ପଦ୍ମପୁର,(ବି.ବି.ନୁ୍ୟଜ୍): ବେଆଇନ ଚାଲାଣ ବେଳେ ପଦ୍ମପୁର ପୁଲିସ୍ ହାତରେ ଧରାପଡିଛି ୨୮ କେଜି ୨୦୦ ଗ୍ରାମ ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ନୂଆଗଡ ପଞ୍ଚାୟତ ମିଲିକାପାଙ୍ଗି ଗାଁର ସୁସେନ୍ ବର୍ଦ୍ଧନ(୧୮) । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଏକ ଘରୋଇ ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇଥିଲା ପୁଲିସ୍ । ଥାନା ଅଧିକାରୀ ଶ୍ରୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ସୁନାରିଘାଇ ଛକ ନିକଟରେ ବସ୍କୁ ଅପେକ୍ଷା କରିଥିଲା । ବସ୍(ଓଡି-୦୨ଏଏଫ୍-୯୭୩୬) ପହଞ୍ଚିବା ପରେ ପୁଲିସ୍ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବସ୍ ଭିତରୁ ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତ ସୁସେନ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା । ଜେରା ବେଳେ ଗୁଣପୁରରୁ ଭୁବନେଶ୍ୱର ଚାଲାଣ ହେଉଥିବା ପୁଲିସ୍ ନିକଟରେ ସୁସେନ୍ ସ୍ୱୀକାର କରିଥିଲା । ଏ ସମ୍ପର୍କରେ ପଦ୍ମପୁର ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଖୁବ୍ଶୀଘ୍ର ଫେରାର୍ ଅଭିଯୁକ୍ତକୁ ଗିରଫ କରାଯିବ । ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଏହି ଚଢଉରେ ଏସ୍ଆଇ ତ୍ରିନାଥ ତୋଟାପାଟିଆଙ୍କ ସମେତ ଥାନା କର୍ମଚାରୀମାନେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.