ମାଥିଲି,(ବି.ବି.ନୁ୍ୟଜ୍): ଦୁଇ ବର୍ଷ ତିନି ମାସର ଏକ ଶିଶୁକୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଓପ୍ରବଣ କର୍ତ୍ତନପାଲ୍ଲୀ ପଞ୍ଚାୟତ କପ୍ରା ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଶିଶୁଟି ହେଲା ଗାଁର ଖଗପତି ଖରାଙ୍କ ପୁଅ ସୁରଜ । ମାଥିଲି ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ସୂଚନା ଅନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ପିଲାଟିର ବାପା ଖଗପତି ଓ ମାଆ ଉଭୟ କାମ କରିବାକୁ ଜମିକୁ ଯାଇଥିଲେ । ଏହି ସମୟରେ ପିଲାଟି ପଡୋଶୀ ପିଲାଙ୍କ ସହ ଖେଳୁଥିଲା । ବାପାମାଆ ଜମିରୁ ଫେରି ଘରେ ତାଙ୍କ ଶିଶୁ ମରି ପଡିଥିବା ଦେଖିଥିଲେ । କେହି ଦୁର୍ବୃତ୍ତ ଶିଶୁଟିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଥିଲା । ଶିଶୁଟିର ମୁଣ୍ଡ, ପିଠିରେ ଗଭୀର ଆଘାତ ଲାଗିଥିଲା । ଶୁକ୍ରବାର ସକାଳେ ଖଗପତି ମାଥିଲି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଦୁର୍ବୃତ୍ତ ପୁଅକୁ ମାରି ଦେଇଥିବା ଖଗପତି କହିଛନ୍ତି । ଥାନା ଅଧିକାରୀ ରଘୁନାଥ ମାଝି କପ୍ରା ଗଁାଁକୁ ଯାଇ ପିଲାଟିର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମାଥିଲି ମେଡିକାଲ୍ ପଠାଇଥିଲେ । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଶ୍ରୀ ମାଝି କହିଛନ୍ତି । ହତ୍ୟାକାରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.