୨୨ ପଦକୁ ୨ ହଜାର ପ୍ରାର୍ଥୀ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ମାତ୍ର ୨୨ ଟି ଦିନ ମଜୁରିଆ ପଦ ପାଇଁ ୨ ହଜାରରୁ ଅଧିକ ପ୍ରାର୍ଥୀ । ଖାଲି ନବରଙ୍ଗପୁର ନୁହେଁ ବାହାର ଜିଲ୍ଲାର ବି ଥିଲେ ଆଗନ୍ତୁକ । ଗ୍ରୁପ-ଡି ପଦରେ ନିଯୁକ୍ତି ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଶନିବାର ଦେଖିବାକୁ ମିଳିଛି ସ୍ଥାନୀୟ ଦୌରାଜଜ୍ ଅଦାଲତ ପରିସରରେ । ଯାହା ବେକାରୀ ସମସ୍ୟାର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଛି । ବେକାରୀ ଯୁବକଯୁବତୀଙ୍କ ଭିଡ ଏତେ ହୋଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଠେଙ୍ଗା ଦେଖାଇବାକୁ ପଡିଥିଲା ।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ଅଦଲାତରେ ୨୨ ଟି ଗ୍ରୁପ-ଡି ପୋଷ୍ଟରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହି ଚାକିରିର ଅବଧି ମାତ୍ର ୬ ମାସ ଥିଲା । ଚଳିତ ମାସ ୩ ରେ ଏହି ବିଜ୍ଞାପନ ବାହାରିଥିଲା । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଥିଲା ଅଷ୍ଟମ ପାସ୍ । ଆବେଦନକାରୀ ଭାରତୀୟ ନାଗରିକ ହୋଇଥିବା ମଧ୍ୟ ରହିଥିଲା । ପ୍ରାର୍ଥୀଙ୍କୁ କେବଳ ୱାକ୍ ଇନ୍ ଇଣ୍ଟରଭୁ୍ୟରେ ବସିବାକୁ ଥିଲା । ଏପରିସ୍ଥଳେ, ଆବେଦନକାରୀ ଏତେ ସଂଖ୍ୟାରେ ପହଞ୍ଚି ଥିଲେ ଯେ ଆୟୋଜକଙ୍କ ଆକଳନ ବାହାରକୁ ଏହା ଚାଲି ଯାଇଥିଲା । ଦୁଇ ହଜାରରୁ ଅଧିକ ଆବେଦନକାରୀଙ୍କ ଭିଡ ଜମିଥିଲା । ସମସ୍ତେ କରୋନା କଟକଣାକୁ ଫୁ କରି ଗଦା ହୋଇଥିଲେ । ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା । ସାମାଜିକ ଦୂରତା ରକ୍ଷା କଥା ପଚାରେ କିଏ? । ଏପରିକି ଯୁବକଯୁବତୀଙ୍କ ଭିଡ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଥିଲା । ପାନୀୟ ଜଳ ପାଇଁ ମଧ୍ୟ ଆବେଦନକାରୀମାନେ ହଟହଟା ହୋଇଥିଲେ । ଅନେକ ଆବେଦନକାରୀ ଲାଇନ୍ରେ ଘଣ୍ଟାଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇଥିଲେ । ବହୁ ଆବେଦନକାରୀ ଭିଡକୁ ଦେଖି ଫେରି ମଧ୍ୟ ଯାଇଥିଲେ । ପେଟ ଚାଖଣ୍ଡକ ପାଇଁ ଗୋରୁ ହାଟ ଭଳି ଭିଡ ହୋଇଥିଲା । ବିଜ୍ଞାନ, ବାଣିଜ୍ୟ ଆଦିରେ ସ୍ମାତକ ଯୋଗ୍ୟତାଧାରୀଙ୍କ ସଂଖ୍ୟା ବି କିଛି କମ୍ ନଥିଲା । ଆବେଦନକାରୀମାନେ ଦିସ୍ତାଦିସ୍ତା ସାର୍ଟିଫିକେଟ୍ ଧରି ଲାଇନ୍ରେ ଠିଆ ହୋଇଥିଲେ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିଯାଏ ଇଣ୍ଟରଭୁ୍ୟ ଚାଲିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons