୩୭୦ ହଟିବା ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ : କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବିଧାନର ଏହି ଅନୁଚ୍ଛେଦ ହଟିବା ସହ ଦେଶର କୋଟି କୋଟି ଜନତାଙ୍କ ସ୍ୱପ୍ନ ପୁରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ ଏହା ଦ୍ୱାରା ସ୍ୱତନ୍ତ୍ର ଭାରତ ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଥିବା କହିଛନ୍ତି।
କାଶ୍ମୀର ଭାରତରେ ସାମିଲ ହେବାଠାରୁ ୩୭୦ରେ ମିଳିଥିବା ସୁବିଧା ଓ ସୁଯୋଗର ଲାଭ ନେଉଥିଲା। ହେଲେ ଏଥିରୁ ରାଜ୍ୟକୁ ଦୀର୍ଘ ବର୍ଷରେ ମିଳିଛି କ’ଣ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୭୦ ବର୍ଷରେ ରାଜ୍ୟରେ ୪୨ ହଜାରରୁ ଊର୍ଦ୍ଧ୍ୱ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣ ହରାଇବାକୁ ପଡିଲା। କେବଳ ଏହି ଅନୁଚ୍ଛେଦ ୩୭୦ ପାଇଁ, ହେଲେ ଏହା ଉପରେ କେବେ ଆଲୋଚନା ବି ହେଉନଥିଲା। ତାହାବି ଏହି ଆଇନ ଯୋଗୁ। ବଦଳରେ ଭାରତୀୟ ସମ୍ବିଧାନର ଏହି ଧାରାକୁ ପଡୋସୀ ପାକିସ୍ତାନ ଏକ ଅସ୍ତ୍ରଭାବେ ବ୍ୟବହାର କରୁଥିଲା। ଏହାର ଉଚ୍ଛେଦ ସହ କେବଳ ନେହେରୁ କି ଶ୍ୟାମାପ୍ରସାଦ ନୁହଁନ୍ତି ସମଗ୍ର ଦେଶର ସ୍ୱପ୍ନ ପୁରଣ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଧାରା ଯୋଗୁ କାଶ୍ମୀରରେ ଅନୁସୂଚିତ ଜାତି ଓ ଜନଜାତିକୁ ସାରା ଦେଶରେ ସରକାର ପ୍ରଦାନ କରୁଥିବା ସଂରକ୍ଷଣ ଆଇନର ଲାଭ ମିଳୁନଥିଲା। ଏବେ ଏହି ଅନୁଚ୍ଛେଦ ହଟିବା ପରେ ଲୋକେ ଦେଶର ଏହି ସଂରକ୍ଷଣ ସୁଯୋଗ ନେଇ ପାରିବେ। କେବଳ ଏତିକି ନୁହେଁ । ରାଜ୍ୟର ସମସ୍ତ ରିକ୍ତ ପଦବୀ ପୂରଣ କରାଯିବ। ଏହା ଛଡା ରାଜ୍ୟରେ ଚାକିରୀର ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗ ଓ ଘରୋଇ କ୍ଷେତ୍ରର ଉଦ୍ୟୋଗଙ୍କୁ କାଶ୍ମୀରରେ ଉଦ୍ୟୋଗ ସ୍ଥାପନା ନିମନ୍ତେ ପ୍ରୋତ୍ସାହିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଏହି ଅନୁଚ୍ଛେଦ ଲାଗୁ ରହିବା ଯୋଗୁ ରାଜ୍ୟ ସବୁକ୍ଷେତ୍ରରେ ପଛେଇ ଯାଇଥିବା ବେଳେ ଦେଶର ବିକାଶ କ୍ଷେତ୍ରରେ ବି ଯୋଗଦାନ ଦେଇପାରିନି। କେନ୍ଦ୍ର ସରକାରଙ୍କ ବିପୁଳ ରାଜସ୍ୱହାନୀ ହେଉଥିଲା। ତେବେ ଧାରା ୩୭୦ ଯେପରି ସ୍ଥାୟୀ ନଥିଲା ସେହିପରି ଜମ୍ମୁ-କାଶ୍ମୀରରେ କେନ୍ଦ୍ରଶାସନ ମଧ୍ୟ ସ୍ଥାୟୀ ନୁହେଁ । ରାଜ୍ୟକୁ କିଛି ସମୟ ଲାଗି କେନ୍ଦ୍ର ସରକାରଙ୍କ ଶାସନାଧୀନ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ସେଠାରେ ରାଜ୍ୟପାଳଙ୍କ ଶାସନ ଚାଲିଛି ଯାହାର ଅର୍ଥ ସେଠାରେ କେନ୍ଦ୍ରର ଶାସନ ଚାଲିଛି। ଯାହାର ଏବେ ସକରାତ୍ମକ ଫଳ ମିଳିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
