୩ ବର୍ଷରେ ହେବ ୧୫ ଜଳସେଚନ ପ୍ରକଳ୍ପ

Get real time updates directly on you device, subscribe now.

ବାରିପଦା: ମୟୂରଭଞ୍ଜର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ଅତିରିକ୍ତ ଜଳସେଚନ ସୁବିଧାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୨୦ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଆଉ ଅତିରିକ୍ତ ୧୫ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ କରାଯାଇପାରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ । ଏହାଦ୍ୱାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ । ଆଗାମୀ ୨/୩ ବର୍ଷ ମଧ୍ୟରେ ପ୍ରାୟ ୧୫ଟି ଜଳସେଚନ ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ । ଆଜି ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । ଜଳସେଚନ ରାଜ୍ୟ ସରକାରଙ୍କର ଏକ ପ୍ରାଥମିକତା କ୍ଷେତ୍ର । ଆଗାମୀ ଖରିଫ୍ରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ ।
ମୟୂରଭଞ୍ଜ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ ଅବା ଜନଜାତିଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ । ଏ ଜିଲ୍ଲାରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇ କହିଥିଲେ, ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି । ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି । ଚାଷୀକୁ ତାର ହକ୍ ଦେବା ଆମର ଲକ୍ଷ୍ୟ । ଚାଷୀର ହକ୍ ମିଳିଲା ପର୍ଯ୍ୟନ୍ତ ଆମର ଲଢେ଼ଇ ଜାରି ରହିବ ବାଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ୱାରା ୨୦୨୪ ଜାନୁଆରୀ ସୁଦ୍ଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗର ପଦକ୍ଷେପ ସମ୍ପର୍କରେ ଆଲାକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons