୨୧ ବର୍ଷରୁ କମ୍ ୟୁରୋ କପ୍:ସ୍ପେନ୍କୁ ରେକର୍ଡ ପଞ୍ଚମ ଟାଇଟଲ

Get real time updates directly on you device, subscribe now.

ୟୁଡାଇନ୍: ଇଟାଲୀରେ ଅନୁଷ୍ଠିତ ୨୧ ବର୍ଷରୁ କମ୍ ୟୁରୋପିଆନ୍ ଫୁଟବଲ୍ ଚାମ୍ପିଅନ୍ସିପରେ ଚମକ୍ରାର ପ୍ରଦର୍ଶନ ସହ ସ୍ପେନ୍ ଚାମ୍ପିଅନ୍ ହୋଇଛି । ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଦଳ ୨-୧ ଗୋଲ୍ରେ ଜର୍ମାନୀକୁ ପରାସ୍ତ କରିଥିଲା । ଏଥିସହିତ ସ୍ପେନ୍ ରେକର୍ଡ ପଞ୍ଚମ ଥର ୟୁରୋ କପ୍ ହାସଲ କରି ଆୟୋଜକ ଇଟାଲୀର ସମକକ୍ଷ ହୋଇଛି । ପୂର୍ବରୁ ଇଟାଲୀ(୫) ହିଁ ସର୍ବାଧିକ ଥର ବିଜୟ ମୁକୁଟ ପିନ୍ଧିଥିଲା । ଦଳ ଶେଷଥର ପାଇଁ ୨୦୦୪ ସଂସ୍କରଣରେ ଚାମ୍ପିଅନ୍ ହୋଇଥିଲା ।
ମ୍ୟାଚ୍ ଆରମ୍ଭରୁ ସ୍ପେନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା । ତେଣୁ ଦଳ ସପ୍ତମ ମିନିଟ୍ରେ ଗୋଲ ଖାତା ଖୋଲିବାରେ ସକ୍ଷମ ହୋଇଥିଲା । ଦଳର ଷ୍ଟାର ଖେଳାଳି ଫାବିଆନା ପେନା ଏହି ଗୋଲ ସ୍କୋର କରିଥିଲେ । ଏଥର ମ୍ୟାଚ୍କୁ ଫେରିବାକୁ ଜର୍ମାନୀ ଜୋରଦାର ପ୍ରୟାସ କରିଥିଲା । ପ୍ରଥମାର୍ଦ୍ଧରେ ଦଳ ୨ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ଖାତା ଖୋଲିପାରିନଥିଲା । ଏଥିସହିତ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍ପେନ୍ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟାର୍ଦ୍ଧରେ ଘମାଘୋଟ ଲଢ଼େଇ ହୋଇଥିଲା । ୬୯ତମ ମିନିଟ୍ରେ ସ୍ପେନ୍ ଦ୍ୱିତୀୟ ଗୋଲ କରି ସ୍ଥିତି ମଜଭୁତ କରିନେଇଥିଲା । ଦଳ ପକ୍ଷରୁ ଓଲ୍ମା କାର୍ଭାଜଲ୍ ଏହି ଗୋଲ କରିଥିଲେ । ଜୋରଦାର ସଂଘର୍ଷ ପରେ ଜର୍ମାନୀ ୮୮ତମ ମିନିଟ୍ରେ ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ନଦୀମ ଅମିରି ଏହି ସମ୍ମାନଜନକ ଗୋଲ କରିଥିଲେ । ଇନ୍ଜ୍ୟୁରୀ ଟାଇମ୍ ବେଶ୍ ରୋମାଞ୍ଚକର ରହିଥିଲା । ମ୍ୟାଚ୍କୁ ବରାବର କରିବା ପାଇଁ ଜର୍ମାନୀ ସବୁ ଶକ୍ତି ଖଟାଇ ଦେଇଥିଲା । ମାତ୍ର ବେଶ୍ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଶେଷ ପର୍ଯ୍ୟନ୍ତ ଆଉ ଗୋଲ ହୋଇନଥିଲା । ଫଳରେ ସ୍ପେନ୍ ୨-୧ରେ ବିଜୟୀ ହୋଇ ଟାଇଟଲ ହାତେଇଥିଲା । ସ୍ପେନ୍ ପୂର୍ବରୁ ୨୦୧୩, ୨୦୧୧, ୧୯୯୮ ଓ ୧୯୮୬ ସଂସ୍କରଣରେ ଚାମ୍ପିଅନ୍ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons