍ୟ ସନେ୍ଦହରେ ଗାଁ ଲୋକେ ଧରି ପୁଲିସରେ ଜିମା ଦେଇଛନ୍ତି । ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ତେବେ ଏହି ମାଫିଆମାନେ ଥାନା ହାଜତରେ ଥାଇ ବି ଉତ୍ପାତ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ତାଳସାରୀ ସାମୁଦ୍ରିକ ଥାନାରେ କେସ ନଂ. ୧/୨୧ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ହେମନ୍ତ କୁମାର ମାଝୀ ପ୍ରକାଶ କରିଛନ୍ତି । ଏହି ମାମଲାର ତଦନ୍ତ ଭୋଗରାଇ ଥାନା ଏସ୍ଆଇ ସୁବର୍ଣ୍ଣା ବେହେରା କରୁଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏମାନଙ୍କ ବ୍ୟତୀତ ଆହୁରି ୫ ଜଣ ଏହି କାରବାରରେ ସମ୍ପୃକ୍ତ ରହିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଜଳେଶ୍ୱରରୁ ଧଳା ଜହର ଏଠାକୁ ଆସି ପଶ୍ଚିମବଙ୍ଗର ଦୀଘା ଓ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିବାର ଲୋକେ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.