୩ ପୃଥକ୍ ସଡ଼କ ଦୁର୍ଘଟଣାରେ ୩ ମୃତ, ୩ ଗୁରୁତର

Get real time updates directly on you device, subscribe now.

ଅନୁଗୁଳ/ଛେଣ୍ଡିପଦା/ଠାକୁରଗଡ଼,(ବି.ବି.ନୁ୍ୟଜ୍): ଗତକାଲି ବିଳମ୍ବିତ ରାତିରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ପୃଥକ ତିନିଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ରାତି ପ୍ରାୟ ୧୧ଟା ବେଳେ ଅନୁଗୁଳ ସହର ଉପକଣ୍ଠ ଭଣ୍ଡୁବରଠାହେ ରାସ୍ତାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି ପୂର୍ବାହ୍ନରେ ନିଶା ଶିଳ୍ପାଞ୍ଚଳ ଥାନାର ଝିଣ୍ଟିପାଳଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଆରୋହୀଙ୍କର ଶୋଚନୀୟ ମୃତୁ୍ୟ ହୋଇଛି । ସେହିପରି ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ ଠାକୁରଗଡ଼ ଥାନାର ଦୀନବନ୍ଧୁପୁରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଚେରଖଣ୍ଡି ଗ୍ରାମର ଅଶ୍ୱିନୀ ଦେହୁରୀ (୧୯) ନାମକ ଜଣେ ଯୁବକଙ୍କର ପ୍ରାଣବାୟୁ ଉଡ଼ିଯାଇଛି ।
ଦୁଇ ସାଙ୍ଗ ଗାଁ ଛକରୁ ବାଇକ୍ରେ ଘରକୁ ଫେରୁଥିଲେ । ଆଉ କେଇ ମିନିଟ୍ ପରେ ପହଞ୍ଚିଥାନ୍ତେ ଘରେ । ହେଲେ ରାସ୍ତାରେ ଶୋଇଥିବା ଷଣ୍ଢ ସବୁ ଓଲଟ୍ପାଲଟ୍ କରିଦେଲା । ଷଣ୍ଢକୁ ସାଇଡ୍ ମାରି ଯିବା ବେଳକୁ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚାଲିଗଲା ବାଇକ ଚାଳକ ଯୁବ ବ୍ୟବସାୟୀଙ୍କ ଜୀବନ । ପଛରେ ବସିଥିବା ଯୁବକଙ୍କ ଅବସ୍ଥା ମଧ୍ୟ ସଙ୍ଗୀନ । ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଭଣ୍ଡୁବର ନିକଟରେ ଗୁରୁବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତ ଯୁବକ ହେଲେ କୁମଣ୍ଡ ଗ୍ରାମର ସତ୍ୟାନନ୍ଦ ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ(୩୦) । ଗୁରୁତର ଯୁବକ ସେହି ଗ୍ରାମର ଟିଟୁନ୍ କୁମାର ସାହୁ(୨୮) । ଟିଟୁନ୍ଙ୍କ ମୁଣ୍ଡ ଓ ପାଦରେ ଆଘାତ ଲାଗିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଛନ୍ତି ।
ପୁଲିସ ସୂଚନା ମୁତାବକ, ମୃତ ମାନସଙ୍କ ଅନୁଗୁଳ ବସଷ୍ଟାଣ୍ଡରେ ଏକ ଘଣ୍ଟା ଦୋକାନ ଓ ସ୍ପେୟାର ପାର୍ଟ୍ସ ଦୋକାନ ରହିଛି । ଗତକାଲି ଗୁରୁବାର ଥିବାରୁ ଅନୁଗୁଳ ବଜାର ବନ୍ଦ ଥିଲା । ତେଣୁ ମାନସ ଘରେ ଥିଲେ । ରାତି ପ୍ରାୟ ସାଢେ଼ ୧୦ଟା ବେଳେ ସେ ସାଙ୍ଗ ଟିଟୁନ୍ଙ୍କୁ ଧରି କୌଣସି କାମରେ ଭଣ୍ଡୁବର ଛକକୁ ଆସିଥିଲେ । କାମ ସାରି ଘରକୁ ଫେରୁଥିବା ବେଳେ ଛକର ଅନତି ଦୂରରେ ରାସ୍ତାରେ ଏକ ଷଣ୍ଢ ଶୋଇ ରହିଥିଲା । ସାଇଡ୍ ମାରି ଗଲା ବେଳକୁ ଷଣ୍ଢଟି ଚମକି ଛିଡ଼ା ହୋଇ ପଡ଼ିଥିଲା । ଫଳରେ ମାନସ ରାସ୍ତାର ଡାହାଣ ପାଶ୍ୱର୍ରୁ ପଳାଇ ଯାଇଥିଲେ । ଏହି ସମୟରେ ଦ୍ରୁତ ଗତିରେ କୁମଣ୍ଡ ଆଡ଼ୁ ଆସୁଥିବା ଏକ ଅଜଣା ବାଇକ୍ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା । ଉଭୟ ମାନସ ଓ ଟିଟୁନ୍ ଛିଟିକି ହୋଇ ପଡ଼ିଥିଲେ । ମାନସଙ୍କ ମୁଣ୍ଡ ପଛ ପାଶ୍ୱର୍ ମାଡ଼ ହୋଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାନସଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା । ଆଜି ସକାଳେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସେହିପରି ନିଶା ଶିଳ୍ପାଞ୍ଚଳ ଥାନାର ବରପଦା-ଝିଣ୍ଟିପାଳ ରାସ୍ତାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଝିଣ୍ଟିପାଳ ଗ୍ରାମର ଡିଲେଶ୍ୱର ଗୋଚ୍ଛାୟତଙ୍କ ପୁଅ ଦୀପକ ଗୋଚ୍ଛାୟତ (୧୫) କୌଣସି କାମରେ ବରପଦା ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ମଟର ସାଇକେଲ୍ରେ ଗ୍ରାମର ଚନ୍ଦନ ମାଝି (୨୨) ଓ ତାଙ୍କର ଜଣେ ସମ୍ପର୍କୀୟ ଆସୁଥିଲେ । ବରପଦାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁହେଁ ଭାରସାମ୍ୟ ହରାଇ ମୁହାଁମୁହିଁ ପିଟି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୀପକଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଚନ୍ଦନ ଓ ତାଙ୍କ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ ଚେରଖଣ୍ଡି ଗ୍ରାମର ଅଶ୍ୱିନୀ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା ବେଳେ ଠାକୁରଗଡ଼ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ପଠାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons