୨୩ରେ ଖୋଲିବ ଶ୍ରୀମନ୍ଦିର

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ଦୀର୍ଘ ୯ମାସର କଟକଣା ପରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ପ୍ରବେଶ ଅନୁମତି ମିଳିବ । ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ଖୋଲିବ । ୩୧ପର୍ଯ୍ୟନ୍ତ ଏହା ଚାଲିବ । ଜାନୁଆରୀ ପହିଲାରୁ ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ୩ତାରିଖରୁ ସର୍ବସାଧାରଣଙ୍କ ପାଇଁ ପ୍ରଭୁଙ୍କ ଦର୍ଶନ ସୁବିଧା ମିଳିବ । ପ୍ରଥମ ଦଫାରେ ସେବାୟତ ମହିଳା, ପୁରୀ ସହର ତଥା ଜିଲ୍ଲାବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ପ୍ରଥମେ ପାଞ୍ଚ ହଜାର ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ଦର୍ଶନ ପ୍ରବେଶ ସୁବିଧା ମିଳିବ । ପୁରୀରୁ ତିନି ହଜାର ଏବଂ ଭୁବନେଶ୍ୱରରୁ ଦୁଇ ହଜାର ଲୋକଙ୍କୁ ତାଲିକାଭୁକ୍ତ କରାଯିବ । ଏହି ପ୍ରସ୍ତାବ ସରକାରଙ୍କୁ ଦିଆଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।
ପର୍ଯ୍ୟାୟକ୍ରମେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରାଯିବ । କୋଭିଡ୍ କଟକଣା ମଧ୍ୟରେ ଦର୍ଶନାର୍ଥୀ ଶ୍ରୀମନ୍ଦିର ପ୍ରବେଶ କରିବେ । ୪ଦ୍ୱାରକୁ ସାନିଟାଇଜ କରାଯିବ । ଦର୍ଶନ ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ସାମାଜିକ ଦୂରତା ରକ୍ଷା କରାଯିବ । ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ପୂର୍ବରୁ ଦୁଇଦିନ ପାଇଁ (୨୧ରୁ) ସେବାୟତ ପରିବାରର ମହିଳାମାନେ ପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯିବ ।ଏହାପରେ ସ୍ଥାନୀୟ ଲୋକଙ୍କୁ ମିଳିବ ସୁଯୋଗ । ଏଭଳି ପ୍ରସ୍ତାବ ଶନିବାର ଶ୍ରୀମନ୍ଦିର ଛତିଶା ନିଯୋଗ ଦେଇଛି ।
ଛତିଶା ନିଯୋଗର ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଅନୁମୋଦନ ମିଳିବା ପରେ ବିସ୍ତୃତ ଏସଓପି ଜାରି କରାଯିବ । ସରକାର ଦର୍ଶନ ରୂପରେଖ ନିଶ୍ଚିତ କରିବା ପରେ ତାରିଖ ଘୋଷଣା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଛତିଶା ନିଯୋଗ ବୈଠକ ଆଲୋଚନା ପରେ ସୂଚନା ଦେଇଛନ୍ତି । ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ତାରିଖରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କରିବାର ସୁଯୋଗ ପାଇବେ । ସର୍ବସାଧାରଣ ଦର୍ଶନର ଅଭିଜ୍ଞତା ଆଧାରରେ ଦର୍ଶନାର୍ଥୀଙ୍କ ସଂଖ୍ୟାକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ସପ୍ତାହରେ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ।
ବୈଠକରେ ଶୃଙ୍ଖଳିତ ଦର୍ଶନ ପାଇଁ ଏକାଧିକ ପ୍ରସ୍ତାବ ଆସିଛି । ଦର୍ଶନ ବେଳେ କୋଭିଡ୍ କଟକଣାକୁ କଡାକଡ଼ି ଲାଗୁ କରାଯିବ । ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସାମାଜିକ ଦୂରତା ରକ୍ଷା କରାଯିବ । ହାତ ସାନିଟାଇଜ କରି ଭକ୍ତ ଶ୍ରୀମନ୍ଦିର ପ୍ରବେଶ କରିବେ । ଭକ୍ତମାନେ ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ପଡ଼ିବ । ଦର୍ଶନାର୍ଥୀଙ୍କ ଫୁଲ, ତୁଳସୀ, ଭୋଗ ଆଦି ଶ୍ରୀମନ୍ଦିରରେ ପ୍ରବେଶ କରିବ ନାହିଁ । ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସାମାଜିକ ଦୂରତା ମଧ୍ୟରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗର ଏହି ସବୁ ସୁପାରିସକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ରାଜ୍ୟ ସରକାର ତଦନୁସାରେ ଦର୍ଶନ ରୂପରେଖ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ଜାନୁଆରୀ ୩ରୁ ପାଞ୍ଚ ହଜାର ଦର୍ଶନାର୍ଥୀଙ୍କୁ ଛାଡ଼ିବାକୁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଦର୍ଶନାର୍ଥୀଙ୍କ ନାମ ତାଲିକା କରିବାକୁ ଭୁବନେଶ୍ୱର ଏବଂ ପୁରୀରେ ଦୁଇଟି କାଉଣ୍ଟର କରିବାକୁ ପ୍ରସ୍ତାବ ଆସିଛି । ସେହିଭଳି ସେବାୟତଙ୍କୁ କୋଭିଡ୍ ଇଞ୍ଜେକ୍ସନ୍ ବ୍ୟବସ୍ଥା କରିବାକୁ ଛତିଶା ନିଯୋଗ ବୈଠକରେ ଦାବି କରିଛନ୍ତି ସେବାୟତ କର୍ମକର୍ତ୍ତା ।
ବୈଠକରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଏସ୍ପି କନ୍ୱର ବିଶାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପା;ଯୋଷୀ ମହାପାତ୍ର, ଦେଉଳ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ପାଞ୍ଚ ସେବାୟତ ସଦସ୍ୟଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons