
ଭଦ୍ରକ, (ବି.ବି.ନୁ୍ୟଜ): ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ରାଣୀତାଲ ନିକଟରୁ ୩୧୦ ଗ୍ରାମର ବ୍ରାଉନସୁଗର ଜବତ୍ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ(ଏସ୍ପି) ଚରଣ ସିଂ ମୀନା ଗ୍ରାମାଞ୍ଚଳ ଥାନାରେ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରାଉନସୁଗର ଜବତ୍ ଘଟଣାରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁଥିଲେ ।
ସୂଚନା ଅନୁଯାୟୀ, ଭଦ୍ରକକୁ ବ୍ରାଉନସୁଗର ଆସୁଥିବା ପୁଲିସକୁ ସୂଚନା ମିଳିଥିଲା । ତେଣୁ ଗ୍ରାମାଞ୍ଚଳ ପୁଲିସର ଏକ ଟିମ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଜଗି ବସିଥିଲା । ଏକ ନମ୍ବର ବିହୀନ ବାଇକରେ ୩ଜଣ ଯୁବକ ଜଳେଶ୍ୱରରୁ ଭଦ୍ରକ ଆସୁଥିଲେ । ପୁଲିସ ଉକ୍ତ ବାଇକକୁ ଅଟକାଇଥିଲା । ପୁଲିସକୁ ଦେଖି ତପନ ମଲ୍ଲିକ ନାମକ ଜଣେ ଯୁବକ ଦୌଡ଼ି ପଳାଇଥିଲା । ପୁଲିସ ଗୋଡ଼ାଇ ଗୋଡ଼ାଇ ଅନ୍ୟ ୨ ଜଣଙ୍କୁ ଧରିଥିଲା । ପରେ ଯାଞ୍ଚରୁ ସେମାନଙ୍କ ନିକଟରୁ ୩୧୦ଗ୍ରାମର ବ୍ରାଉନସୁଗର ମିଳିଥିଲା । ଯାହାର ମୂଲ୍ୟ ୩୧ଲକ୍ଷ ଟଙ୍କାରୁ ଅଧିକ ହେବ । ଗିରଫ ୨ଜଣ ଯୁବକ ହେଲେ ତିହିଡ଼ି ଥାନା ପାଳିଆ ଜିଝାରପୁର ଅଞ୍ଚଳର ସଂଜୟ ମଲିକ ଓ ବାଂଶଡ଼ା ଥାନା ଅଧୀନସ୍ଥ ମାଣିପୁର ଗ୍ରାମର ଶ୍ରୀକାନ୍ତ ଦାସ । ଫେରାର ଅଭିଯୁକ୍ତ ତପନ ସମେତ ଜଳେଶ୍ୱର ଅଞ୍ଚଳର ମୁଖ୍ୟ ବ୍ରାଉନସୁଗର ବ୍ୟବସାୟୀକୁ ଖୁବଶୀଘ୍ର ଧରାଯିବ ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି ।
ଭଦ୍ରକ ଜିଲ୍ଲା ଏବେ ବ୍ରାଉନସୁଗର ବ୍ୟବସାୟୀଙ୍କ ଚରାଭୂଇଁ ପାଲଟିଛି । ଏହି କାରବାରରେ ରୋକ ଲଗାଇବା ପାଇଁ ଗତ କେଇ ମାସ ଧରି ପୁଲିସ ସକ୍ରିୟ ହୋଇପଡ଼ିଛି । ଗତ ୩ ମାସ ମଧ୍ୟରେ ଭଦ୍ରକ ପୁଲିସ ୧.୨୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ୍ କରିଛି । ଆଜି ପୁଣି ୩୧ଲକ୍ଷର ଏହି ନିଶା ଦ୍ରବ୍ୟ ଜବତ୍ କରିଛି ।


Comments are closed, but trackbacks and pingbacks are open.