୧୯୪୭ ପରେ ଯେଉଁମାନେ ପାକିସ୍ତାନରୁ ଭାରତ ଆସିଥିଲେ ସେମାନଙ୍କୁ ଆଜି ପର‌୍ୟ୍ୟନ୍ତ ସମାନ ଅଧିକାର ମିଳି ନାହିଁ। ଜମ୍ମୁ-କାଶ୍ମୀର ଲାଗି ଜନ ପ୍ରତିନିଧି ଲୋକମାନେ ହିଁ ବାଛିବେ। ପୂର୍ବରୁ ଯେଉଁଭଳି ବିଧାନସଭା, ବିଧାୟକ, ମନ୍ତ୍ରୀପରିଷଦ ଓ କ୍ୟାବିନେଟ ମନ୍ତ୍ରୀ ଥିଲେ ସବୁ ଠିକ୍ ସେମିତି ରହିବ। କିଛି ବି ପରିବର୍ତ୍ତନ ହେବନି। ସବୁକଥା ଠିକ ହୋଇଯିବା ପରେ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟବସ୍ଥାରେ ରହିବାର ଆବଶ୍ୟକତା ଆଉ ରହିବ ନାହିଁ।
ବ୍ଲକ୍ ଡେଭଲପମେଣ୍ଟ କାଉଁନସିଲ ନିର୍ବାଚନ ଶୀଘ୍ର କରିବା ଲାଗି ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ କୁହାଯିବ। ଯଦି ଏଠାକାର ପରିସ୍ଥିତି ଠିକ୍ ହୋଇ ଯାଏ ସମଗ୍ର ପୃଥିବୀର ଲୋକେ ଏଠାକୁ ସୁଟିଂ କରିବାକୁ ଆସିବ। ଏଥିଲାଗି ଭାରତୀୟ ଫିଲ୍ମ ଉଦ୍ୟୋଗକୁ ପ୍ରଥମେ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେବଳ ହିନ୍ଦୀ ଫିଲ୍ମ ନୁହେଁ ତେଲଗୁ ଓ ତାମିଲ ଫିଲ୍ମ ଉଦ୍ୟୋଗର ବି କାଫି ବିକାଶ ହୋଇଛି। ଆଗକୁ ସୁଟିଂ ହେବାକୁ ଥିବା ଫିଲ୍ମପାଇଁ କାଶ୍ମୀର ଆସିବାକୁ ସେମାନଙ୍କୁ କୁହାଯିବ। ଫଳରେ ଲୋକେ ପୁଣି ପୂର୍ବ ଭଳି ରୋଜଗାରର ସୁବିଧା ପାଇବେ। ଏହା ଛଡା ଫିଲ୍ମ ଦୁନିଆକୁ ଏଠାରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଉତ୍ସାହିତ କରାଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଶାସିତ ରାଜ୍ୟ ହେବା ପରେ ଏବେ ଲଦ୍ଦାଖର ବିକାଶ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏଠାରେ ପର‌୍ୟଟନ, ଆଡଭେଞ୍ଚର ସ୍ପୋର୍ଟସ ପାଇଁ ଅନେକ ସୁଯୋଗ ରହିଛି। କେନ୍ଦ୍ର ସରକାର ଏଦିଗରେ କାର‌୍ୟ କରିବେ। ଏହା ଛଡା ଦଳମତ ନିର୍ବିଶେଷରେ ଲଦ୍ଦାଖ ଓ ଜମ୍ମୁ-କାଶ୍ମୀରର ବିକାଶ ଲାଗି ଏକାଠୀ ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୈତିକ ଦଳମାନଙ୍କୁ ତାଙ୍କ ଭାଷଣରେ ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି ଯେ ଅନୁଚ୍ଛେଦ କାଶ୍ମୀର ୩୭୦ରୁ ମୁକ୍ତ ହେବା ସତ୍ୟ ଘଟଣା, ତେବେ ଆଉ ଏକ ସତ୍ୟ ହେଉଛି ମାତ୍ର ଅଳ୍ପ ସଂଖ୍ୟକ କିଛି ଲୋକ ସେଠାରେ ପରିସ୍ଥିତି ବିଗାଡିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଜବାବ ବି ଦେଇଛନ୍ତି।
ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଧିରେ ଧିରେ ସ୍ୱଭାବିକ ହୋଇଯିବ। ଏଥିରେ ଆଗାମୀ ଇଦ୍ ପାଳନ ପାଇଁ କିଛି ଅସୁବିଧା ହେବ ନାହିଁ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ। ତେବେ ନୂଆ ଜମ୍ମପ-କାଶ୍ମୀର ଓ ନୂଆ ଲଦାଖର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons