୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

Get real time updates directly on you device, subscribe now.

ନୀଳଗିରି, (ବି.ବି.ନୁ୍ୟଜ୍): ଓଡ଼ିଶା ପୁଲିସ୍କୁ ପୁଣି ଏକ ବଡ଼ ସଫଳାତା ମିଳିଛି । ବାଲେଶ୍ୱର ପୁଲିସ୍ ସହଯୋଗରେ ୩ କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ କରିଛି ଏସ୍ଟିଏଫ୍ । ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ହେଲେ ଅନ୍ୟ ଜଣେ ପ୍ରମୁଖ ବେପାରୀ ଚକମା ଦେଇ ଫେରାର ହୋଇଯାଇଛି । ଫେରାର ଅଭିଯୁକ୍ତ ପାଖରେ ୪ କେଜିରୁ ଅଧିକ ବ୍ରାଉନ୍ ସୁଗର ଥିବା ପୁଲିସ୍ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଦୀପ ଦାସ ଏବଂ ଲକି ବେହେରା ।
ମିଳିଥିବା ସୂଚନା ମୁତାବକ, ନୀଳଗିରି ଥାନା ଅଧୀନସ୍ଥ ମିତ୍ରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ୨.୫ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ସେହିପରି ମିତ୍ରପୁର ଅଞ୍ଚଳରେ ଏହି କାରବାର ଚାଲିଥିବା ସୂଚନା ପାଇ ଏସ୍ଟିଏଫ ଟିମ୍ ଜାଲ ବିଛାଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରାଉନସୁଗର ବେପାରୀମାନେ କୌଣସି ଏକ ସ୍ଥାନରେ ଭୋଜି ସାରି ଫେରୁଥିବା ବେଳେ ଅଚାନକ ଏସ୍ଟିଏଫ ଟିମ୍ ଚଢ଼ଉ କରିଥିଲା । କିଛି ବେପାରୀ ଛତ୍ରଭଙ୍ଗ ଦେଇଥିଲେ । ହେଲେ ମିତ୍ରପୁର ଅଞ୍ଚଳର ପ୍ରଦୀପ ଏବଂ କଲ୍ୟାଣୀ ଗାଁର ଲକି ଏସ୍ଟିଏଫ୍ ହାବୁଡ଼ରେ ପଡ଼ି ଯାଇଥିଲେ । ଦୁହିଁଙ୍କ ପାଖରୁ ପାଖାପାଖି ଅଢେ଼ଇ କିଲୋଗ୍ରାମ୍ର ବ୍ରାଉନସୁଗର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଳ୍ୟ ୨.୫ କୋଟି ଟଙ୍କା ହେବ ବୋଲି ଏସ୍ଡିପିଓ ଅମୂଲ୍ୟ ଧର କହିଛନ୍ତି । ଏସ୍ଟିଏଫ୍ ହେପାଜତରେ ଦୁଇ ଜଣ ଅଭିଯୁକ୍ତ ଅଛନ୍ତି ।
ସେହିଭଳି ଝାଡେ଼ଶ୍ୱରପୁର (ରାଜପୁର) ଗାଁର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବ୍ରାଉନସୁଗର ମହଜୁଦ ଥିବା ଖବର ପାଇ ଡିଏସ୍ପି ମନୋଜ କୁମାର ରାଉତ ସ୍ୱତନ୍ତ୍ର ପୁଲିସ ଟିମ୍ ସହିତ ଜଳେଶ୍ୱରରେ ପହଞ୍ଚିଥିଲେ । ଏଥିରେ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ସାମିଲ ଥିଲେ । ନିର୍ଦ୍ଧିଷ୍ଟ ସ୍ଥାନରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ୩୦୦ ଗ୍ରାମ ବ୍ରାଉନ୍ସୁଗର ଜବତ କରିଥିଲେ ହେଁ ଏହାର ମୁଖ୍ୟ ଅଭିଯୁକ୍ତ ଅକଲାକ ଅଲ୍ଲୀ (୪୬) ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ତା’ପରେ ଆହୁରି କିଛି ବ୍ରାଉନ୍ ସୁଗର ଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି । ପୁଲିସ୍ ସେଠାରୁ ଏକ ନମ୍ବର ବିହୀନ ବୁଲେଟ୍ ଜବତ୍ କରିଛି ।
ସେପଟେ ଫେରାର ନିଶା ବେପାରୀଙ୍କୁ ଧରିବା ପାଇଁ ଏସ୍ଟିଏଫ୍ ଓ ସ୍ଥାନୀୟ ପୁଲିସ୍ ବିଭିନ୍ନ ଆଡେ ଚଢ଼ଉ ଜାରି ରଖିଛି । ସଫଳାତା ମିଳିବ ବୋଲି ଏସ୍ଟିଏଫ୍ ଏସ୍ପି ଆଶ ରଖିଛନ୍ତି । ବଡ଼ କଥା ହେଲେ କୋଟି କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ କରୁଛି ଏସ୍ଟିଏଫ୍ ଓ ପୁଲିସ୍ । ହେଲେ ଏତେ ବେପାର ଚାଲୁଥିଲେ ମଧ୍ୟ ଅବକାରୀ ବିଭାଗ ଏହାର କିଛି ଟେର ପାଉନି । କ’ଣ ପାଇଁ ଅବକାରୀ ବିଭାଗ ଚୁପ୍ ବସିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons