ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମିଠା ଦୋକାନୀ ଜମ୍ବୁ ଓରଫ୍ ପ୍ରଭାକର ସାହୁଙ୍କ ଯୋଗୁ ମିଠା ବେପାରରେ କ୍ଷତି ହେଉଥିଲା । ତାଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲା ରାଜା ବେହେରା । ହତ୍ୟା ପାଇଁ ୫୦ ହଜାର ଟଙ୍କାର ଡିଲ୍ ହୋଇଥିଲା । ଏଥିପାଇଁ ରାଜା ଅଗ୍ରୀମ ୧୦ ହଜାର ଟଙ୍କା ଦେଇ ସାରିଥିଲା । ମର୍ଡର ପରେ ବଳକା ୪୦ ହଜାର ‘ଫୋନ୍ ପେ’ରେ ଦେବାକୁ କଥା ବି ଛିଣ୍ଡିଥିଲା ।
କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍ କାବୁ କରିଥିବା ୨ ସୁପାରିକିଲର ଏମିତି ଚାଞ୍ଚଲ୍ୟକର ତଥ୍ୟ ଉଗାଳିଛନ୍ତି । ସୁପାରି କିଲର ଦୁଇଜଣ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ରାଉତ । ଏମାନଙ୍କ ଘର ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ । ହତ୍ୟା ପରେ ଏମାନେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ରହୁଥିବା ସାଙ୍ଗ ଅଭିଜିତ୍ ସାହୁଙ୍କ ଘରେ ଲୁଚିଥିଲେ । ସ୍ପେଶାଲ ସ୍କ୍ୱାଡ୍ ଉଭୟଙ୍କ ସହ ଅଭିଜିତ୍ଙ୍କୁ ମଧ୍ୟ ଗିରଫ କରିଛି । ପୁଲିସ ଦୁଇ ସୁପାରି କିଲରଙ୍କ ବୟାନ ରେକର୍ଡ କରିଛି । ସେମାନଙ୍କଠାରୁ ରକ୍ତ ଛିଟା ଲଗା ଖଣ୍ଡା ଓ ଦୁଇଟି ବାଇକ୍ ଜବତ କରାଯାଇଛି ।
ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଜମ୍ବୁଙ୍କ ମିଠା ବେପାର ବଢ଼ିବାକୁ ହତ୍ୟାକାରୀ ପରିବାର ସହିପାରୁନଥିଲେ । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହତ୍ୟାର ଷଡ଼ଯନ୍ତ୍ର ରଚା ଯାଇଥିଲା । ହତ୍ୟାରେ ମୋଟ ୮ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ । କୋର୍ଟରେ ମାମଲା ସମ୍ପର୍କିତ ଚାର୍ଜସିଟ୍ ଯଥାଶୀଘ୍ର ଦାଖଲ କରାଯିବ ।
ମିଠା ବେପାର ଶତ୍ରୁତାରୁ ପ୍ରତିଶୋଧ ଲକ୍ଷ୍ୟରେ ଏମାନଙ୍କୁ ସୁପାରି ଦେଇଥିଲା ରାଜା । ପୂରା ହତ୍ୟାର କାହାଣୀ ରଚିଥିଲା । କିନ୍ତୁ ସେ ନିଜେ ହତ୍ୟାକାରୀଙ୍କୁ ଧରାପକାଇ ଦେଲା । ହତ୍ୟା ପରେ ଶ୍ରୀତିକ ଓ ଆଶୁତୋଷ ସିଧା ପୁରୀ ପଳାଇଥିଲେ । ସେଠାରେ ପୂର୍ବରୁ ଗିରଫ ହୋଇସାରିଥିବା ବିଶ୍ୱଜିତ୍ ଓ ରଶ୍ମିରଞ୍ଜନଙ୍କ ଘରେ ଲୁଚିଥିଲେ । ଘଟଣା ପରଦିନ ରାଜା ସେଠାକୁ ଯାଇ ତାଙ୍କୁ ଦେଖା କରିଥିଲା । କିନ୍ତୁ ପରେ ଏନ୍କାଉଣ୍ଟର ଭୟରେ ନିଜେ କୋର୍ଟରେ ଆତ୍ମସମର୍ପଣ କରିଦେଲା । ଆତ୍ମସମର୍ପଣ କଥା ଶୁଣି ଉଭୟେ ଠିକଣା ବଦଳାଇବାକୁ ଯୋଜନା କଲେ । ପୁରୀରୁ ସିଧା କନ୍ଧମାଳସ୍ଥିତ ଅଭିଜିତ୍ ଘରକୁ ପଳାଇଲେ । ଧରାପଡିବା ଭୟରେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିଦେଲେ । ଅଭିଜିତ୍ ହେଉଛନ୍ତି ମହର୍ଷି କଲେଜ ଛାତ୍ର । ସେ ଓ ଶ୍ରୀତିକ୍ ଏକା ଗୋÂୀର । ଏପଟେ ରାଜାଙ୍କ ତଥ୍ୟ ମୁତାବକ ପୁଲିସ ପୁରୀ ଯାଇ ବିଶ୍ୱଜିତ୍ ଓ ରଶ୍ମିରଞ୍ଜନଙ୍କୁ କାବୁ କରିଥିଲା । ସେମାନେ ସୁପାରି କିଲରଙ୍କ ନୂଆ ଠିକଣା ସମ୍ପର୍କରେ ପୁଲିସକୁ ତଥ୍ୟ ଦେଇଥିଲେ । ଗଢ଼ାଯାଇଥିବା ସ୍ୱତନ୍ତ୍ର ଟିମ୍ ଶନିବାର ରାତିରେ କନ୍ଧମାଳକୁ ଯାଇଥିଲା । ସିସିକ୍ୟାମେରା ଫୁଟେଜ୍ ତଥ୍ୟ ମୁତାବକ, ଶ୍ରୀତିକ୍ ଓ ଆଶୁତୋଷ ହିଁ ହତ୍ୟାରେ ସାମିଲ୍ ଥିଲେ । ଆଶୁତୋଷ ନମ୍ବର ବିହୀନ ବାଇକ୍କୁ ଚଳାଉଥିଲା । ଶ୍ରୀତିକ୍ ରାସ୍ତାରେ ଗୋଡାଇ ଗୋଡାଇ ଜମ୍ଭୁଙ୍କୁ ହାଣିଥିଲା । ଏ ଦୁଇଜଣଙ୍କ ବ୍ୟତୀତ ଆଉ ୩ ଜଣ ମଧ୍ୟ ହତ୍ୟା ପଛରେ ଅଛନ୍ତି । ୫ଜଣିଆ ଗ୍ୟାଙ୍ଗ ମିଶି ହତ୍ୟାର ରଚନା କରିଥିଲେ । ଅନ୍ୟମାନଙ୍କୁ ଧରିବାକୁ ପୁଲିସ ଯୋଜନା ଚଳାଇଛି । ପୂର୍ବରୁ ଶିଶୁପାଳଗଡ଼ ଦୋଳବେଡା ସାହିର ବଳରାମ ବେହେରା(୭୪), ତାଙ୍କ ପୁଅ ଦିଲ୍ଲୀପ ବେହେରା ଓରଫ୍ ଦିଲୁ(୪୫), ଦିଲୁଙ୍କ ସ୍ତ୍ରୀ ସସ୍ମିତା ବେହେରା(୪୧) ଓ ଅଭିଯୁକ୍ତଙ୍କୁ ଘରେ ଲୁଚାଇଥିବା ବିଶ୍ୱଜିତ୍ ଓ ରଶ୍ମିରଞ୍ଜନଙ୍କୁ ପୁଲିସ ଗିରଫ କରିଥିଲା ।
Comments are closed, but trackbacks and pingbacks are open.