୨ ଭାଇ ଗିରଫ, ୧.୮୦ ଲକ୍ଷର ବ୍ରାଉନସୁଗର ଜବତ

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ବ୍ରାଉନସୁଗାର ବିକ୍ରିର ନୂଆ ତରିକା । ଆଗ ବଡ଼ଭାଇ ଟଙ୍କା ରଖୁଥିଲା ଓ ପରେ ଫୋନରେ କହିବା ପରେ ସାନ ଭାଇ ଗ୍ରାହକଙ୍କୁ ବ୍ରାଉନସୁଗର ଯୋଗାଉଥିଲା । ବିଗତ ଦୁଇ ବର୍ଷ ହେବ ଏମିତି ଢଙ୍ଗରେ ଦୁଇ ଭାଇ ନାଫା ଏବଂ ଅମନ ପୁଲିସ ଆଖିରେ ଧୂଳିଦେଇ ଧଳାଜହର ବେପାର ଜମାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲା । ଶେଷରେ ଗତ ସୋମବାର ଆଦର୍ଶ ଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମରୁ ନାଫା ଓରଫ ଏସ.କେ.ହବିବ୍ (୫୦) ଏବଂ ତାର ସାନଭାଇ ଏସ. କେ ଅମନ(୪୨) ପୁଲିସ ଉଭୟଙ୍କୁ କୁମ୍ବିଲୋ ଗ୍ରାମର ହରିମଣ୍ଡପରୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ଲକ୍ଷ ୮୦ ହଜାର ଟଙ୍କାର (୧୮.୫ ଗ୍ରାମ) ବ୍ରାଉନସୁଗର ଏବଂ ନଗଦ ୯୪୦ ଟଙ୍କା ପୁଲିସ ଜବତ କରିଛି ।
ଘଟଣାରୁ ଜଣାଯାଇଛି ଗତ ବର୍ଷ ଅଗଷ୍ଟ ୩ରେ ବଡ଼ଭାଇ ନଫାକୁ ଆଦର୍ଶ ଥାନା ପୁଲିସ ବ୍ରାଉନସୁଗର କାରବାର ଅଭିଯୋଗରେ ଗିରଫ କରିଥିଲା । ତା ନିକଟରୁ ନଗଦ୍ ୭୨ ହଜାର ଟଙ୍କା ଓ ୮.୬୫୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏହି ଘଟଣାରେ ପୁଲିସ ଏକ ମାମଲା (୨୩୦/୧୯) ରୁଜୁ କରିଥିଲା । ସେହିପରି ଉକ୍ତ ଦିନ ଗୁରୁଜଙ୍ଗ ଉତ୍ସବ ପଡ଼ିଆ ନିକଟରେ ଡକାୟତି ଉଦ୍ୟମ ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନଫାର ସାନ ଭାଇ ଅମନ ଏବଂ ଏସ.କେ ରମହନ, ସଦର ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ସୁନୀଲ ମାନସିଂହ, ଭାଲିଆବାଡ଼ି ଗ୍ରାମର ତପୁ ଓରଫ ଗଗନ ନାୟକ ଓ ଜଟଣୀ ଅଞ୍ଚଳର ଆଶିକ୍ ଖାଁ ଥିଲେ । ଏମାନଙ୍କ ନିକଟରୁ ଖଣ୍ଡା, କଟୁରି, ଲୁହାରଡ଼ ପ୍ରମୁଖ ମାରଣାସ୍ତ୍ର ପୁଲିସ ଜବତ କରିବା ସହ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । କିନ୍ତୁ ଜାମିନ୍ରେ ଫେରିବା ପରେ ନାଫା ଏବଂ ଅମିନ ପୁନର୍ବାର ନିଜ ଗ୍ରାମ କେରଙ୍ଗ ସମେତ ଆଖପାଖ ଅଞ୍ଚଳରେ ନିଜର ନିଶା କାରବାର ଆସ୍ଥାନ ଜମାଇବାରେ ଲାଗିପଡ଼ିଥିଲେ । କିନ୍ତୁ ଦୁଇ ଭାଇଙ୍କ ବେପାର ତରିକା ଏମିତି ଥିଲା ଯାହା ଫଳରେ ସେମାନଙ୍କୁ ଧରିବା ପୁଲିସ ପାଇଁ କାଠିକର ପାଠ ହୋଇଥିଲା । ବଡ଼ଭାଇ ନାଫା ଜଳେଶ୍ୱର ଏବଂ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗର ଆଣିବା ପରେ ସାନ ଭାଇ ଅମିନକୁ ଦେଉଥିଲା । ଅମନ ତାକୁ କାଗଜରେ ପୁଡ଼ିଆ ପ୍ରସ୍ତୁତ କରୁଥିଲା । ନିଶାସକ୍ତମାନେ ପ୍ରଥମେ ନଫାକୁ ଯୋଗାଯୋଗ କରୁଥିଲେ ଏବଂ ପୁଡ଼ିଆ ପିଛା ୩/୪ ଶହ ଟଙ୍କା ଦେଉଥିଲେ । ଏହା ପରେ ବଡ଼ଭାଇ ନାଫାର ଫୋନକଲ୍ ସାନଭାଇ ଅମିନ ପାଇବା ପରେ ଟଙ୍କା ଦେଇଥିବା ନିଶାସକ୍ତଙ୍କୁ ଠିକଣା ସ୍ଥାନରେ ବ୍ରାଉନସୁଗର ପହଞ୍ଚାଇ ଦେଉଥିଲା । କିନ୍ତୁ ସେମାନଙ୍କୁ ଧରିବା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । କିନ୍ତୁ ସୋମବାର ଦିନ ନିଫା ଏବଂ ଅମନ୍ ଦୁଇ ଭାଇ କୁମ୍ବିଲୋ ଗ୍ରାମ ହରିମଣ୍ଡପ ନିକଟରେ ବ୍ରାଉନସୁଗର ବିକ୍ରି କରୁଥିବା ଖବର ପାଇ ପୁଲିସ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons