କୋରାପୁଟ,(ବି.ବି.ନୁ୍ୟଜ୍): ରକ୍ତ ଭଣ୍ଡାରରେ ନଥିଲା ଆବଶ୍ୟକ ଗ୍ରୁପର ରକ୍ତ । ଜୀବନ ମରଣ ସହ ଲଢେ଼ଇ କରୁଥିଲେ ଦୁଇ ମହିଳା । ଜଣେ ଗର୍ଭବତୀ ଓ ଅନ୍ୟ ଜଣେ ପ୍ରସୂତୀ । ରକ୍ତ ନପାଇ ପରିବାର ଲୋକେ ମଧ୍ୟ ଚିନ୍ତାରେ । ଏହି ସମୟରେ ଦେବଦୂତ ସାଜିଥିଳେ ଦୁଇ ଯୁବକ । ରକ୍ତ ଦେଇ ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଏଭଳି ଘଟଣା ଘଟିଛି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ । ଏହି ଦୁଇ ଯୁବକ ହେଲେ ଗୋପବନ୍ଧୁ ସେବା ସମିତି ସଦସ୍ୟ ୱାଇ ଈଶ୍ୱର ରାଓ ଓ ଭାସ୍କର ରାଓ ।
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଇନ୍ଦୁ ମାଝି ୪ ଦିନ ତଳେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ରକ୍ତହୀନତା ଯୋଗୁ ଇନ୍ଦୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଜୀବନ ମରଣ ସହ ସେ ଲଢେ଼ଇ କରୁଥିଲେ । ସମ୍ପର୍କୀୟମାନେ ଗତ ୪ ଦିନ ହେବ ରକ୍ତ ଭଣ୍ଡାରକୁ ବାରମ୍ବାର ଯାଇ ଫେରୁଥିଲେ । ଭଣ୍ଡାରରେ ତାଙ୍କ ଗ୍ରୁପର ରକ୍ତ ନଥିଲା । ଏବି ପଜିଟିଭ୍ ଗ୍ରୁପ୍ ରକ୍ତ ଆବଶ୍ୟକ ପଡ଼ୁଥିଲା । ସେହିପରି, ପଟ୍ଟାଙ୍ଗୀ ବ୍ଲକର ଯଶୋଦା ବଡ଼ନାୟକ ନାମ୍ନୀ ଜଣେ ଗର୍ଭବତୀଙ୍କ ମଧ୍ୟ ଥିଲା ସମାନ ଅବସ୍ଥା । ରକ୍ତ ହୀନତା ଯୋଗୁ ତାଙ୍କର ଅପରେସନ ହୋଇ ପାରୁ ନଥିଲା । ଏହି ମହିଳାଙ୍କ ଗ୍ରୁପ ରକ୍ତ ଭଣ୍ଡାରରେ ନଥିଲା । ଖବର ପାଇ ଈଶ୍ୱର ଓ ଭାସ୍କର ପହଞ୍ଚି ଉଭୟ ମହିଳାଙ୍କୁ ରକ୍ତ ଦେଇଥିଲେ ।
Comments are closed, but trackbacks and pingbacks are open.