୨ ମାମଲାରେ ୭ ଗିରଫ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର ଏଠାରେ ଜଣେ ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଯୁବକ ହେଲେ ରାୟଗଡା ସହରର ରୟତ କଲୋନୀର ବିଶାଲ ପ୍ରଧାନ । ଗିରଫ ଅଭିଯୁକ୍ତ ହେଲେ ଗୌରବ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ସନ୍ଦିପ କୁମାର ପ୍ରଧାନ ଓ ଆଶିଷ ପ୍ରଧାନ । ସମସ୍ତ ଅଭିଯୁକ୍ତଙ୍କୁ
ରାୟଗଡ଼ା ଥାନା କେସ ନଂ ୪୧ ରେ କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ରାମ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଅନ୍ୟ ଏକ ମାମଲାରେ ପୁଲିସ ଉକ୍ତ ଯୁବକ ବିଶାଲ ପ୍ରଧାନ ସମେତ କିଷାନ ଖୋସଲା ଓ ପ୍ରଶାନ୍ତ ସୁନାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଚଳିତ ମାସ ୫ ତାରିଖ ରାତିରେ ଏକ ଭୋଜି କାର୍ଯ୍ୟକ୍ରମରେ ବିଶାଲ ଓ ଗୌରବଙ୍କ ମଧ୍ୟରେ କୌଣସି କାରଣକୁ ନେ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ଗୌରବ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ସନ୍ଦିପ କୁମାର ପ୍ରଧାନ ଓ ଆଶିଷ ପ୍ରଧାନ ଆଜି ସକାଳୁ ବିଶାଲଙ୍କୁ ଅପହଣର କରିଥିଲେ । ଏକ ସ୍କୋର୍ପିଓ (ନଂ ଓଆର-୦୨-ବିଟି-୦୫୪୮)ରେ ବସାଇ ନେଇ ଯାଇଥିଲେ । ବିଶାଲ ନିଜ ଘରୁ ବାଇକ(ଓଡି୧୮ଇ୭୮୬୪) ଧରି ବାହାରୁଥିବା ବେଳେ ଏହି ଘଟଣା ଘଟିଥିଲା । ଅପହରଣକାରୀ ବିଶାଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବାଇକ୍ ଭାଙ୍ଗିଦେବା ସହ ଅପହରଣ କରି ନେଇଥିଲେ । ରୟତ କଲୋନୀଠାରୁ କିଛି ଦୂରରେ ଥିବା ଏକ ଆପାର୍ଟମେଣ୍ଟକୁ ନେଇ ଏକ କୋଠରୀ ଭିତରେ ବିଶାଲଙ୍କୁ ପୂରାଇ ନିସ୍ତୁକ ମାଡ଼ ମାରିଥିଲେ । ଠେଙ୍ଗା ଓ ଲୁହା ଛଡ଼ରେ ମାଡ଼ ମାରି ଆହତ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ସହାୟତାରେ ସାହିର କିଛି ଯୁବକ ସେଠାରେ ପହଞ୍ଚି ବିଶାଲଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାଡରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ପରେ ପୁଲିସ ଉପରୋକ୍ତ ୪ ଅପହରଣକାରୀଙ୍କୁ ଧରିଥିଲା । ସମସ୍ତଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା । ଘଟଣା ପରେ କଲୋନୀରେ ଉତ୍ତେଜନା ଦେଖା ଦେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ଯବାନ ମୂତୟନ କରାଯାଇଥିବା ଜଣାପଡିଛି । ଏଭଳି ଘଟଣା କିଭଳି ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଅତିରିକ୍ତ ଏସ୍ପି କହିଛନ୍ତି । ଅନ୍ୟପକ୍ଷରେ ଉକ୍ତ ୫ ତାରିଖ ଭୋଜିରେ ବଚସା ଘଟଣାକୁ ନେଇ ବିଶାଲ ପ୍ରଧାନ ସହ କିଷାନ ଖୋସଲା ଓ ପ୍ରଶାନ୍ତ ସୁନାଙ୍କୁ ଗିରଫ କରାଯାଇଥିବା ଏସ୍ଡିପିଓ ତପନ ନାରାୟଣ ରଥ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons