ନୂଆଦିଲ୍ଲୀ: ପ୍ରଭାବୀ କୋଭିଡ ଟିକା ଉପଲବ୍ଧ ହେବା ପରେ ଭାରତରେ ଟିକାକରଣ ଅଭିଯାନ ଜୋରଦାର ହେବ । ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଡୋଜ୍ ଲଗାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକାକରଣ ପୂର୍ବରୁ ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ାଯାଇଥିଲା । ୩୦ କୋଟିଙ୍କୁ ପ୍ରଥମେ ଟିକା ଦେବା ପାଇଁ ସେମାନେ ସୁପାରିସ କରିଛନ୍ତି । ଏହି ୩୦ କୋଟିଙ୍କ ମଧ୍ୟରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ୨ କୋଟି ଫ୍ରଣ୍ଟଲାଇନ୍ କର୍ମଚାରୀ ଏବଂ ୨୭ କୋଟି ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକ ଅନ୍ତର୍ଭୁକ୍ତ । ଏମାନଙ୍କୁ ପ୍ରାଥମିକତା ଭିତ୍ତିରେ ଡୋଜ୍ ଦିଆଯିବା ଦ୍ୱାରା ଦେଶରେ କରୋନା ମୃତୁ୍ୟ ସଂଖ୍ୟା ଆହୁରି ହ୍ରାସ ପାଇବ । ତା’ଛଡ଼ା ସଂକ୍ରମଣ ଗତି କମିଯିବ ।
ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କହିଛନ୍ତି, ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କର ପ୍ରଥମେ ଟିକାକରଣ ହେବ । ରାଜ୍ୟ ଓ କେନ୍ଦ୍ରୀୟ ପୁଲିସ ବଳର କରୋନା ଯୋଦ୍ଧାଙ୍କୁ ଡୋଜ୍ ଦିଆଯିବ । ସେନା, ଗୃହରକ୍ଷୀ, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ, ପୌର ନିଗମ କର୍ମଚାରୀଙ୍କୁ ବି ଟିକା ଦିଆଯିବ । ସେହିଭଳି ୫୦ ବର୍ଷରୁ ଅଧିକ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ଡୋଜ୍ ଦିଆଯିବ । ଟିକା ପରିଚାଳନା ପାଇଁ ଗଠିତ ରାଷ୍ଟ୍ରୀୟ ବିଶେଷଜ୍ଞ କମିଟିର ସୁପାରିସକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଭୂଷଣଙ୍କ ମୁତାବକ ଟିକାକରଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ଟିକାକୁ ସୁରକ୍ଷିତ ଭାବେ ରଖିବା ପାଇଁ ଶୀତଳଭଣ୍ଡାର ଭିତ୍ତିଭୂମି, ବିତରଣ ଏବଂ ଯୋଗାଣ ଆଦି ନିମନ୍ତେ ମଧ୍ୟ ପ୍ରସ୍ତୁତି ଚାଲିଛି । ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସବୁପ୍ରକାର ଚେଷ୍ଟା କରାଯାଉଛି ।
ଟିକାକୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ସ୍ଥିତିରେ ଦେଶବ୍ୟାପୀ ୮୫,୬୩୪ ଉପକରଣ ପାଖାପାଖି ୨୮,୯୪୭ ଶୀତଳ ଭଣ୍ଡାରରେ ରହିଛି । ପ୍ରଥମ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଦରକାର ପଡ଼ିବାକୁ ଥିବା ଟିକା ନିମନ୍ତେ ଭିତ୍ତିଭୂମି ସୁବିଧା ପ୍ରସ୍ତୁତ ଅଛି । ଟିକା ଦେବା ପାଇଁ ଦେଶରେ ପାଖାପାଖି ୨.୩୯ ଲକ୍ଷ ଭାକ୍ସିନେଟର (ଟିକା ଲଗାଇବା କର୍ମୀ) ରହିଛନ୍ତି । ଏମାନେ ୧୩ ପ୍ରକାର ଟିକା ଅଭିଯାନରେ ସାମିଲ ହୋଇସାରିଛନ୍ତି ।
ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କରୋନା ଟିକାକୁ ଆମ ବୈଜ୍ଞାନିକଙ୍କ ପକ୍ଷରୁ ସବୁଜ ସଂକେତ ମିଳିବା କ୍ଷଣି ଉପôାଦନ ବ୍ୟାପକ ମାତ୍ରାରେ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କମ୍ ସମୟ ମଧ୍ୟରେ ଯେମିତି ଅନେକ ସଂଖ୍ୟକ ଲୋକଙ୍କର ଟିକାକରଣ ହୋଇପାରିବ, ସେଥିପାଇଁ କାମ ଜାରି ରହିଛି । କିଛି କରୋନା ଟିକାର ଜରୁରି ବ୍ୟବହାର ପାଇଁ ଇତିମଧ୍ୟରେ ଏକାଧିକ ସଂସ୍ଥା ଆବେଦନ କରିଛନ୍ତି । ଲାଇସେନ୍ସ ମିଳିବା ପରେ ଏଗୁଡ଼ିକ ବଜାରକୁ ଆସିଯିବ । ଦେଶର ବୈଜ୍ଞାନିକମାନେ ଏହି ଟିକାଗୁଡ଼ିକର ମୂଲ୍ୟାୟନ କରୁଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଟିକାଗୁଡ଼ିକୁ ମଞ୍ଜୁରି ମିଳିଯିବ ବୋଲି ଆଶା ।
ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (କୋଭିସିଲ୍ଡ) ଏବଂ ଭାରତ ବାୟୋଟେକ୍ (କୋଭାକ୍ସିନ) ସମେତ ଫାଇଜର ପକ୍ଷରୁ ଟିକା ଲାଇସେନ୍ସ ପାଇଁ ଆବେଦନ କରାଯାଇଛି । ଜାଏଡସ୍ କାଡିଲାର ଜାଏକୋଭ-ଡି, ନୋଭାଭାକ୍ସ ଓ ରୁଷର ସ୍ପୁଟନିକ-୫ ଟିକାର ପରୀକ୍ଷା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା କମ୍ପାନି ଓ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ମୁତାବକ ଭାରତରେ ବର୍ତ୍ତମାନ ସମୟରେ ୬ଟି ଟିକା ଉପରେ ଆଶା ରହିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଦ୍ୱାରା କେନ୍ଦ୍ର ସରକାର ଆହୁରି ଟିକା ବଜାରକୁ ଆଣିବା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲାରେ କ୍ରମାଗତ ଭାବେ ହ୍ରାସ ଦେଖିବାକୁ ମିଳିଛି । ସାମଗ୍ରିକ ପଜିଟିଭିଟି ହାର ୬.୫% ରହିଛି । ବିଗତ ୧ ସପ୍ତାହର ପଜିଟିଭିଟି ହାର ୩.୨% ରହିଥିବା ସେ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଟିକା ଆସିବା ଠାରୁ ଆରମ୍ଭ କରି ଗଚ୍ଛିତ ଓ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବା ପର୍ଯ୍ୟନ୍ତ ସବୁ ତଥ୍ୟ ମିଳିପାରିବ । ତା’ଛଡା ଏହି ଆପ୍ ମାଧ୍ୟମରେ ଟିକାକରଣ ପ୍ରକ୍ରିୟାକୁ ପରିଚାଳନା କରାଯାଇ ପାରିବ । ଏହି ଆପ୍ ହେଉଛି ଇଲେକ୍ଟେ୍ରାନିକ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱର୍କ (ଇଭିନ)ର ପରିବର୍ଦ୍ଧିତ ସଂସ୍କରଣ । ଏହାକୁ ମାଗଣାରେ ମୋବାଇଲରେ ଡାଉନ୍ଲୋଡ କରିହେବ । ଏହି ଆପ୍ରେ ୫ଟି ମଡୁ୍ୟଲ ଯଥା ଆଡମିନିଷ୍ଟେ୍ରଟର, ରେଜିଷ୍ଟେ୍ରସନ, ଭ୍ୟାକ୍ସିନେସନ, ବେନିଫିସିଆରି ଆକନଲେଜମେଣ୍ଟ ଏବଂ ରିପୋର୍ଟ ମଡୁ୍ୟଲ ରହିଛି । ଟିକାକରଣ ପ୍ରକ୍ରିୟାରେ ସାମିଲ ପ୍ରଶାସକ, ଟିକା ଦେଉଥିବା ବ୍ୟକ୍ତି ଓ ଟିକା ନେବାକୁ ଥିବା ସାଧାରଣ ଲୋକଙ୍କ ପାଇଁ ଏହି ଆପ୍ ଉପଯୋଗୀ ହୋଇପାରିବ ।
Comments are closed, but trackbacks and pingbacks are open.