ରାଉରକେଲା,(ବି.ବି.ବୁ୍ୟରୋ): ପିକ୍ନିକ୍ କରିବା ଲାଗି ୯ ଜଣ ଛାତ୍ର ସାଙ୍ଗ ହୋଇ ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରା ଘାଟକୁ ଯାଇଥିଲେ । ସେଠାରେ ବହି ଯାଇଥିବା କୋଏଲ ନଦୀରେ ଗାଧୋଉ ଥିବା ବେଳେ ୩ ଜଣ ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ବର୍ତ୍ତମାନ ଯାଏ ନିଖୋଜ ଅଛନ୍ତି ।
ରାଉରକେଲାର ସେକ୍ଟର-୫ ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ୯ ଜଣ ଛାତ୍ର ନିଜ ନିଜ ଘରୁ ପିକ୍ନିକ୍ କରିବା ଲାଗି ବାହାରି ଥିଲେ । ସେମାନେ ପ୍ରଥମେ ଆରଏସ୍ କଲୋନୀକୁ ଯାଇଥିଲେ । ସେଠାରୁ ଅପରାହ୍ନ ପ୍ରାୟ ୨ଟା ସମୟରେ ସେମାନେ ଜାମସେରା ଘାଟରେ ପହଞ୍ଚିଥିଲେ । ଉକ୍ତ ଘାଟରେ ପହଞ୍ଚିବା ପରେ ୯ ଜଣଙ୍କ ମଧ୍ୟରୁ ୪ ଜଣ ଛାତ୍ର କୌଶିକ ମଲ୍ଲିକ, ଭୂପେଶ ପ୍ରସାଦ, ସୃଜନ ଶର୍ମା ଓ ଅନ୍ୟ ଜଣେ ନଦୀକୁ ଗାଧୋଇବା ଲାଗି ଯାଇଥିଲେ । ନଦୀରେ ସେମାନେ ପାଣି ବୋତଲ ଧରିି ଖେଳୁଥିବା ବେଳେ ପ୍ରଥମେ ଜଣେ ଛାତ୍ର ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ଲାଗି ଅନ୍ୟ ୩ ଜଣ ପଶି ଥିବା ବେଳେ ସେମାନେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ତେବେ ଘାଟ ନିକଟରେ ମାଛ ଧରୁଥିବା ସୁରେନ୍ଦ୍ର କଚ୍ଛପ, ତୁଷାର ନାଗ ଓ ରାଜେଶ ଓରାମ ଜଣେ ଛାତ୍ରଙ୍କୁ ପାଣି ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ପତ୍ତା ମିଳିନଥିଲା । ଖବର ପାଇ ରାଉରକେଲା, ନୂଆଗାଁ ଓ ପାନପୋଷର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିବା ପରେ ପ୍ରଥମେ ଭୂପେଶଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଏହାର କିଛି ସମୟ ପରେ ପାଣି ଭିତରୁ ସୃଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।
ନିଖୋଜ ଥିବା କୌଶିକଙ୍କୁ ପାଣିି ଭିତରେ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର ସନ୍ଧାନ ମିଳିନଥିଲା । ଏହା ପରେ ଓଡ୍ରାଫ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ, ମାତ୍ର ରାତି ହୋଇଯିବାରୁ ଏହାକୁ ବନ୍ଦ କରି ଦିଆଯାଇଛି । ମୃତ ଭୂପେଶ ଓ ସୃଜନଙ୍କ ଶବକୁ ଆରଜିଏଚ୍ର ମର୍ଗ ହାଉସ୍ରେ ରଖାଯାଇଛି । ଘଟଣା ସ୍ଥଳରେ ଡିଏସ୍ପି ଜ୍ୟୋର୍ତିମୟୀ ଭୁକ୍ତା, ବନ୍ଧମୁଣ୍ଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ମଧ୍ୟ ସେଠାରେ ପହଞ୍ଚିଥିଲେ । ମୃତ ଭୂପେଷଙ୍କ ଘର ସେକ୍ଟର-୧୮ରେ ହୋଇଥିବା ବେଳେ ସୃଜନଙ୍କ ଘର ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେହିପରି ନିଖୋଜ ଥିବା କୌଶିକଙ୍କ ଘର ସେକ୍ଟର-୫ ଅଞ୍ଚଳରେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତମାସ ୨୬ ତାରିଖରେ ଭାରତ ବନ୍ଦ ଥିବା ବେଳେ ବିଭିନ୍ନ ମୋବାଇଲ ଦୋକାନରେ କାମ କରୁଥିବା ୯ ଜଣ ଯୁବକ ପିକ୍ନିକ୍ କରିବାକୁ ସେହି ଘାଟକୁ ଯାଇଥିଲେ । ସେଠାରେ ନଦୀରେ ଗାଧୋଉଥିବା ବେଳେ ନିତିନ ବେହେରା ପାଣିରେ ବୁଡ଼ି ଯାଇ ମୃତୁ୍ୟବରଣ କରିଥିଲେ ।


Comments are closed, but trackbacks and pingbacks are open.