୩୪ ବର୍ଷର ଧାରା ବଦଳିଛି

Get real time updates directly on you device, subscribe now.

ନୂଆଦିଲ୍ଲୀ: ‘ନୂତନ ଶିକ୍ଷାନୀତିରେ ୩୪ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ପୁରଣା ଶିକ୍ଷାନୀତିକୁ ପରିବର୍ତ୍ତନ କରାଯାଇଛି । ଏହାକୁ ପ୍ରାୟତଃ ପ୍ରତ୍ୟେକ ସ୍ତରର ଲୋକେ ସ୍ୱାଗତ କରିଛନ୍ତି । ପୁରୁଣା ଶିକ୍ଷା ନୀତି କ’ଣ ଭାବିବା ଉପରେ କେନ୍ଦ୍ରିତ ଥିବା ବେଳେ ନୂତନ ଶିକ୍ଷାନୀତି କିପରି ଭାବିବା ଉପରେ କେନ୍ଦ୍ରିତ ଅଛି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ମିଳନୀରେ ନୂତନ ଶିକ୍ଷାନୀତି ଉପରେ ନିଜ ଆଭିମୁଖ୍ୟ ରଖି ଏହା କହିଛନ୍ତି । ଏହା ଦିନକରେ ନିଆଯାଇଥିବା ନିଷ୍ପତ୍ତି ନୁହେଁ ବରଂ ଏଥିପାଇଁ ୩-୪ ବର୍ଷ ଯାଏଁ ସମୀକ୍ଷା କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।
ନୂତନ ଶିକ୍ଷା ନୀତିର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରି ମୋଦି କହିଛନ୍ତି, ଏହି ଶିକ୍ଷାନୀତି ଭାରତକୁ ବିଶ୍ୱ ସ୍ତରରେ ମଜବୁତ କରିପାରିବ । ବର୍ଷ-ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନଙ୍କୁ ନୂଆ ଭାବନା ନୂଆ ଉତ୍ସାହ ମିଳି ପାରୁନଥିଲା । ସମସ୍ତେ ଡାକ୍ତର ଏବଂ ଇଞ୍ଜିନିୟର ହେବାକୁ ଚାହୁଁଥିଲେ । ନିଜ ଦକ୍ଷତାକୁ ସଠିକ ବିନିଯୋଗ କରି ପାରୁନଥିଲେ । ଆଗ୍ରହ, କ୍ଷମତାର ମ୍ୟାପିଂ ହୋଇ ପାରୁନଥିଲା । କିନ୍ତୁ ଏହି ଶିକ୍ଷା ନୀତିରେ ଛାତ୍ରଛାତ୍ରୀ ନିଜର ଦକ୍ଷତା ତଥା ଆଗ୍ରହ କ୍ଷେତ୍ର ଦିଗରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ଯାହାକୁ ବ୍ୟବହାର କରି ସେମାନେ ନିଜର ବୃତ୍ତିଗତ ଜୀବନରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଥିଲେ ।
ସେହିଭଳି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କାହିଁକି ନିଜ ମାତୃଭାଷାରେ ପଢ଼ିବେ ବୋଲି ଅନେକଙ୍କ ମନରେ ରହୁଥିବା ଦ୍ୱନ୍ଦ୍ୱ ଦୂର କରି ମୋଦି କହିଥିଲେ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ବୋଧ ଶକ୍ତି ଏତେ ନଥାଏ । ଏଣୁ ଘରେ କଥା ହେଉଥିବା ଭାଷାରେ ଯଦି ସେମାନେ ସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି ତେବେ ସେମାନଙ୍କୁ ପ୍ରତ୍ୟେକ ଜିନିଷ ବୁଝିବା ସହଜ ହେବ । ଯାହା ସେମାନଙ୍କ ଶିକ୍ଷାର ମୂଳଦୁଆକୁ ମଜବୁତ କରିପାରିବ ବୋଲି ମୋଦି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜର ଇଚ୍ଛା ତଥା ଆଗ୍ରହ ଅନୁଯାୟୀ ବୃତ୍ତି ଚୟନ କରିବା ଆବଶ୍ୟକ । ଏଥିନିମନ୍ତେ ସମସ୍ତଙ୍କୁ ଅବସର ଯୋଗାଇଦେବା ଲକ୍ଷ୍ୟରେ ପାଠ୍ୟକ୍ରମକୁ ଅଧାରୁ ଛାଡି ଅନ୍ୟ କୌଣସି ପାଠ୍ୟକ୍ରମ ଆରମ୍ଭ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୋଦି ପ୍ରକାଶ କରିଛନ୍ତି । ଉଚ୍ଚ ଶିକ୍ଷାକୁ ବିଭିନ୍ନ ଷ୍ଟ୍ରିମ୍ରୁ ମୁକ୍ତ କରିବା, କ୍ରେଡିଟ୍ ବ୍ୟାଙ୍କ, ମଲ୍ଟିପଲ ଏଣ୍ଟି୍ର ଏବଂ ଏଗ୍ଜିଟ ନୀତି ପ୍ରଚଳନ ପଛରେ ମଧ୍ୟ ଏହି ଲକ୍ଷ୍ୟ ରହିଥିବା ମୋଦି ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଛନ୍ତି ।
କୌଣସି ବ୍ୟକ୍ତି ସାରାଜୀବନ ଗୋଟିଏ ବୃତ୍ତିରେ ରହିବା ନିହାତି ଜରୁରୀ ନୁହେଁ । ଏଣୁ ଜଣକୁ ଲଗାତର କିଛି ଶିଖିବାକୁ ସୁଯୋଗ ମିଳିବା ଆବଶ୍ୟକ । ପ୍ରତ୍ୟେକ ବୃତ୍ତି ପ୍ରତି ଲୋକଙ୍କର ସମାନ ମନୋଭାବ ରଖିବାର ସମୟ ଆସିଛି । ଉଚ୍ଚ-ନୀଚ୍ଚ ଭେଦଭାବ ଦୂର କରି ସମସ୍ତେ ଗୋଟିଏ ସ୍ରୋତରେ ଯିବା ଜରୁରୀ ରହିଛି ବୋଲି ମୋଦି କହିଥିଲେ । ସେହିଭଳି ଦେଶର ଶିକ୍ଷା ନୀତି ରାଷ୍ଟ୍ରର ଲକ୍ଷ୍ୟ ସହ ଜଡିତ ହେଲେ ଛାତ୍ରଛାତ୍ରୀଙ୍କ ସହ ଦେଶର ମଧ୍ୟ ଉନ୍ନତି ହୋଇପାରିବ । ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ବଢ଼ିବା କାରଣରୁ ଗରିବ ଲୋକଟିଏ ମଧ୍ୟ ପଢ଼ିବାକୁ ସୁଯୋଗ ପାଉଥିବା ମୋଦି ସମ୍ମିଳନୀରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons