୩ ଅନ୍ତଃରାଜ୍ୟ ସାଇବର ଠକ ଗିରଫ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ପେଟ୍ରେଲ୍ ପମ୍ପ କରାଇ ଦେବା ନାଁରେ ଜାଲ୍ ୱେବସାଇଟ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଏକ ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ କ୍ରାଇମ୍ବ୍ରାଞ୍ଚ୍ ହାତରେ ଧରାପଡିଛି । ପେଟ୍ରୋଲ୍ ପମ୍ପ କରିବା ଲାଗି ସାଇବର ଠକଙ୍କ ଜାଲରେ ପଡ଼ି ୪୦ ଲକ୍ଷ ୪୫ ହଜାର ହରାଇଥିବା ଢେଙ୍କାନାଳ ଜିଲ୍ଲା ଭୂବନ ଅଞ୍ଚଳର ଓମ ପ୍ରକାଶ ମିଶ୍ର ଅଭିଯୋଗର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚ ଏହି ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ୍ର ଚେର ପାଇଛି । ଓଡ଼ିଶା, ଗୁଜୁରାଟ,ଗୋଆ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରୁ କୋଟିକୋଟି ଟଙ୍କା ଠକି ନେଇଥିବା ସାଇବର ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ବିହାରର ହାୱାଇ ଆଡ୍ଡା ଥାନା ଅଞ୍ଚଳରୁ ଗିରଫ କରିଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ କିଭଳି ରିଲାଏନ୍ସ ପେଟ୍ରୋଲ ପମ୍ପ ସଂସ୍ଥା ନାଁରେ ଜାଲ୍ ୱେବସାଇଟ୍ ଖୋଲି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କୋଟିକୋଟି ଟଙ୍କା ଠକି ନେଇଛନ୍ତି ସେ ସମ୍ପର୍କରେ ଏଡିଜି ଶ୍ରୀ ଉପାଧ୍ୟାୟ ଖୁଲାସା କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ବିହାର ନାଳନ୍ଦା ଜିଲ୍ଲା ଅଞ୍ଚଳର ଆକାଶ କୁମାର(୨୧), ଗୟା ଜିଲ୍ଲାର ଶୁଭମ୍ ପ୍ରିୟଦର୍ଶୀ(୧୯), ନୱାଡା ଜିଲ୍ଲା ୱାରିଶାଳିଗଞ୍ଜ ଅଞ୍ଚଳର କୌଶଳେନ୍ଦ୍ର କୁମାର(୨୩) । ଗିରଫଦାରୀ ସମୟରେ ଅଭିଯୁକ୍ତମାନଙ୍କଠାରୁ ନଗଦ ୮ଲକ୍ଷ ୫୯ ହଜାର ଟଙ୍କା, ୪୭ଟି ଏଟିଏମ୍ କାର୍ଡ, ୧୬ଟି ମୋବାଇଲ୍ ଫୋନ୍, ବହୁ ସିମ୍ କାର୍ଡ, ଲ୍ୟାପଟପ୍, ପେନ୍ ଡ୍ରାଇଭ୍, ଡଙ୍ଗଲ୍ ଓ ବହୁ ବ୍ୟାଙ୍କ୍ ଚେକ୍ ବହି, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ପାନ୍ କାର୍ଡସମେତ ନୋଟ୍ ବୁକ୍ ଆଦି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜବତ କରିଛନ୍ତି । ୩ ଜଣ ଯାକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପାଟନା କୋର୍ଟରୁ ୨ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଢେଙ୍କାନାଳ ଜିଲ୍ଲା ଭୂବନ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇଛି । ଅଭିଯୁକ୍ତମାନଙ୍କୁ ଅଧିକ ଜେରା କରି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହ ସେମାନଙ୍କ ଚେର ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଭୂବନ କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲାବେଳେ ୪ ଦିନ ପାଇଁ ରିମାଣ୍ଡ ନେବା ଲାଗି ତଦନ୍ତକାରୀ ଅଧିକାରୀଙ୍କୁ ଭୂବନ ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ଫଳରେ ଅଭିଯୁକ୍ତମାନଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ଆଣି ରାତିରେ କଟକରେ ପହଞ୍ଚିଛି । ଆସନ୍ତା ୬ ତାରିଖ ମଧ୍ୟାହ୍ନ ୧୨ ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ଭୂବନ ଜେଏଫ୍ଏମ୍ସି ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଗିରଫ ହୋଇଥିବା ବିହାରର ସାଇବର ଠକ ଦଳ ଟିଟିଲାଗଡ଼ର ମନୋଜ ଗୋଏଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ୍ ପମ୍ପ କରାଇ ଦେବା ନାଁରେ ୧୪ଲକ୍ଷ ୫୭ ହଜାର ଟଙ୍କା ଠକି ନେଇଥିବା ତଦନ୍ତରୁ ଜଣାପଡିଛି ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ, ରିଲାଏନ୍ସ ପେଟ୍ରୋଲ ପମ୍ପର ଏକ ୱେବସାଇଟ ମାଧ୍ୟମରେ ଡିଲରସିପ୍ ଆହ୍ୱାନ କରାଯାଇଥିବା ଦେଖି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଓମ୍ପ୍ରକାଶ ମିଶ୍ର(୩୭)ମିଶ୍ର ଗତବର୍ଷ ନଭେମ୍ବର ପହିଲାରେ ଇ-ମେଲ୍ ଜରିଆରେ ଆବେଦନ କରିଥିଲେ । ଆବେଦନ କରିବା ପରେ ୨ ଓ ୩ ତାରିଖରେ ଏହାର ସେ ଉତ୍ତର ମଧ୍ୟ ପାଇଥିଲେ । ଏହାପରେ ରିଲାଏନ୍ସ ପେଟ୍ରେଲ୍ ପମ୍ପ ସଂସ୍ଥାର ଅଧିକାରୀ ବୋଲି ଅଙ୍କିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନ୍ କରି ପେଟ୍ରୋଲ୍ ପମ୍ପ ଆବେଦନକାରୀ ଓମ୍ପ୍ରକାଶଙ୍କୁ ଦେୟ ଜମା କରିବାକୁ କହିଥିଲେ । ସମ୍ପୃକ୍ତ ଅଧିକାରୀଙ୍କ କଥା ଅନୁସାରେ ଓମ୍ ପ୍ରକାଶ ଗତବର୍ଷ ନଭେମ୍ବର ୧୨ ଏବଂ ୧୫ ତାରିଖରେ ଯଥାକ୍ରମେ ୨୯ ହଜାର ୫ଶହ ଟଙ୍କା ଓ ୮୮ହଜାର ୫ଶହ ଟଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡ ଆକାଉଣ୍ଟରେ ଜମା କରିଥିଲେ । ଏହାପରେ ତାଙ୍କ ଠାରୁ ଲାଇସେନ୍ସ ଫି’, ବୀମା ଫି’, ଡିପୋଜିଟ୍ ଏବଂ କ୍ରେଡିଟ୍ ଡିପୋଜିଟ୍ ଫି’ ବାବଦକୁ ଭିନ୍ନ ଭିନ୍ନ ସମୟରେ କାନାରା ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରେ ୩୯ ଲକ୍ଷ ୨୭ ହଜାର ଟଙ୍କା ଜମା ନିଆଯାଇଥିଲା । ପରେ ସଂପୃକ୍ତ କମ୍ପାନି ତରଫରୁ ମନୋଜ ଚୌହାନ ନାମକ ବ୍ୟକ୍ତି ଏକାଧିକ ବାର ଓମ୍ ପ୍ରକାଶଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲା । ଗତ ଜାନୁଆରୀ ୨ ତାରିଖରେ ନିତିନ ବିଜୟ ନାମକ ଜଣେ ଅଧିକାରୀଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଓଡ଼ିଶା ଆସି ପ୍ରସ୍ତାବିତ ପେଟ୍ରୋଲ ପମ୍ପ୍ ସ୍ଥଳ ବୁଲି ଦେଖିବେ ବୋଲି ଫୋନ୍ରେ କୁହାଯାଇଥିଲା । ସଂସ୍ଥା ପକ୍ଷରୁ ଫୋନ୍ରେ ପ୍ରତିଶ୍ରୁତି ଦିଆଯାଇଥିବା ତାରିଖରେ କେହି ଅଧିକାରୀ ନଆସିବାରୁ ଓମ୍ପ୍ରକାଶଙ୍କ ମନରେ ସନେ୍ଦହ ଜାତ ହୋଇଥିଲା । ମାତ୍ର ସେତେବେଳକୁ ଓମ୍ ପ୍ରକାଶ ଗତ ଡିସେମ୍ବର ୧୨ ତାରିଖରୁ ୨୮ ତାରିଖ ମଧ୍ୟରେ ୪୦ ଲକ୍ଷ ୪୫ ହଜାର ହଜାର ଟଙ୍କା ଅଭିଯୁକ୍ତମାନଙ୍କ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍ରେ ପଇଠ କରିସାରିଥିଲେ । ସବୁଆଡୁ ନିରାଶ ହୋଇ ଓମ୍ପ୍ରକାଶ ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ରେ ଗତ ଜାନୁଆରୀ ୩ ତାରିଖରେ ଏତଲା ଦେଇଥିଲେ । ଅଭିଯୋଗ ମୁତାବକ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଇନ୍ସପେକ୍ଟର ବିଭୁ ରଞ୍ଜନ ସୁନ୍ଦରାୟଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲା । ଓମ୍ପ୍ରକାଶ ଟଙ୍କା ଜମା କରିଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ବିଭିନ୍ନ ଫୋନ୍ ନମ୍ବରକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ ମାସ ହେଲା ଛାନ୍ଭିନ୍ ଚଳାଇ ଆସୁଥିଲା । ବିଳମ୍ବରେ ହେଲେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ଠକଙ୍କ ବାବଦରେ କିଛି ମାସ ତଳେ ସାମାନ୍ୟ ସୁରାକ୍ ପାଇଥିଲା । ଉକ୍ତ ତଥ୍ୟକୁ ଆଧାର କରି ସାଇବର ଟିମ୍ ଗତ ସପ୍ତାହରେ ବିହାର ପାଟନା ଅଭୁମୁଖେ ବାହାରିଥିଲା । ଅଭିଯୁକ୍ତମାନଙ୍କୁ ଗତ ୨୯ ତାରିଖରେ ହାୱାଇ ଆଡ୍ଡା ଥାନା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ଅଭିଯୁକ୍ତମାନେ ଗୁଜରାଟ, ଗୋଆ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ଅନେକଙ୍କୁ ରିଲାଏନ୍ସ ପେଟ୍ରୋଲ୍ ପମ୍ପ କରାଇ ଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ୩ ଜଣ ଯାକ ଅଭିଯୁକ୍ତଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ସମେତ ପଞ୍ଜାବ ପୁଲିସ୍ ଏବଂ ଆଉ କେତେକ ରାଜ୍ୟର ପୁଲିସ୍ ରିମାଣ୍ଡରେ ନେବେ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି । ସମ୍ପୃକ୍ତ ସାଇବର ଠକକୁ ଠାବ ଧରିବାରେ ସଫଳତା ହାସଲ କରିଥିବାରୁ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ଉପାଧ୍ୟାୟ ଇନ୍ସପେକ୍ଟର ବିଭୁରଞ୍ଜନ ସୁନ୍ଦରରାୟ, ଏସ୍ଆଇ ବିଶ୍ୱପ୍ରକାଶ ରାଉତ, ଡ୍ରାଇଭର ବିନୋଦ ବିଶ୍ୱାଳ ଓ କାଳନ୍ଦି ମଲ୍ଲିକ୍ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons