ଦଶମନ୍ତପୁର,(ବି.ବି.ନୁ୍ୟଜ୍): ଗାଁକୁ ରାସ୍ତା ନାହିଁ କି ପୋଲଟିଏ ନାହିଁ । ଫଳରେ ଆସିପାରିଲାନି ଆମ୍ବୁଲାନ୍ସ । ଘରେ ଜନ୍ମଦେଲେ ଯାଆଁଳା ଶିଶୁ । ଜଣେ ଶିଶୁର ମୃତୁ୍ୟ ପରେ ଗୁରୁତର ପ୍ରସୂତିଙ୍କୁ ଚୌକିରେ ଭାର କରି ୩କିମି ବୋହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଝୋଲାଗୁଡା ଗାଁରେ ।
ଚିକାମ୍ବ ଗାଁର ସରୋଜ ସାଉଁନ୍ତାଙ୍କ ସ୍ତ୍ରୀ ରୁପାଲୀ ସାଉଁନ୍ତାଙ୍କ ଆଜି ସକାଳେ ଗର୍ଭଯନ୍ତ୍ରଣା ବଢ଼ିଥିଲା । ଡାକ୍ତରଖାନା ଯିବା ଲାଗି ଆଶା ଦିଦି ଚଞ୍ଚଳା ଚେଟ୍ଟୀଙ୍କୁ ଖବର ଦିଆଗଲା । ଆଶାକର୍ମୀ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁଠାରୁ ୩କିମି ଦୂର ଧର୍ମଗୁଡା ଛକରେ ୧୦୨ ରହିଯାଇଥିଲା । ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଆଶାକର୍ମୀଜଣଙ୍କ ତାଙ୍କ ଘରେ ହିଁ ପ୍ରସବ କରାଇଥିଲେ । ପୂର୍ବାହ୍ନରେ ମହିଳାଜଣଙ୍କ ଯାଆଁଳା ଶିଶୁ ଜନ୍ମଦେଇଥିଲେ । ଜନ୍ମ ପରେ ପୁତ୍ର ସନ୍ତାନର ମୃତୁ୍ୟ ହୋଇଗଲା । ପରେ ମାଁ ଓ କନ୍ୟାଶିଶୁର ଅବସ୍ଥା ମଧ୍ୟ ଖରାପ ହୋଇଗଲା । ଉପାୟଶୂନ୍ୟ ହୋଇ ଏକ ଚୌକିଭାରରେ ପରିବାର ଲୋକେ ପ୍ରସୂତି ଓ ଜୀବିତ କନ୍ୟାଶିଶୁକୁ ୩କିମି ଦୂର ବୋଲି ନେଇଥିଲେ । ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଗାଡିରେ ଡାକ୍ତରଖାନା ନିଆଯାଇ ଭର୍ତ୍ତି କରାଯାଇଥିବା ଆଶାକର୍ମୀ କହିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ଉଭୟ ମା’ଶିଶୁ ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଗାଁକୁ ଭଲ ରାସ୍ତା ନଥିବାରୁ ନବଜାତ ଶିଶୁପୁତ୍ରର ଜୀବନ ଚାଲିଯାଇଥିବା ପରିବାର ସହ ଗ୍ରାମବାସୀ କହିଛନ୍ତି ।
ଦେଶ ୭୪ବର୍ଷ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଆଜିଯାଏଁ ଗମନାଗମନ ପାଇଁ ଗାଁକୁ ରାସ୍ତା ନାହିଁ, ଫଳରେ ଦୁର୍ଦ୍ଧଶାରେ ଜୀବନ ବିତାଇବାକୁ ପଡୁଥିବା ଗ୍ରାମବାସୀ କହିଛନ୍ତି । କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ ନିକଟରେ ଥିବା ମୁର୍କାର ପଞ୍ଚାୟତବାସୀଙ୍କୁ ମଧ୍ୟ ଏଭଳି ହିନସ୍ତା ହେବାକୁ ପଡୁଛି । ଚିକାମ୍ବ ପଞ୍ଚାୟତର ଝୋଲାଗୁଡା, ଗଜିଆଗୁଡା, ତୁନଖାଲ, ଓ ମୁର୍କାର ପଞ୍ଚାୟତର ଗାଦିଖାଲ ଅଞ୍ଚଳକୁ ରାସ୍ତା ନାହିଁ । ବର୍ଷାଦିନେ ରୋଗୀଙ୍କ ଜୀବନ ଚାଲିଯାଉଛି ବୋଲି ଅଞ୍ଚଳର ସଦନ ମାଝୀ, ହରେରାମ ମାଝୀ, ଘେନୁ ଜାନୀ, କୈଳାସ ନାୟକ ପ୍ରମୁଖଙ୍କ ସହ ଗ୍ରାମବାସୀ କହିଛନ୍ତି । ଏଦିଗରେ ବିଧାୟକ ପ୍ରଭୁ ଜାନୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରାଯାଇଛି । ହେଲେ କେହି ହେଲେ ଶୁଣୁ ନାହାନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.