
ଭଦ୍ରକ, (ବି.ବି.ନୁ୍ୟଜ): ଭଦ୍ରକ ପୁରୁଣାବଜାର ଥାନା ପୁଲିସ ୩୩୦ ଗ୍ରାମର ବ୍ରାଉନସୁଗର ଜବତ୍ କରିଛି । ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକ ହେଲେ ବାସୁଦେବପୁର ଥାନା ଅଧୀନସ୍ଥ କୁସୁନବିନ୍ଧା ଗ୍ରାମର ଦୟାନିଧି ମଲିକଙ୍କ ପଅ ମନୋରଂଜନ । ଏ ସମ୍ପର୍କରେ ଭଦ୍ରକ ପୁଲିସ ଉପଖଣ୍ଡସ୍ତରୀୟ ଅଧିକାରୀ ସାର୍ଥକ ରାଏ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ପୁରୁଣାବଜାର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହ ବାଇପାସ ଛକଠାରେ ଛକି ରହିଥିଲା । ଏହି ସମୟରେ ମନୋରଂଜନ ନିଜ ଗ୍ଲାମର ବାଇକ(ଓଡି ୨୨ଏସ-୯୨୫)ରେ ଭଦ୍ରକ ଆଡ଼ୁ ଆସୁଥିବା ବେଳେ ପୁଲିସ ତାକୁ ଅଟକାଇଥିଲା । ଯାଞ୍ଚ ସମୟରେ ମନୋରଂଜନ ନିକଟରୁ ୩୩୦ ଗ୍ରାମର ବ୍ରାଉନସୁଗର ଜବତ୍ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି ।
ପୁଲିସ ବ୍ରାଉନସୁଗର ସମେତ ସେ ବ୍ୟବହାର କରୁଥିବା ବାଇକ ଓ ମୋବାଇଲ୍ ଫୋନ ଜବତ୍ କରିଛି । ପଚାରାଉଚରା ବେଳେ ଜଳେଶ୍ୱରର ଜଣେ ବ୍ରାଉନସୁଗର ବ୍ୟବସାୟୀ ତାଙ୍କୁ ଭଦ୍ରକଠାରେ ଏହି ନିଶା ଦ୍ରବ୍ୟ ଦେଇ ପଳାଇଥିବା ସେ ପୁଲିସ ନିକଟରେ କହିଛି । ତେବେ ହଳଦୀଡିହ ବାଇପାସଠାରେ ନିଜର ଜଣେ ଗରାଖଙ୍କୁ ବ୍ରାଉନସୁଗର ଦେବାକୁ ଆସିଥିବାବେଳେ ମନୋରଂଜନକୁ ପୁଲିସ ମାଡ଼ି ବସିଥିଲା । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଂକା କରି ଜଳେଶ୍ୱରର ଏହି ବ୍ୟକ୍ତିଙ୍କ ନାମ ପୁଲିସ ଗୋପନ ରଖିଛି । ଏହି କାରବାରରେ ସଂପୃକ୍ତ ଜଳେଶ୍ୱରର ବ୍ୟବସାୟୀଙ୍କ ସମ୍ପର୍କରେ ପୁଲିସ ଅଧିକ ଅନୁଧ୍ୟାନ ଜାରି ରଖଛି । ମନୋରଂଜନଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଭଦ୍ରକ ଏବେ ବ୍ରାଉନସୁଗର କାରବାରର ହବ୍ ପାଲଟିଛି । ଗତ ଜୁନ ମାସରୁ ଆଜି ପର୍ଯ୍ୟନ୍ତ ପୁଲିସ ଓ କଟକ କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ଅଧିକାରୀମାନେ ଭିନ୍ନଭିନ୍ନ ଘଟଣାରେ ୨ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜବତ୍ କରି ସାରିଲେଣି । ବିଗତ ବର୍ଷମାନଙ୍କରେ ପୁଲିସ ଭଦ୍ରକରୁ ଅଳ୍ପ ପରିମାଣର ବ୍ରାଉନସୁଗର ଜବତ୍ କରୁଥିବା ବେଳେ, ଏବେ ବିପୁଳ ପରିମାଣର ଏହି ଉ+ଟ ନିଶାଦ୍ରବ୍ୟ ଜବତ୍ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଲକଡାଉନ ସମୟରୁ ଏହି କାରବାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯୁବବର୍ଗ ଏହି ନିଶା ପାଇଁ ପାଗଳ ହୋଇଯାଉଛନ୍ତି । ଯାହାକି ପୁଲିସ ଓ ଅଭିଭାବକମାନଙ୍କ ଚିନ୍ତା ବଢ଼ାଇଛି ।
Comments are closed, but trackbacks and pingbacks are open.