ରାୟଗଡ,(ବି.ବି.ନୁ୍ୟଜ୍): ରାୟଗଡ଼ ବ୍ଲକ୍ ଲକ୍ଷ୍ମୀପୁର ପଞ୍ଚାୟତର ଲାଣ୍ଡୁସାହି କନ୍ୟାଶ୍ରମ ନିକଟରେ ଶୁକ୍ରବାର ସକାଳ ୧୦ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ତେବେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ସନ୍ୟାସୀ ଭୂୟା(୩୦), ସଞ୍ଜୟ ଶବର(୧୯) । ଗୁରୁତର ରବିନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାମଗିରି ଥାନା ଅଧୀନ ରାୟଗଡ଼ ବ୍ଲକ୍ ଲକ୍ଷ୍ମୀପୁର ପଞ୍ଚାୟତର ଲାଣ୍ଡୁସାହି ଗ୍ରାମ ସ୍ଥିତ କନ୍ୟାଶ୍ରମ ନିକଟରେ ଆଜି ପୂର୍ବାହ୍ନ ୧୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଲୁଣ୍ଡାସାହି ଗ୍ରାମର ସନ୍ୟାସୀ ଭୂୟା ବାଇକ୍ ଯୋଗେ କୌଣସି କାମରେ କଇଁପୁରକୁ ଯାଇଥିଲେ । ସେଠାରୁ କାମସାରି ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ବେତାରସିଂ ଗ୍ରାମର ସଞ୍ଜୟ ଶବର ଓ ରବିନ୍ଦ୍ର ଶବର(୨୧) ଅନ୍ୟଏକ ବାଇକ୍ରେ କଇଁପୁରକୁ ଯାଉଥିଲେ । ଏ ସମୟରେ ଅସାବଧାନତା ବସତଃ ଉଭୟଙ୍କ ବାଇକ୍ ମଧ୍ୟରେ ଧକ୍କା ହାଇଥିଲା । ତେବେ ଘଟଣାସ୍ଥଳରେ ହିଁ ସନ୍ୟାସୀଙ୍କ ମୃତୁ୍ୟ ହୋଇଥିବା ବେଳେ ସଞ୍ଜୟ ଓ ରବିନ୍ଦ୍ର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କଇଁପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଟୋ ଯୋଗେ ନେଇଥିଲେ । ତେବେ ସେଠାରେ ସଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ରବିନ୍ଦ୍ର ଶବରକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରାୟଗଡ଼ ଥାନାଧିକାରୀ ଚନ୍ଦ୍ରକାନ୍ତ ପ୍ରଧାନ ଓ ଗାରାବନ୍ଧ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଘଟଣାସ୍ଥଳରୁ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.