ଲମତାପୁଟ: ଆନ୍ଧ୍ରପ୍ରଦେଶ ମଚ୍ଚିମପୁଟରୁ ବିହାର ଚାଲାଣ ବେଳେ ସ୍ଥାନୀୟ ସାନସଗର ନିକଟରେ ଧରାପଡିଛି ଅଢେଇ କୁଇଣ୍ଟାଲ ଗଞ୍ଜେଇ । ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକକୁୁ ମାଛକୁଣ୍ଡ ପୁଲିସ ଗିରଫ କରିଛି । ଗିରଫ ଯୁବକଜଣଙ୍କ ହେଲେ ଏଲ.ଏଫ୍.ଜଲାପୁଟ ଗାଁର ଦେବାଶିଷ ଆଚାର୍ଯ୍ୟ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ମାଛକୁଣ୍ଡ ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୋରାପୁଟ ଏସପି ବରୁଣ ଗୁଣ୍ଠପଲ୍ଲୀଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା । ତାଙ୍କ ନିଦେ୍ର୍ଧଶକ୍ରମେ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଡମ୍ବରୁଧର ବାତ୍ରିଆଙ୍କ ସହ ଏକ ଟିମ୍ ସାନସଗର ଗାଁ ନିକଟରେ ନାକାବନ୍ଦୀ କରିଥିଲେ । ସେହି ସମୟରେ ଜଲାପୁଟ ଅଞ୍ଚଳରୁ ଦ୍ରୁତଗତିରେ ଆସୁଥିବା ଏକ ଭ୍ୟାନ୍କୁ ପୁଲିସ ଅଟକାଇଥିଲା । ଗାଡି ଚାଳକକୁ କାବୁ କରିବା ପରେ ମାଜିଷ୍ଟେ୍ରଟ ତଥା ତହସିଲଦାର ମାନସ ପଟ୍ଟନାୟକଙ୍କ ଉପସ୍ଥିତିରେ ଭ୍ୟାନ୍କୁ ଯାଞ୍ଚ କରାଯାଇଥିଲା । ଗାଡି ଡାଲା ଭିତରେ ୧୫ଟି ବସ୍ତାରେ ପ୍ରାୟ ଅଢେଇ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଗାଡି ସହ ଗଞ୍ଜେଇକୁ ଜବତ କରିବା ସହ ଚାଲାଣକାରୀ ଯୁବକ ଦେବାଶିଷକୁ ପୁଲିସ ଗିରଫ କରିଥିଲା । ପଚରାଉଚରା ପରେ ଦେବାଶିଷ ଆନ୍ଧ୍ରର ମଚ୍ଚିମପୁଟ ଗାଁରୁ ଏହି ଗଞ୍ଜେଇ ଆଣିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ଏହାକୁ ସେମିଳିଗୁଡା ନେଇ ସେଠାରୁ ବିହାରରୁ ଆସିଥିବା ଗଞ୍ଜେଇ ମାଫିଆଙ୍କୁ ଦେବା ଯୋଜନା କରିବା ସହ ଏଥିପାଇଁ ଜାଲ ଗାଡି ନମ୍ବର ବ୍ୟବହାର କରୁଥିବା ସ୍ୱୀକାର କରିଛି । ଭ୍ୟାନ୍ର ଇଞ୍ଜିନ ଓ ଚେସିସ୍ ନମ୍ବର ଲିଭାଇ ଗଞ୍ଜେଇ ଚାଲାଣ କରିଆସୁଥିବା ପୁଲିସ ଆଗରେ ସେ କହିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଥିବା କହିଛି ।
ସୂଚନା ଯୋଗ୍ୟ ଯେ, ଚଳିତବର୍ଷ ଆଜିପର୍ଯ୍ୟନ୍ତ ମାଛକୁଣ୍ଡ ପୁଲିସ ୨୧ଟି ଗଞ୍ଜେଇ ମାମଲା ରୁଜୁ କରି ୩୨ଜଣଙ୍କୁ କୋର୍ଟ ଚାଲାଣ କରିଛି । ସମୂଦାୟ ୫ଟନ୍ ୩୦୭ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୭ଟି ଗାଡି ସିଜ୍ କରାଯାଇଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.