୨ ମହଲାରୁ ଖସି ଶ୍ରମିକ ମୃତ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନିର୍ମାଣାଧୀନ ୨ ମହଲାରୁ ଖସି ଜଣେ ଶ୍ରମିକଙ୍କ ଜୀବନ ଯାଇଛି । ମୃତ ଶ୍ରମିକ ବଡ଼ଭରଣ୍ଡି ପଞ୍ଚାୟତ ମହୁଲି ଗାଁର ଟଙ୍କଧର ଭତ୍ରା(୨୭) । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ ଉମରକୋଟ-ନବରଙ୍ଗପୁର ରାସ୍ତା ଅବରୋଧ କରିଥିଲେ । ପ୍ରଶାସନ ଓ ଘର ମାଲିକଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆନେ୍ଦାଳନରୁ ଓହରିଥିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ।
ପୁଲିସ୍ ସୂଚନା ଅନୁଯାୟୀ, ମହୁଲି ଗାଁର ଟଙ୍କଧର ବଙ୍ଗୀୟ ଗାଁର ମହାଦେବ ମିସ୍ତ୍ରୀଙ୍କ ପାଖରେ ଶ୍ରମିକ ଭାବେ କାମ କରୁଥିଲେ । ଉମରକୋଟ ହାଟପଦାସାହିର ନିର୍ମଳ ଫ୍ୟାନ୍ସି ଡିଲରଙ୍କ ଅଫିସ୍ ଉପରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ନେଇଥିଲେ ମହାଦେବ । ନିର୍ମାଣ କାର୍ଯ୍ୟରେ ଟଙ୍କଧର ନିୟୋଜିତ ହୋଇଥିଲେ । ଆଜି ଗୋଦାମ ଗୃହର ସିଲିଂ କାମ ଚାଲିଥିଲା । ଏହି ସମୟରେ ଅସାବଧାନତାରୁ ଟଙ୍କଧର ଦୁଇ ମହଲାରୁ ତଳକୁ ଖସି ପଡ଼ିଥିଲେ । ସେଠାରେ ତାଙ୍କ ମୃତୁ୍ୟ ହୋଇଥିଲା । ଶବକୁ ଗୋଦାମ ଗୃହ ମାଲିକ ପରିତୋଷ ଚନ୍ଦ୍ର ଦେ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନନେଇ ମହୁଲି ଗାଁରେ ଥିବା ତାଙ୍କ ଘରକୁ ନେଇଥିଲେ । ଦୁର୍ଘଟଣାରେ ଟଙ୍କଧରଙ୍କ ମୃତୁ୍ୟ ହୋଇଥିବା କହି ଶବ ରଖି ଚାଲିଯାଇଥିଲେ । ଚିକିତ୍ସା ପାଇଁ କାହିଁକି ଟଙ୍କଧରକୁ ଡାକ୍ତରଖାନା ନିଆଗଲା ନାହିଁ, ବ୍ୟବଚ୍ଛେଦ ରିପୋର୍ଟ କାହିଁ ବୋଲି ପରିତୋଷ ଓ ତାଙ୍କ ସହଯୋଗୀଙ୍କୁ ଘେରିଯାଇଥିଲେ ଗ୍ରାମବାସୀ । ମହାଦେବଙ୍କୁ ଧମକଚମକ ଦେବା ପରେ ସେ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ କହିଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ଚାପା ଉତ୍ତେଜନା ।
ଅପରାହ୍ଣରେ ୫୦୦ରୁ ଅଧିକ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉମରକୋଟ-ନବରଙ୍ଗପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଏଥିଯୋଗୁ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା । ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଖବରପାଇ ଉମରକୋଟ ଥାନା ଆଇଆଇସି ଲିମାରାଜ ପ୍ରଧାନ, ଏସ୍ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । କ୍ଷତିପୂରଣ ନମିଳିବା ଯାଏଁ ସେମାନେ ଆନେ୍ଦାଳନରୁ ଓହରିବେ ନାହିଁ ଜିଦ୍ ଧରିଥିଲେ । ପରେ ଘର ମାଲିକ ପରିତୋଷ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାଗ ଶାନ୍ତ ପଡିଥିଲା । ସେମାନେ ରାସ୍ତାରୋକରୁ ଓହରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons