
ମାଲକାନଗିରି,(ବିବିନୁ୍ୟଜ):ମାଓବାଦୀଙ୍କ ଆମ୍ବୁସ୍ରେ ଫସିଗଲେ । ସହିଦ ହୋଇଗଲେ ୨୨ ଜଣ ଯବାନ । ଗୁରୁତର ହେଲେ ପାଖାପାଖି ୩୦ । ଗତ ଶନିବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ତରମେ ଥାନା ବଟିଗୁଡା ସିଲଗେର ଜଙ୍ଗଲରେ ଏହି ଘଟଣା ଘଟିଥିଲା । ଘଟଣାଦିନ ୫ ଜଣ ଯବାନଙ୍କ ମୃତଦେହ ମିଳିଥିଲା । ରବିବାର ସର୍ଚ୍ଚ ଅପରେସନ ବେଳେ ଅନ୍ୟମାନଙ୍କ ଶବ ମିଳିଛି । ମୃତକଙ୍କ ମଧ୍ୟରେ ଡିଆରଜି ପୁଲିସ, କୋବ୍ରାବାହିନୀ ଓ ସିଆରପିଏଫ୍ ଯବାନ ଅଛନ୍ତି । ଏଥିରେ ଜଣେ ମହିଳାଙ୍କ ସହ ୧୫ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ଏହି ହିଂସାକାଣ୍ଡରେ ଅଧିକ ମୃତାହତ ହୋଇଥିବା କୁହାଯାଉଛି । ରବିବାର ସକାଳେ ସହିଦଙ୍କୁ ଜଗଦଲପୁରଠାରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି । ଘଟଣାସ୍ଥଳରେ ସିଆରିପିଏଫ ଡିଜି, ଛତିଶଗଡ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଓ ଅନ୍ୟ ଉଚ୍ଚାଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୁରୁତର ଯବାନଙ୍କୁ ରାୟପୁରସ୍ଥିତ ରାମକୃଷ୍ଣ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତ ଶନିବାର ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲା ତରେମ ଥାନା ବଟିଗୁଡ ସିଲଗେର ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ୫ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ପୁଲିସକୁ ପୂର୍ବ ସୂଚନା ମିଳିଥିଲା । ମାଓ ଦମନ ପାଇଁ ବିଜାପୁର ଜିଲ୍ଲା ଡିଆରଜି ପୁଲିସ, କୋବ୍ରାବାହିନୀ ଓ ସିଆରପିଏଫ ଯବାନ ସକାଳେ ଉକ୍ତ ଜଙ୍ଗଲକୁ କମ୍ବିଂରେ ଯାଇଥିଲେ । ଜଙ୍ଗଲରେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯବାନମାନେ ଏହାର ପାଲଟା ଯବାବ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ମାଓବାଦୀମାନେ ଆଧୁନିକ ଯୁଦ୍ଧାସ୍ତ୍ର ସହ ରକେଟ ଲଞ୍ଚର ମାଡ କରିଥିଲେ । ଘଟଣାଦିନ ସର୍ଚ୍ଚ ଅପରେସନ ବେଳେ ୫ ଜଣ ଯବାନଙ୍କ ମୃତଦେହ ମିଳିଥିଲା । ଜଣେ ମହିଳାଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଅନ୍ୟ ୩୦ ଜଣ ଯବାନ ଗୁରୁତର ହେବା ସହ ୧୫ ଜଣ ନିଖୋଜ ହୋଇଯାଇଥିଲେ । ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗୁଳି ମାଡ ଚାଲିଥିଲା । ଗୁରୁତର ଯବାନଙ୍କୁ ତୁରନ୍ତ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ନିଆଯାଇଥିଲା । ନିଖୋଜ ଯବାନଙ୍କୁ ଖୋଜିବାକୁ ଉଦ୍ୟମ ଜୋର୍ଦାର କରାଯାଇଥିଲା । ଘଞ୍ଚ ଜଙ୍ଗଲ ଯୋଗୁ ସର୍ଚ୍ଚରେ ବାଧା ଉପୁଜିଥିଲେ ହେଁ ରବିବାର ସକାଳେ ଜଙ୍ଗଲର ବିଭିନ୍ନ ସ୍ଥାନରୁ ୧୪ ଜଣ ଯବାନଙ୍କ ମୃତଦେହ ମିଳିଥିଲା । ସମସ୍ତ ସହିଦଙ୍କୁ ପୁଲିସ ମୁଖ୍ୟାଳୟକୁ ନିଆଯାଇଛି । ଅନ୍ୟ ଜଣଙ୍କ ମୃତଦେହ ମିଳି ନଥିବା ସୂଚନା ମିଳିଛି । ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଜାରି ରହିଥିବାବେଳେ ମାଲକାନଗିରି ଛତିଶଗଡ ସୀମାକୁ ସିଲ୍ କରିଦିଆଯାଇଛି ।
ରବିବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ଓଡିଶା ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ସୀମାନ୍ତ ବିଜାପୁରଠାରେ ଘଟିଥିବା ଏହି ମାଓ ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ସୀମାନ୍ତରେ ଛତିଶଗଡ ଓ ଓଡିଶା ପୁଲିସର ମିଳିତ ମାଓଦମନ ଅପରେସନ ଜୋର୍ କରାଯିବ ବୋଲି ଶ୍ରୀ ଅଭୟ କହିଛନ୍ତି । ଘଟଣାସ୍ଥଳରେ ସିଆରିପିଏଫ ଡିଜି, ଛତିଶଗଡ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଓ ଅନ୍ୟ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସହିଦଙ୍କ ମରଶରୀର ଉପରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣାଇଛନ୍ତି ।
ସୀମାନ୍ତ ଛତିଶଗଡ ରାଜ୍ୟରେ ମାଓ ହିଂସା ଥମିବା ନାଁ ଧରୁନି । ପ୍ରତିଦିନ କେଉଁଠି ନା କେଉଁଠି କିଛି ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏହା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ପୁଲିସକୁ ମାଓବାଦୀମାନେ ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି । ମାଓ ଦମନ ପାଇଁ ପୁଲିସର ଯୋଜନା ଅନେକ ସମୟରେ ପଣ୍ଡ ହେଉଥିବା ପରିଲକ୍ଷିତ ହେଉଛି ।


Comments are closed, but trackbacks and pingbacks are open.