
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଶବ ସକ୍ରାରକୁ ନେଇ ଅଚଳାବସ୍ଥା । ଦୀର୍ଘ ୨୪ ଘଣ୍ଟା ଧରି ପଡ଼ିରହିଲା ଶବ । ମୃତକଙ୍କ ଶେଷ ଦର୍ଶନ କରିପାରି ନ ଥିଲେ ପରିବାର ଓ ସମ୍ପର୍କୀୟ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କିଛି ଘଟିବା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲାଗି ଏକ ବଡ଼ ଧରଣର ଅଘଟଣ ଏଡ଼ାଇ ଦିଆଯାଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଶବ ସକ୍ରାର କରାଯାଇଥିଲା ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ କୋଭିଡ୍ ହସପିଟାଲରେ ଗତ ୧୬ ତାରିଖ ଅପରାହ୍ନ ପ୍ରାୟ ଗୋଟାଏରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । ପୂର୍ବରୁ ଏକାଧିକ ମୃତଦେହ ସକ୍ରାର ଲାଗି ରହିଥିଲା । ଶବଦାହ କରୁଥିବା କର୍ମଚାରୀ ବିଶ୍ରାମହୀନ କାମ କରୁଥିଲେ । ତଥାପି ରାତିସୁଦ୍ଧା ମୃତଦେହ ସକ୍ରାର ହୋଇ ପାରି ନଥିଲା । ୧୭ ତାରିଖ ଅର୍ଥାତ ଆଜି ସକାଳୁ ଶବ ସକ୍ରାର କରାଯିବ ବୋଲି ହସପିଟାଲ ପକ୍ଷରୁ କୁହାଯାଇଥିଲା । ଉପାୟ ନଥିବାରୁ ସମସ୍ତେ ରାଜି ହୋଇଥିଲେ । ରାତି ପାହି ପୂର୍ବାହ୍ନ ୧୦ଟା ହୋଇଗଲା । ଆଉ ଟିକେ ସମୟ କହି କହି ମେଡିକାଲ କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିଥିଲେ । ଅପରାହ୍ନ ଗୋଟାଏ ବାଜି ଯାଇଥିଲା । ସେ ପର୍ଯ୍ୟନ୍ତ ମୃତକଙ୍କ ମୁହଁ ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟ କେହି ଦେଖି ପାରିନଥିଲେ । ଯାହା ସେମାନଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗିଥିଲା । ଆଇନ ହାତକୁ ନେଇ କୋଭିଡ୍ ହସପିଟାଲ ଭିତରେ ଜବରଦସ୍ତ ପଶିବାକୁ ଚିନ୍ତା କରିଥିଲେ ।
ବିଳମ୍ବ କାରଣ ପଚାରିବାରୁ ସତ ପଦାକୁ ଆସିଥିଲା । ଶବ ସକ୍ରାର ଲାଗି ନିୟୋଜିତ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ମୃତଦେହ ପଡି ରହିଥିବା ଜଣାପଡିଥିଲା । ସକାଳେ ସକ୍ରାର ଲାଗି କର୍ମଚାରୀମାନେ କୋଭିଡ୍ ହସପିଟାଲ ପରିସରକୁ ଆମ୍ବୁଲାନ୍ସ ଧରି ଆସିଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ କୌଣସି କର୍ମଚାରୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ଉକ୍ତ କର୍ମଚାରୀ ଜଣଙ୍କ କୁଆଡେ କଟୁ କଥା କହିଥିଲେ । ଘୃଣା ଦୃଷ୍ଟିରେ ଦେଖିଥିଲେ । ଯାହାକୁ ନେଇ ଶବ ସକ୍ରାର କରୁଥିବା କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାମ କରିବେ ନାହିଁ ବୋଲି କହି ଡାକ୍ତରଖାନା ଛାଡ଼ି ଚାଲି ଯାଇଥିଲେ । ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ କାହାର ଫୋନ ଉଠାଇ ନଥିଲେ । ଖବର ପ୍ରଶାସନ ପାଖରେ ପହଞ୍ଚିଥିଲା । ଡାକ୍ତରଖାନା ବାହାରେ ଅପେକ୍ଷାରତ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା । ଶେଷରେ ଏଏମ୍ଓ ଡାକ୍ତର ଆଶିଷ ପାଣିଗ୍ରାହୀ, ହସ୍ପିଟାଲ ମ୍ୟାନେଜର ବିଭାବସୁ ରାଉତ ପ୍ରମୁଖ ହସ୍ତକ୍ଷେପ କରିଥିଲେ । କର୍ମଚାରୀଙ୍କୁ ବୁଝାସୁଝା କରି ଡାକ୍ତରଖାନାକୁ ଆଣିଥିଲେ । ପ୍ରାୟ ୨ଟା ବେଳେ ଶବ ସକ୍ରାର ଲାଗି ନିଆଯାଇଥିଲା ।
Comments are closed, but trackbacks and pingbacks are open.