
ଲମତାପୁଟ,(ସତ୍ୟ ନାରାୟଣଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ଲମତାପୁଟ ଥାନା ଦୁର୍ଲାଗାଁରୁ କୋଲାବ ଜଳଭଣ୍ଡାର ପାରି କରି ଅଟୋରେ ଚାଲାଣ କରୁଥିବା ବେଳେ ଧରାପଡିଛି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ । ଏହି କାରବାରରେ ପୁଲିସ ନନ୍ଦପୁର ଥାନା ଗ୍ରାମରକ୍ଷୀଙ୍କ ପୁଅକୁ ଗିରଫ କରିଛି । ଗିରଫ ଯୁବକ ହେଲେ ଦୁର୍ଲାଗାଁର ରବୀନ୍ଦ୍ର ଖିଲ । ଅନ୍ୟପକ୍ଷେ ରବୀନ୍ଦ୍ରଙ୍କୁ ସହଯୋଗ କରୁଥିବା ତାଙ୍କର ଦୁଇ ଶଳା ମୁଣ୍ଡାଗଡ ଗାଁର ଲକ୍ଷ୍ମଣ ଖରା ଓ ପ୍ରହ୍ଲାଦ ଖରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନନ୍ଦପୁର ଏସଡିପିଓ ସଞ୍ଚୟ ମହାପାତ୍ର ସୂଚନା ଦେଇଛନ୍ତି । ପୁଲିସର ପୁଅ ହେଉ କି ଯେକୌଣସି ଗଞ୍ଜେଇ ମାଫିଆ ହେଉ ସେମାନଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ଗଞ୍ଜେଇ ଚାଲାଣ ନେଇ ଏସପିଙ୍କୁ ଖବର ମିଳିଥିଲା । ତାଙ୍କ ନିଦେ୍ର୍ଧଶକ୍ରମେ ଏସଡିପିଓ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ଶଙ୍ଖେଇ ଛକ ନିକଟରେ ନାକାବନ୍ଦୀ କରିଥିଲେ । ସିନ୍ଧିପୁଟ ଡଙ୍ଗାଘାଟରୁ ଦ୍ରୁତଗତିରେ ଆସୁଥିବା ଏକ ଅଟୋ(ଓଡି ୧୦ଜେ ୦୫୨୧)କୁ ପୁଲିସ ସେଠାରେ ଅଟକାଇଥିଲା । ସେତେବଳକୁ ଅନ୍ଧାର ହୋଇଯାଇଥିଲା । ଫଳରେ ଏହାର ସୁଯୋଗରେ ଜଙ୍ଗଲକୁ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ଅଟୋ ମାଲିକକୁ ପୁଲିସ କାବୁ କରିଥିଲା । ଅଟରେ ଭିତରେ ୭ଟି ବସ୍ତାରେ ୧କୁଇଣ୍ଟାଲ ୯୭କେଜି ଗଞ୍ଜେଇ ରହିଥିଲା । ଅଟୋ ସହ ଗଞ୍ଜେଇକୁ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ଓଜନ ପରେ ଜବତ ଗଞ୍ଜେଇ ୨୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷେ ଗିରଫ ଅଭିଯୁକ୍ତ ତଥା ଅଟୋ ମାଲିକ ରବୀନ୍ଦ୍ର ଦୁର୍ଲାଗାଁରୁ ଗଞ୍ଜେଇକୁ ଜୟପୁର ଦେଇ ବିହାର ଚାଲାଣ କରାଯାଉଥିବା ଜେରାବେଳେ ସ୍ୱୀକାର କରିଛି । ଦୁଇ ଶଳାଙ୍କ ସହ ରବୀନ୍ଦ୍ର ବହୁବାର ଏଭଳି ଗଞ୍ଜେଇ ଚୋରା ଚାଲାଣ କରୁଥିବା କହିଥିବା ପୁଲିସ କହିଛି । ଏନେଇ ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି, ଆଗାମୀଦିନରେ ମଧ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଭଳି ବେଆଇନ୍ କାରବାରରେ ସମ୍ପୃକ୍ତ କାହିରିକୁ ମଧ୍ୟ ଛଡାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.